ମାଲକାନଗିରି ମେଡିକାଲରେ ଗର୍ଭବତୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ଡାକ୍ତରଙ୍କୁ ମାଡ଼ ।

​ମାଲକାନଗିରି,୧୭/୦୬(ପିପିଟି):ମାଲକାନଗିରି ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟରେ ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଚିକିତ୍ସାରେ ଅବହେଳା ଯୋଗୁଁ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କରି ଉତ୍ତ୍ୟକ୍ତ ଲୋକେ କାର୍ଯ୍ୟରତ ଡାକ୍ତରଙ୍କୁ ମାଡ଼ ମାରିଥିବା ବେଳେ ମେଡିକାଲ ପରିସରରେ ରଣକ୍ଷେତ୍ର ପାଲଟିଥିଲା। ଶେଷରେ ପୋଲିସ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଛି।

​ସୂଚନା ଅନୁଯାୟୀ, ମାଲକାନଗିରି ବ୍ଲକ ଅନ୍ତର୍ଗତ ଏମଭି-୪୩ ଗ୍ରାମର ବନ୍ଦନା ମଣ୍ଡଳ ନାମକ ଜଣେ ଗର୍ଭବତୀ ମହିଳାଙ୍କୁ ଗତକାଲି ରାତିରେ ଏକ ସାପ କାମୁଡି ଦେଉଥିଲା । ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ସଦର ଚିକିତ୍ସାଳୟରେ ଭର୍ତ୍ତୀ କରିଥିଲେ। ସେଠାରେ ଡାକ୍ତର ସିଦ୍ଧାର୍ଥ ମହିଳାଙ୍କ ଚିକିତ୍ସା କରିଥିଲେ।

​ଚିକିତ୍ସାରେ ବିଳମ୍ବ ଅଭିଯୋଗ,​ପରିବାର ଲୋକଙ୍କ କହିବା ଅନୁଯାୟୀ, ମହିଳାଙ୍କ ଶରୀରରେ କୌଣସି ସାପ କାମୁଡ଼ାର ସ୍ପଷ୍ଟ ଚିହ୍ନ ନଥିବାରୁ ପ୍ରାଥମିକ ପର୍ଯ୍ୟାୟରେ ଡାକ୍ତର କେବଳ ବାନ୍ତି ରୋକିବା ଔଷଧ ଦେଇଥିଲେ। ମାତ୍ର ରୋଗୀ ଜଣକ ନିଜେ ସାପ ଦେଖିଥିବା ଏବଂ ସର୍ପାଘାତର ଶୀକାର ହୋଇଥିବା ବାରମ୍ବାର କହିବା ପରେ, ଡାକ୍ତର ତାଙ୍କୁ ଆଣ୍ଟି-ସ୍ନେକ ଭେନମ (ସାପ କାମୁଡ଼ା ଇଞ୍ଜେକ୍ସନ) ଦେଇଥିଲେ। ହେଲେ ଇଞ୍ଜେକ୍ସନ ନେବାର କିଛି ସମୟ ମଧ୍ୟରେ ହିଁ ଗର୍ଭବତୀ ମହିଳାଙ୍କର ମୃତ୍ୟୁ ଘଟିଥିଲା।​ମହିଳାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ମେଡିକାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଗ୍ରାମବାସୀ ଓ ପରିବାର ଲୋକେ ଚିକିତ୍ସା କରିଥିବା ଡାକ୍ତର ସିଦ୍ଧାର୍ଥ ଭୋଳଙ୍କୁ ଆକ୍ରମଣ କରିବା ସହ ମାରପିଟ୍ କରିଥିଲେ। ଖବର ପାଇ ମେଡିକାଲ ଫାଣ୍ଡି ପୋଲିସ ଓ ସଦର ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଡାକ୍ତରଙ୍କୁ ଉଦ୍ଧାର କରିବା ସହ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।
​ଏହି ଅଭାବନୀୟ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଅପରପକ୍ଷରେ ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Comments (0)
Add Comment