ମାଲକାନଗିରି ବିମାନବନ୍ଦରରେ ସଫଳ ହେଲା ବହୁ ପ୍ରତୀକ୍ଷିତ ବିମାନ ଟ୍ରାଏଲ୍ ଲ୍ୟାଣ୍ଡିଂ ।

ମାଲକାନଗିରି, ୨୨/୦୭(ପିପିଟି):ମାଲକାନଗିରି ଜିଲ୍ଲାବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନକୁ ସାକାର କରି ଜିଲ୍ଲା ପ୍ରଶାସନ ଏବଂ ଓଡ଼ିଶା ସରକାରଙ୍କ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଜି ମାଲକାନଗିରି ଏୟାରଷ୍ଟ୍ରିପ୍‌ ଠାରେ ପରୀକ୍ଷା ମୂଳକ ଭାବେ ବିମାନ ଉଡ଼ାଣ ବା ଟ୍ରାଏଲ୍ ରନ୍ ସଫଳତାର ସହ ସମ୍ପନ୍ନ ହୋଇଛି। ମେସର୍ସ ଇଣ୍ଡିଆଓନ୍ ଏୟାର୍‌ର ସ୍ୱତନ୍ତ୍ର ସେସନା ଗ୍ରାଣ୍ଡ କାରାଭାନ ୨୦୮ବି ଇଏକ୍ସ ବିମାନଟି ନିର୍ଦ୍ଧାରିତ ସମୟ ସୂଚୀ ଅନୁଯାୟୀ ଜୟପୁରରୁ ବାହାରି ଦିନ ୨ ଟା ୩୦ ମିନିଟ୍ ରେ ମାଲକାନଗିରି ରନ୍‌ୱେରେ ଅବତରଣ କରିଥିଲା । ଏହାକୁ ଅଗ୍ନିଶମ ବିଭାଗ ପକ୍ଷରୁ ଭବ୍ୟ ୱାଟର କ୍ୟାନନ୍ ସାଲ୍ୟୁଟ୍ ପ୍ରଦାନ କରାଯାଇଥିଲା। ଏହି ସଫଳ ପରୀକ୍ଷଣ ପରେ ଆସନ୍ତା ଏକ ମାସ ମଧ୍ୟରେ ଜିଲ୍ଲାରୁ ପ୍ରାରମ୍ଭିକ ଭାବେ ୯ ସିଟ୍ ବିଶିଷ୍ଟ ନନ-ସେଡ୍ୟୁଲ୍ ବିମାନ ସେବା ଆରମ୍ଭ ହେବ।

ଜିଲ୍ଲାରେ ବିମାନ ସେବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପକୁ ସଫଳତାର ସହ କାର୍ଯ୍ୟକାରୀ କରିବା ପଛରେ ମାଲକାନଗିରି ଜିଲ୍ଲାପାଳଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଓ ନିରଳସ ପ୍ରଚେଷ୍ଟା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରହିଛି। ଏହି ଅବସରରେ ଜିଲ୍ଲାପାଳ କହିଛନ୍ତି, ଆଜିର ସଫଳ ଟ୍ରାଏଲ୍ ଲ୍ୟାଣ୍ଡିଂ ମାଲକାନଗିରିର ଯୋଗାଯୋଗ କ୍ଷେତ୍ରରେ ଏକ ମାଇଲଖୁଣ୍ଟ। ଜିଲ୍ଲା ପ୍ରଶାସନ ସମସ୍ତ ଅଂଶୀଦାରଙ୍କ ସହ ସମନ୍ୱୟ ରକ୍ଷା କରି ଏକ ମାସ ମଧ୍ୟରେ ସାଧାରଣ ଜନତାଙ୍କ ପାଇଁ ନିୟମିତ ଉଡ଼ାଣ ଆରମ୍ଭ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ଏହା କେବଳ ପରିବହନ ସୁବିଧା ଯୋଗାଇବ ନାହିଁ, ବରଂ ଜିଲ୍ଲାର ପର୍ଯ୍ୟଟନ ଓ ଆର୍ଥିକ ବିକାଶର ନୂତନ ଦ୍ୱାର ଉନ୍ମୋଚନ କରିବ।
ଜିଲ୍ଲାପାଳଙ୍କ ନିର୍ଦ୍ଦଶକ୍ରମେ ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ, ବନଖଣ୍ଡ ଅଧିକାରୀ ସାଇ କିରଣ, ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ସୋମନାଥ ପ୍ରଧାନ,ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବେଦବର ପ୍ରଧାନ, ଉପ ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ଏବଂ ରାସ୍ତା ଓ କୋଠାବାଡ଼ି ସୁପରିଟେଣ୍ଡିଂ ଇଞ୍ଜିନିୟର ରବୀନ୍ଦ୍ର କୁମାର ବେହେରା ଉପସ୍ଥିତ ରହି ସମଗ୍ର ପ୍ରକ୍ରିୟାକୁ ସୁଚାର ରୂପେ ପରିଚାଳନା କରିଥିଲେ। ମୁଖ୍ୟ ପାଇଲଟ୍ କ୍ୟାପ୍ଟେନ ପ୍ରେମ କୁମାର ଗର୍ଗ ଏବଂ କୋ-ପାଇଲଟ୍ ସତୀଶ ଏସ କେ ବିମାନବନ୍ଦରର ରନ୍‌ୱେ ସମେତ ସମସ୍ତ ଭିତ୍ତିଭୂମିକୁ ସମ୍ପୂର୍ଣ୍ଣ ସୁରକ୍ଷିତ ଓ ଉପଯୁକ୍ତ ବୋଲି ଦର୍ଶାଇଛନ୍ତି। ଭୁବନେଶ୍ୱରରୁ ଆସିଥିବା ନିର୍ଦ୍ଦେଶାଳୟର ସହକାରୀ ନିର୍ଦ୍ଦେଶକ (ସୁରକ୍ଷା) ମନୋଜ କୁମାର ଦାସ, ସହକାରୀ ନିର୍ଦ୍ଦେଶକ (ଏରୋ ସେଫ୍ଟି) ନିରଜ କୁମାର ନାୟକ ଏବଂ ବିମାନବନ୍ଦର ଆକାଉଣ୍ଟେବଲ୍ ମ୍ୟାନେଜର ଅଶୋକ କୁମାର ରାଉତ ଏହି ପ୍ରସ୍ତୁତି ଏବଂ ସଫଳ ଟ୍ରାଏଲ୍ ରନ୍‌ର ଚୂଡ଼ାନ୍ତ ସମୀକ୍ଷା କରିଛନ୍ତି।

ସରକାରଙ୍କ ଆଞ୍ଚଳିକ ସଂଯୋଗୀକରଣ ଯୋଜନା ଅଧୀନରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ବିମାନ ଚଳାଚଳ ବ୍ୟବସ୍ଥା ନନ-ସେଡ୍ୟୁଲ୍ ଭିତ୍ତିରେ କାର୍ଯ୍ୟ କରିବ, ଯେଉଁଠାରେ ଯାତ୍ରୀମାନଙ୍କର ସମ୍ପୂର୍ଣ୍ଣ ଟିକେଟ୍ ବୁକିଂ ନିଶ୍ଚିତ ହେବା ପରେ ହିଁ ବିମାନ ଉଡ଼ାଣ ଭରିବ। ଯାତ୍ରୀମାନଙ୍କ ସୁବିଧା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜଣେ ସ୍ୱତନ୍ତ୍ର ନୋଡାଲ୍ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି ଏବଂ ନିୟମିତ ପ୍ୟାସେଞ୍ଜର ଅପଡେଟ୍ ପାଇଁ ପର୍ଯ୍ୟଟନ ବିଭାଗକୁ ମଧ୍ୟ ସାମିଲ କରାଯାଇଛି। ବର୍ତ୍ତମାନର ୧୫୦୦ ମିଟର ରନ୍‌ୱେକୁ ଆହୁରି ୩୦୦ ମିଟର ପର୍ଯ୍ୟନ୍ତ ସମ୍ପ୍ରସାରଣ କରି ୧୮୦୦ ମିଟର ର ରନ୍ ୱେ ତିଆରି କରିବାକୁ ରାଜ୍ୟ ସରକାର ଯୋଜନା ରଖିଛନ୍ତି, ଯାହା ଭବିଷ୍ୟତରେ ଏଠାରେ କମର୍ସିଆଲ ଜେଟ୍ ଏୟାରକ୍ରାଫ୍ଟ ର ଅବତରଣ ସହ ମାଲକାନଗିରି ଜିଲ୍ଲାର ଅର୍ଥନୀତି, ପରିବହନ ଓ ପର୍ଯ୍ୟଟନ କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Comments (0)
Add Comment