ମାଲକାନଗିରି,୦୧/୧୧(ପିପିଟି):ମାଲକାନଗିରି ଠାରେ ବିଶ୍ୱ ଶାନ୍ତି ପାଇଁ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ଶତାଧିକ ଭକ୍ତ ଆୟପାସ୍ୱାମୀମାନେ ପୂଜା ଅର୍ଚ୍ଚନା କରି ଜଳନ୍ତା ରଢ ନିଆଁରେ ଚାଲିଛନ୍ତି। ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥ ମାଲ୍ୟବନ୍ତ ପର୍ବତ ମଲିକେଶ୍ବର ମନ୍ଦିର ନିକଟରେ ଆୟପା ଭକ୍ତମାନେ ଗତକାଲି ରାତ୍ରରୁ ଆଜି ଭୋର ସକାଳ ପର୍ଯ୍ୟନ୍ତ ଆଇପୂଜାର ଆୟୋଜନ କରିଥିଲେ । ଏହି ପୂଜାରେ ଅବିଭକ୍ତ କୋରାପୁଟ ଜିଲ୍ଲା ଯଥା ମାଲକାନଗିରି, ନବରଙ୍ଗପୁର, ରାୟଗଡା,କୋରାପୁଟ ସହିତ ପୋଡ଼ଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ସିଲେରୁ ଅଞ୍ଚଳର ଶହ ଶହ ଆୟପା ଭକ୍ତ ଯୋଗ ଦେଇଥିଲେ । ଏହି ପୂଜା ଦ୍ୱାରା ନିଜ ପରିବାରରୁ ରୋଗ ଓ ଦୁଃଖ କଷ୍ଟ ଦୂର ହୋଇ ସୁଖ ଶାନ୍ତିରେ ଭରି ଉଠିବା ସହିତ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ହେବ ବୋଲି ବିଶ୍ବାସ କରାଯାଏ। ଭକ୍ତମାନେ ପ୍ରଥମେ ମାଲକାନଗିରି ସହର ପରିକ୍ରମା କରିବା ପରେ ମଲ୍ଲିକେଶ୍ବର ପାହାଡ ନିକଟରେ ଆୟପା ସ୍ବାମୀଙ୍କୁ କ୍ଷୀର, ମହୁ, ଦହି, ଗଙ୍ଗାଜଳରେ ମହାଅଭିଷେକ କରିବା ସହ ଭଜନ କୀର୍ତ୍ତନ କରିଥିଲେ । ଶେଷରେ ଆୟପା ଭକ୍ତ ଓ ମା ଭବାନୀଙ୍କ ଭକ୍ତମାନେ ଜଳନ୍ତା ରଢ ନିଆଁରେ ଚାଲି ନିଜ ପରିବାରସହ ଅଞ୍ଚଳବାସୀଙ୍କ ଶୁଭ କାମନା କରିଥିଲେ । ଏହି ପୂଜା ଦେଖିବା ପାଇଁ ଶହ ଶହ ଦର୍ଶକଙ୍କ ଭିଡ଼ ଜମିଥିଲା। ଏହି ପୂଜା ବିଧି ବିଧାନ ବଡ଼ ବିଚିତ୍ର, ଗୁରୁସ୍ୱାମୀ ଭକ୍ତମାନେ ଦୀର୍ଘ ୪୫ ଦିନ ଧରି ଘର ଛାଡ଼ି ଜଙ୍ଗଲ ଓ ମନ୍ଦିରରେ ଖାଲି ପାଦରେ ରହି କଳା ରଙ୍ଗର ବସ୍ତ୍ର ପରିଧାନ କରି ଦିନକୁ ଥରେ ମାତ୍ର ଆହର କରି ବ୍ରତପାଳନ କରିଥାନ୍ତି। ସୂର୍ଯ୍ୟ ଉଦୟ ପୂର୍ବରୁ ନଦୀ କିମ୍ବା ପୋଖରୀ ଜଳରେ ସ୍ନାନ କରି ଆୟପାଙ୍କ ପୂଜାର୍ଚ୍ଚନା କରିଥାନ୍ତି।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲାକନଗିରି)