ମାଲକାନଗିରି ଜିଲ୍ଲା ଯୋଜନା ବୋର୍ଡର ପ୍ରଥମ ସମୀକ୍ଷା ବୈଠକ ।

ମାଲକାନଗିରି, ୧୦/୦୬(ପିପିଟି):ମାଲକାନଗିରି ଜିଲ୍ଲା ଯୋଜନା ବୋର୍ଡ (ଡିପିସି) ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ନରସିଂହ ମାଡ଼କାମୀଙ୍କ ଅଧ୍ୟକ୍ଷତାରେ ଆଜି ପ୍ରଥମ ଅଧିକୃତ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ବିଶେଷ କରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳ ତଥା ସ୍ୱାଭିମାନ ଅଞ୍ଚଳର ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ନେଇ ସବିଶେଷ ସମୀକ୍ଷା କରାଯାଇଛି। ସେତୁ ଯୋଜନା ଅନ୍ତର୍ଗତ ପୂର୍ବବର୍ତ୍ତୀ ବର୍ଷର ଖର୍ଚ୍ଚ ଏବଂ ବିଭିନ୍ନ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କରି ଅଧ୍ୟକ୍ଷ ଶ୍ରୀ ମାଡ଼କାମୀ ସ୍ୱାଭିମାନ ଅଞ୍ଚଳର ଯୁଦ୍ଧକାଳୀନ ବିକାଶ ପାଇଁ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ବିକାଶ କାର୍ଯ୍ୟରେ କୌଣସି ପ୍ରକାରର ଶିଥିଳତାକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ ଚେତାବନୀ ଦେଇଛନ୍ତି।ସମୀକ୍ଷା ସମୟରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସରକାରୀ ଅର୍ଥର ଅପବ୍ୟୟ ଓ ମନ୍ଥର ଗତିକୁ ନେଇ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ୱାଭିମାନ ଅଞ୍ଚଳର ବିକାଶ ପାଇଁ ୧୦୦ କୋଟି ଟଙ୍କା ଉପଲବ୍ଧ କରାଯାଇଥିବା ସତ୍ତ୍ୱେ ପୂର୍ବ ବର୍ଷରେ ସେଥିରୁ ମାତ୍ର ୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡ଼ିଛି। ଏହା ସହିତ ଗ୍ରାମ୍ୟ ଉନ୍ନୟନ (ଆର୍‌ଡି) ବିଭାଗ ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଶେଷ କରିନପାରି ପ୍ରାୟ ୩୩ କୋଟି ଟଙ୍କା ସରକାରଙ୍କୁ ଫେରସ୍ତ କରିଥିବା ତଥ୍ୟ ସାମ୍ନାକୁ ଆସିଛି। ବିକାଶ ପାଇଁ ଆସିଥିବା ଅର୍ଥ ଉପଯୁକ୍ତ ଭାବେ ଖର୍ଚ୍ଚ ନହୋଇ ଫେରିଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହି ଅଧ୍ୟକ୍ଷ ଶ୍ରୀ ମାଡ଼କାମୀ ସମ୍ପୃକ୍ତ ବିଭାଗ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି ଏବଂ ଆଗାମୀ ଦିନରେ ଏହାର ପୁନରାବୃତ୍ତି ନକରିବାକୁ ତାଗିଦ୍ କରିଛନ୍ତି।ସ୍ୱାଭିମାନ ଅଞ୍ଚଳର କାୟାକଳ୍ପ ବଦଳାଇବା ପାଇଁ ଅଧ୍ୟକ୍ଷ ଏକ ମେଗା ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ କହିଛନ୍ତି। ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ୧୮ଟି ପଞ୍ଚାୟତ ଏବଂ କୋରୁକୋଣ୍ଡା ବ୍ଲକର ନାକାମାମୁଡ଼ି ଗ୍ରାମ ପଞ୍ଚାୟତର ସମ୍ପୂର୍ଣ୍ଣ ଏବଂ ସର୍ବାଙ୍ଗୀନ ବିକାଶ ପାଇଁ ସେ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ସେ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଉଦ୍‌ବୋଧନ ଦେଇ କହିଛନ୍ତି, ୧୦୦ କୋଟିରୁ ଅଧିକ ଟଙ୍କାର ନୂଆ ପ୍ରକଳ୍ପ ପ୍ରସ୍ତୁତ କରି ଯୁଦ୍ଧକାଳୀନ ଗତିରେ କାମ ଆରମ୍ଭ କରନ୍ତୁ। ବିକାଶ କାର୍ଯ୍ୟ ପାଇଁ ଅର୍ଥର ଅଭାବ ରହିବ ନାହିଁ, ଯଦି ଆବଶ୍ୟକ ହୁଏ ସରକାରଙ୍କ ପାଖରୁ ଆହୁରି ଅଧିକ ଅର୍ଥ ଆଣିବା ତାଙ୍କର ବ୍ୟକ୍ତିଗତ ଦାୟୀତ୍ୱ।ସ୍ୱାଭିମାନ ଅଞ୍ଚଳର ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ପୂର୍ବ ଅପେକ୍ଷା ଅଧିକ ସକ୍ରିୟ ହେବାକୁ ପଡ଼ିବ ବୋଲି ସେ ମତ ଦେଇଛନ୍ତି।ଏହି ରୋଡ଼ମ୍ୟାପ ଅନୁଯାୟୀ, ଜିଲ୍ଲାର ପ୍ରତିଟି ଦୁର୍ଗମ ଅଞ୍ଚଳକୁ ମୁଖ୍ୟ ସ୍ରୋତ ସହ ଯୋଡ଼ିବା ଲାଗି ରାସ୍ତା, ସେତୁ, ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ କୃଷି ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ତୁରନ୍ତ ନୂତନ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିବାକୁ ସମସ୍ତ ବିଭାଗୀୟ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସ୍ୱାଭିମାନ ଅଞ୍ଚଳର ଚାଷୀମାନଙ୍କ ପାଇଁ ଜଳସେଚନ ଓ କୃଷିର ବିକାଶ ସହ ପ୍ରତିଟି ଗାଁକୁ ପକ୍କା ସଡ଼କ ଏବଂ ଶିକ୍ଷା ସ୍ୱାସ୍ଥ୍ୟ ସେବାର ସୁଧାର ଉପରେ ସର୍ବାଧିକ ପ୍ରାଧାନ୍ୟ ଦିଆଯାଇଛି।ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ସମେତ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ଦାଶରଥି ସରାବୁ ଏବଂ ଅନ୍ୟାନ୍ୟ ସମସ୍ତ ଲାଇନ ବିଭାଗର ବରିଷ୍ଠ ଅଧିକାରୀମାନେ ଏହି ହାଇ-ପ୍ରୋଫାଇଲ ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ। ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କଲେ ହିଁ ସ୍ୱାଭିମାନ ଅଞ୍ଚଳର ପ୍ରକୃତ ବିକାଶ ସମ୍ଭବ ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ନୂତନ ଅଧ୍ୟକ୍ଷଙ୍କ ଏଭଳି କଡ଼ା ଆଭିମୁଖ୍ୟ ଏବଂ ଯୁଦ୍ଧକାଳୀନ ବିକାଶର ନିର୍ଦ୍ଦେଶ ପରେ ଆଗାମୀ ଦିନରେ ସ୍ୱାଭିମାନ ଅଞ୍ଚଳରେ ପ୍ରଗତିର ଏକ ନୂଆ ଅଧ୍ୟାୟ ଆରମ୍ଭ ହେବ ବୋଲି ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ଆଶା ଓ ଉତ୍ସାହ ସୃଷ୍ଟି ହୋଇଛି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Comments (0)
Add Comment