ମାଲକାନଗିରି ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ ।

ମାଲକାନଗିରି,୧୦/୦୭(ପିପିଟି):ମାଲକାନଗିରି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଏକ ସବୁଜ ଏବଂ ସୁନ୍ଦର ପରିବେଶ ଗଠନ ଲକ୍ଷ୍ୟରେ ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ବନ ମହୋତ୍ସବ ବ୍ୟାପକ ଭାବେ ପାଳିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଓ ମାର୍ଗଦର୍ଶନରେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଛି । ଏହି ଅଭିଯାନରେ ବିଦ୍ୟାଳୟଗୁଡ଼ିକର ଇକୋ କ୍ଲବ୍ , ଜୁନିୟର ରେଡକ୍ରସ , ସ୍କାଉଟ୍ସ ଓ ଗାଇଡ୍ସ ର କ୍ୟାଡେଟ୍‌ମାନଙ୍କ ସମେତ ସାଧାରଣ ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ଉତ୍ସାହର ସହ ସାମିଲ ହୋଇଥିଲେ । ବିଦ୍ୟାଳୟ ପରିସର ଏବଂ ଏହାର ଆଖପାଖ ଅଞ୍ଚଳରେ ଶତାଧିକ ମୂଲ୍ୟବାନ ତଥା ଔଷଧୀୟ ଚାରା ରୋପଣ କରାଯାଇଛି । କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପାଣିଗ୍ରାହୀ କହିଛନ୍ତି ଯେ, ଆଗାମୀ ପିଢ଼ି ପାଇଁ ଏକ ସୁସ୍ଥ ଓ ସବୁଜ ପୃଥିବୀ ଗଠନ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ । ବିଦ୍ୟାଳୟ ସ୍ତରରୁ ହିଁ ପିଲାମାନଙ୍କ ମନରେ ପରିବେଶ ସୁରକ୍ଷା ଓ ବୃକ୍ଷରୋପଣ ପ୍ରତି ଆଗ୍ରହ ସୃଷ୍ଟି କରିବା ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ । ରୋପଣ କରାଯାଇଥିବା ଚାରାଗୁଡ଼ିକର ସୁରକ୍ଷା ଓ ପ୍ରତିପାଳନ ଦାୟିତ୍ୱ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ବଣ୍ଟନ କରାଯାଇଛି । ଏହି ବନ ମହୋତ୍ସବ କାର୍ଯ୍ୟକ୍ରମ ମାଲକାନଗିରି ଜିଲ୍ଲାର ଶିକ୍ଷା ବିଭାଗ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ସମାଜର ମିଳିତ ପ୍ରୟାସରେ ଏକ ଜଣ ଆନ୍ଦୋଳନର ରୂପ ନେଇଛି, ଯାହାକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଅଭିଭାବକ ମହଲରେ ବେଶ୍ ପ୍ରଶଂସା କରାଯାଇଛି ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Comments (0)
Add Comment