ମାଲକାନଗିରି ଜିଲ୍ଲାରେ ଶିଳ୍ପ ଉନ୍ନତି ଓ ଦକ୍ଷତା ବିକାଶକୁ ଗୁରୁତ୍ୱ ।

ମାଲକାନଗିରି, ୧୪/୦୮(ପିପିଟି):ମାଲକାନଗିରି ଜିଲ୍ଲାରେ ଶିଳ୍ପ ଉନ୍ନତି ଓ ଦକ୍ଷତା ବିକାଶକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି। ସରକାରୀ ଆଇ.ଟି.ଆଇ., ମାଥିଲି ଠାରେ ୪.୮ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ‘ଇଲେକ୍ଟ୍ରିକ୍ ଭେହିକିଲ୍ ଟେକ୍ନୋଲୋଜି ସେଣ୍ଟର ଅଫ୍ ଏକ୍ସିଲେନ୍ସ’ ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ। ଏହି ଅବସରରେ ମନ୍ତ୍ରୀ ଅନୁଷ୍ଠାନର ଶିକ୍ଷାଦାନ ଓ ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଏକ ଇଞ୍ଜିନିୟରିଂ ଡ୍ରଇଂ ଲାବ୍, ଅନଲାଇନ୍ କ୍ଲାସରୁମ୍ ଏବଂ ସମ୍ମିଳନୀ କକ୍ଷର ମଧ୍ୟ ଉଦଘାଟନ କରିଥିଲେ।
ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଆଇ.ଟି.ଆଇ. ମାଥିଲି, ଆଇ.ଟି.ଆଇ. ମାଲକାନଗିରି ଏବଂ ମାଲକାନଗିରି ସରକାରୀ ପଲିଟେକ୍ନିକର କାର୍ଯ୍ୟକଳାପ ଓ ତାଲିମ୍ ସୁବିଧା ନେଇ ଆଲୋଚନା କରାଯାଇଥିଲା। ପ୍ରତ୍ୟେକ ଅନୁଷ୍ଠାନର ଅଧ୍ୟକ୍ଷମାନେ ଶୈକ୍ଷିକ ଓ ତାଲିମ୍ ବିବରଣୀ ଉପସ୍ଥାପନ କରିଥିଲେ। ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ।ଏହାପରେ ମନ୍ତ୍ରୀ ଜିଲ୍ଲାର ଶିଳ୍ପ କାର୍ଯ୍ୟକଳାପ ସମ୍ପର୍କରେ ସମୀକ୍ଷା କରିଥିଲେ। ବୈଠକରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ମହାପ୍ରବନ୍ଧକ, ମାଲକାନଗିରି ଦୀପା ଟିମ୍ ଏବଂ ଇଡ଼କୋ ସଂସ୍ଥା ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଜିଲ୍ଲାରେ ଦକ୍ଷତା ବିକାଶ ଏବଂ ଶିଳ୍ପ ଇକୋସିଷ୍ଟମକୁ ଆହୁରି ସୁଦୃଢ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।ଏହି ଗସ୍ତ ସମୟରେ ମନ୍ତ୍ରୀଙ୍କ ସହ କୋରାପୁଟ ବିଧାୟକ ରଘୁରାମ ମାଛ ଏବଂ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Comments (0)
Add Comment