ମାଲକାନଗିରି,୨୨/୦୪(ପିପିଟି); ଆନ୍ଧ୍ର ଏବଂ ଛତିଶଗଡ ସୀମାନ୍ତକୁ ସଂଲଗ୍ନ କରୁଥିବା ମାଲକାନଗିରି ଜିଲ୍ଲାରେ ଧୀରେ ଧୀରେ କାୟା ବିସ୍ତାର କରୁଛି କରୋନା ମହାମାରୀ । ଦୀର୍ଘ ଦିନର ବ୍ଯବଧାନ ପରେ ପୁନଶ୍ଚ କରୋନାର ଦ୍ବିତୀୟ ଲହର ଅତି ଘାତକ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାରେ ପ୍ରଶାନର ଚରମ ଉଦାସୀନତା ଯୋଗୁଁ କରୋନା ସଂକ୍ରମଣ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଗତ କାଲି ଜିଲ୍ଲାରେ ୩୧ ଜଣ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଥିବା ବେଳେ ଆଜି ୧୬ ଜଣ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି । ବର୍ତ୍ତମାନ ୭୪ ଜଣ ସଂକ୍ରମିତ ହୋଇ ଚିକିତ୍ସାଧିନଥିବା ଜଣା ପଡିଛି । ଆଜି ୧୬ ଜଣ କରୋନା ସଂକ୍ରମିତଙ୍କ ମଧ୍ଯରୁ ମାଲକାନଗିରି ପୌରାଞ୍ଚଳରେ ୩ ଜଣ । ସେଥି ମଧ୍ଯରୁ ୱାର୍ଡ ନଂ-୮ରେ ଜଣେ, ୱାର୍ଡ ନଂ-୯ରେ ଜଣେ ଏବଂ ୱାର୍ଡ ନଂ-୧୦ରେ ଜଣେ । କୋରୁକୋଣ୍ଡା ବ୍ଲକର କୋରୁକୋଣ୍ଡା ଜିପିରେ ଜଣେ,କାଲିମେଲା ବ୍ଲକରେ ୩ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ତନ୍ମଧ୍ଯରୁ ଟିଗଲ, ଭେଙ୍କଟପଲ୍ଲମ ଏବଂ ବଦଲି ଜିପିରେ ଜଣେ ଲେଖାଏଁ ସଂକ୍ରମିତ ହୋଇଥିବା ଜଣା ପଡିଛି । ମାବକାନଗିରି ବ୍ଲକର ପେଦାୱାଡା ଜିପିରେ ଜଣେ କରୋନା ସଂକ୍ରମିତ ହୋଇଛି । ସେହିପରି ଖଇରପୁଟ ବ୍ଲକର ପରଖନମାଳାରେ ଜଣେ, ଗୋବିନ୍ଦପଲ୍ଲୀରେ ୨ ଜଣ, କଦମଗୁଡାରେ ୩ ଜଣ କରୋନାରେ ସଂକ୍ରମିତ । ବାଲିମେଳା ଏନ୍ଏସିରେ ଜଣେ କରୋନା ଯୋଦ୍ଧା କରୋନା ଦ୍ବାରା ସଂକ୍ରମିତ ହୋଇଥିବା ବେଳେ ଚିତ୍ରକୋଣ୍ଡା ବ୍ଲକର ଦୋରାଗୁଡା ଜିପିରେ ଜଣେ ସଂକ୍ରମିତ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି । ଅଦ୍ଯାବଧି ମୋଟ ୫,୩୩୫ କରୋନା ରୋଗୀ ମାଲକାନଗିରି ଜିଲ୍ଲାରେ ଚିହ୍ନଟ ହୋଇଥିବା ବେଳେ ମୋଟ ୫,୨୩୬ ଜଣ କରୋନା ରୋଗୀ ଆରୋଗ୍ଯ ଲାଭ କରିଛନ୍ତି । ବର୍ତ୍ତମାନ ୭୪ ଜଣ କରୋନା ରୋଗୀ କୋଭିଡ ହସପିଟାଲରେ ଚିକିତ୍ସାଧିନ ରହିଥିବା ବେଳେ ଜିଲ୍ଲାରେ ୨୫ ଜଣ ବ୍ଯକ୍ତି କରୋନାରେ ମୃତ୍ୟୁ ବରଣ କରିଛନ୍ତି । ଜିଲ୍ଲାରେ ଅନ୍ତରାଜ୍ଯ ବସ ଚଳାଚଳକୁ ବାତିଲ କରାଯାଇଥିଲେ ମଧ୍ଯ ଆନ୍ଧ୍ର ଏବଂ ଛତିଶଗଡକୁ ଦାଦନ ଶ୍ରମିକ ଭାବେ ଖଟିବାକୁ ଯାଇଥିବା ଲୋକମାନଙ୍କ ଦୈନିକ ମାଲକାନଗିରିକୁ ପ୍ରତ୍ଯାବର୍ତ୍ତନ କରୁଥିବା ଜଣା ପଡିଛି । ବର୍ତ୍ତମାନ ସଂଧ୍ଯା ୬ଟାରୁ ସକାଳ ୫ଟା ଯାଏଁ ଜିଲ୍ଲାରେ ନାଇଟ୍ କର୍ଫ୍ଯୁ ଘୋଷଣା କରାଯାଇଛି । ଭୋଜନାଳୟ, ଜଳଖିଆ ଦୋକାନ,ଚାହା ଦୋକାନ,କପଡା ଦୋକାନ,ତେଜରାତି ଦୋକାନ, ପନିପରିବା ଦୋକାନ ଆଦି ଅନ୍ଯାନ୍ଯ ଦୋକାନଗୁଡିକରେ ସାମାଜିକ ଦୂରତ୍ବ ଦେଖିବାକୁ ମିଳୁ ନଥିବା ବେଳେ ଦୋକାନୀମାନେ ସାନିଟାଇଜର ବ୍ଯବହାର ପ୍ରତି ଧ୍ଯାନ ଦେଉ ନଥିବା ଜଣା ପଡିଛି । କେହି କେହି ଅମାନିଆ ଲୋକେ ମୁହଁରେ ମୁଖା ପରିଧାନ କରୁନଥିବା ସତ୍ବେ ଦୋକାନୀ ବାରଣ କରୁନଥିବା ପରିଲିଖିତ ହେଉଛି । ଅନ୍ଯପକ୍ଷରେ କରୋନା ସଂପର୍କରେ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ପୂର୍ବ ଭଳି ଜନ ସଚେତନତାକୁ ଅଧିକ ଗୁରୁତ୍ବ ଦେଇ ପ୍ରଚାର ପ୍ରସାର କରିବାରେ ଶୀଥିଳତା ଦେଖା ଦେଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)