ମାଲକାନଗିରିର ବଣ୍ଡା ଝିଅ କରିବ ବିଦେଶ ଯାତ୍ରା ।

ମାଲକାନଗିରି,୧୫/୦୪(ପିପିଟି):ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ବଣ୍ଡା ଘାଟିର ବାପ ମାଆ ଛେଉଣ୍ଡ ଝିଅ ବୁଦ୍ରୀ କିର୍ସାନୀ ବର୍ତ୍ତମାନ ବିଦେଶ ଯାତ୍ର କରିବା ପାଇଁ ମନୋନିତ ହୋଇଥିବା ଜଣାପଡିଛି । କେବେ ରେଳଗାଡିରେ ବସିନଥିବା ଝିଅ ଯାଇନଥିବା ଏହି ଆଦିବାସୀ ଝିଅ ଏବେ ଉଡାଜାହାଜରେ ବସି ଦୁବାଇରେ ପହଞ୍ଚିବ । ଏହା ସ୍ବପ୍ନ ପରି ମନେ ହେଉଥିଲେ ମଧ୍ଯ ଘଟଣାଟି ସତ୍ଯ । ସେଠାରେ ପହଞ୍ଚି ବୈଷୟିକ ଶିକ୍ଷା ଓ ଜ୍ଞାନ କୌଶଳ ସଂପର୍କରେ ପ୍ରତ୍ଯକ୍ଷ ଜ୍ଞାନ ଅର୍ଜନ କରିବାର ସୁଯୋଗ ରହିଛି। ଏଥି ପୀଇଁ ବୁଦ୍ରୀ ମନରେ ଉତ୍ସାହ ଓ ଉଦ୍ଦିପନା ଉଦ୍ରେକ ହୋଇଛି ।
ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ଦୁର୍ଗମ ବଣ୍ଡାଘାଟି ନିକଟସ୍ଥ ଦାନ୍ତିପଡ଼ା ଗ୍ରାମରେ ବୁଦ୍ରି କ୍ରୀସାନିଙ୍କ ଜନ୍ମ । ଶୈଶବରୁ ପିତା ହାଡି କିର୍ସାନୀ ଓ ମାତା ଆଦିବାରୀଙ୍କ ଦେହାନ୍ତ ପରେ ପିତା ମାତାଙ୍କୁ ହରାଇ ପାଞ୍ଚ ଭଉଣୀ ଅନାଥ ହୋଇଥିଲେ । ବୁଦ୍ରୀଙ୍କ ପାଠ ପଢ଼ାର ଆଗ୍ରହ ଦେଖି ବଡ଼ ଭଉଣୀମାନେ ବୁଦ୍ରୀକୁ ପାଠ ପଢ଼ାଇବା ପାଇଁ ଅଣ୍ଟା ଭିଡିଥିଲେ।କଠିନ ପରିଶ୍ରମ କରି ପେଟ ପ୍ରତିରେୀଷଣ ସହ ବୁଦ୍ରୀକୁ ନିକଟସ୍ଥ କଦମଗୁଡା ପ୍ରାଥମିକ ବିଦ୍ଯାଳୟରେ ନାମ ଲେଖାଇଥିଲେ । ପରେ ଏମଭି -୨୭ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ବୁଦ୍ରୀ ଉତ୍ତୀର୍ଣ୍ଣ ହେଲା ପରେ ଅର୍ଥ ଅଭାବରୁ କଲେଜରେ ନାମ ନ ଲେଖାଇ ମାଲକାନଗିରି ସଦର ମହକୁମା ସ୍ଥିତ ସରକାରୀ ଆଇଟିଆଇରେ ନାମ ଲେଖାଇଥିଲେ । ସେ ଏଠାରେ ରହି ଇଲେକ୍ଟୋନିକ୍ସ ମେକାନିକାଲରେ ଅଧ୍ଯୟନରତ । ବର୍ତ୍ତମାନ ଇପିକଲ୍ ସଂସ୍ଥା ପକ୍ଷରୁ ଆସନ୍ତା ମଇ ୧୫ ତାରିଖରେ ଦୁବାଇରେ ହେବାକୁ ଥିବା ବୈଷୟିକ ଶିକ୍ଷା ବିନିମୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଓଡିଶାରୁ ୫ ଜଣ ଛାତ୍ରଛାତ୍ରୀଙ୍କୁ ମନୋନିତ କରାଯାଇଛି । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏଥିଲାଗି ଓଡ଼ିଶାର ମାଲକାନଗିରିରୁ ବୁଦ୍ରୀ କିର୍ସାନୀ, ରାଉରକେଲାରୁ ହିମାଂଶୁ ଶେଖର ସାହୁ,ମୟୁରଭଞ୍ଜରୁ ଭାଗ୍ଯସ୍ମିତା ସାହୁ, ବ୍ରହ୍ମପୁରରୁ ଅପସାରାଣୀ ବେହେରାଏବଂ ଯାଜପୁରରୁ ବଳରାମ ରାଉତଙ୍କୁ ଚୟନ କରିଛି । ସେମାନଙ୍କ ମଧ୍ୟରୁ ମାଲକାନଗିରି ସରକାରୀ ଆଇଟିଆଇରୁ ବୁଦ୍ରି କିର୍ସାନୀ ଦୁବାଇ ଯିବାକୁ ମନୋନିତ ହୋଇଥିବା ଜଣାପଡିଛି । ସେଥିପାଇଁ ଶିଳ୍ପ ତାଲିମ କେନ୍ଦ୍ର ଓ ଇପିକଲ ସଂସ୍ଥା ପକ୍ଷରୁ ବୁଦ୍ରୀ ପାଇଁ ଭିସା ଓ ପାସପୋର୍ଟ ବ୍ଯବସ୍ଥା କରାଯାଇଛି। ବୁଦ୍ରୀ ମେ’ ମାସ ୧୫ ତାରିଖରେ ଦୁବାଇ ଯାତ୍ରା କରି ୨୨ ତାରିଖରେ ଭାରତ ଫେରିବାର କାର୍ଯ୍ୟକ୍ରମ ରହିଛି। ଦୁର୍ଗମ ବଣ୍ଡା ଘାଟିରୁ ଜଣେ ଆଦିମ ବଣ୍ଡା ଜନଜାତିର ଝିଅ ବିଦେଶ ଯାତ୍ରା ଖବର ପ୍ରଚାରିତ ହେବା ପରେ ସର୍ବତ୍ର ଆନନ୍ଦର ଲହରୀ ଖେଳି ଯାଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment