ମାଲକାନଗିରିରେ ୮୦ ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ।

ମାଲକାନଗିରି,୦୪/୦୮(ପିପିଟି):ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ୮୦ ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ନିର୍ଦ୍ଦେଶ କ୍ରମେ ଆୟୋଜିତ ଏହି ବୈଠକରେ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ଆଗାମୀ ସ୍ୱାଧୀନତା ଦିବସକୁ କିଭଳି ଶୃଙ୍ଖଳିତ ଓ ଆଡମ୍ବରପୂର୍ଣ୍ଣ ଭାବେ ପାଳନ କରାଯିବ, ସେ ନେଇ ବ୍ୟାପକ ଆଲୋଚନା କରିଛନ୍ତି। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥୀ ସରାବୁ, ଉପ ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ଏବଂ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଆର କେ ଦାସ ପ୍ରମୁଖ ମଞ୍ଚାସୀନ ଥିଲେ। ବୈଠକ ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ ଚଳିତ ବର୍ଷର କାର୍ଯ୍ୟକ୍ରମ ରୂପରେଖ ଉପସ୍ଥାପନ କରିବା ସହ ବୈଠକରେ ଉପସ୍ଥିତ ସଭ୍ୟମାନଙ୍କର ପ୍ରସ୍ତାବ ଲୋଡ଼ିଥିଲେ।
ଏହି ବୈଠକର ନିଷ୍ପତ୍ତି ଅନୁଯାୟୀ, ୮୦ ତମ ସ୍ୱାଧୀନତା ଦିବସ ସକାଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସହରରେ ରାମଧୂନ ସଂଗୀତ ପରିବେଷଣ କରାଯିବ। ସକାଳ ୭.୩୦ ମିନିଟ୍‌ ଠାରୁ ୮.୦ ଟା ମଧ୍ୟରେ ଜିଲ୍ଲାର ପ୍ରତ୍ୟେକ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ କରାଯିବ। ସ୍ଥାନୀୟ ଡି.ଏନ୍‌.କେ. ଖେଳ ପଡ଼ିଆଠାରେ ଆୟୋଜିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥି ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପରେଡ୍‌ରେ ଅଭିବାଦନ ଗ୍ରହଣ କରିବେ। ଏହା ସହିତ ସ୍କୁଲ ଓ କଲେଜ ସ୍ତରର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯିବା ସହ ଜିଲ୍ଲାରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ଟପ୍ପର ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯିବାର ବ୍ୟବସ୍ଥା ହୋଇଛି।

ଅଗଷ୍ଟ ମାସରେ ପଡୁଥିବା କ୍ରାନ୍ତି ଦିବସ ଓ ବିଶ୍ୱ ଜନଜାତି ଦିବସ ଅବସରରେ ଜିଲ୍ଲାର ସମସ୍ତ ବ୍ଲକ ଏବଂ ଗ୍ରାମ ପଞ୍ଚାୟତରେ ଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପାଇଁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି। ଚଳିତ ବର୍ଷର ଏହି ୮୦ ତମ ସ୍ୱାଧୀନତା ଦିବସ କୁ ଅଧିକ ବ୍ୟାପକ ଓ ସଫଳ କରିବା ପାଇଁ ସମସ୍ତ ସମ୍ପୃକ୍ତ ବିଭାଗକୁ ନିଜ ନିଜର ଦାୟିତ୍ୱ ଠିକ୍ ସମୟରେ ତୁଲାଇବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି।ବୈଠକରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ପୋଲିସ ବିଭାଗ ଓ ସ୍ଵେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟ ଉପସ୍ଥିତ ଥିଲେ ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Comments (0)
Add Comment