ମାଲକାନଗିରିରେ ୧୫୬ ତମ ଗାନ୍ଧି ଜୟନ୍ତୀ ପାଳିତ ।

ମାଲକାନଗିରି, ୦୨/୧୦(ପିପିଟି) :ମାଲକାନଗିରି ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସଦର ମହକୁମା ସ୍ଥିତ ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟାଳୟ ପରିସରରେ ୧୫୬ ତମ ଗାନ୍ଧି ଜୟନ୍ତୀ ପାଳନ କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଯୋଗ ଦେଇ ମାଲ୍ୟାର୍ପଣ ସହ ମହାତ୍ମାଙ୍କ ସ୍ମୃତିଚାରଣ କରିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ, ସୋମନାଥ ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ନରେଶ ଚନ୍ଦ୍ର ଶବର, ତହସିଲଦାର ଲଳିତ ବାଘ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ତେରେସ୍କଭା ମଲ୍ଲିକ, ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତ୍ରାସ ନାରାୟଣ ପଣ୍ଡା, ମୁଖ୍ୟ ବକ୍ତା ଭାବେ ଡ଼ା ଧନେଶ୍ଵର ମହାପାତ୍ର ଯୋଗ ଦେଇଥିଲେ । ମହାତ୍ମା ଗାନ୍ଧୀ ଅହିଂସା ମାର୍ଗରେ ବ୍ରିଟିଶମାନଙ୍କ କବଳରୁ ଭାରତକୁ ସ୍ବାଧୀନ ଦେଇଥିଲେ । ସେ ଥିଲେ ସତ୍ୟ ଓ ଅହିଂସାର ପୂଜାରୀ । ମହାତ୍ମାଗାନ୍ଧି ସ୍ବଚ୍ଛତାକୁ ପ୍ରାଧାନ୍ୟ ଦେବା ସହ ନିଶାମୁକ୍ତ ସମାଜ ଗଠନ ଲାଗି ବହୁ ସାମାଜିକ କାର୍ଯ୍ୟ ନିର୍ବାହ କରିଥିଲେ। ଏହି ବ୍ୟତୀତ ଆଖପାଖ ପରିସର ଯେପରି କି ଘର ପରିସର, ସ୍କୁଲ, ଅଫିସ ପରିସରକୁ ସ୍ବଚ୍ଛ ରଖିବା , ଗରିବମାନଙ୍କୁ ସହଯୋଗ କରିବା ଆଦି ଛୋଟ ଛୋଟ ପ୍ରୟାସ କରି ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଅତିଥିମାନେ ପରାମର୍ଶ ପ୍ରଦାନ କରିଥିଲେ। ସେହିପରି ଗାନ୍ଧିଜୀଙ୍କ ଅଂହିସା, ସତ୍ୟ ଓ ଶାନ୍ତି ମାର୍ଗରେ ଅନୁପ୍ରାଣିତ ହେବା ପାଇଁ ଛାତ୍ରଛାତ୍ରୀଙ୍କୁ ଆହ୍ଵାନ କରଯାଇଥିଲା । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ପ୍ରମିଳା ମାଝୀ ସ୍ବାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସରୋଜ ଦାସ ଓ ଲାଲୁ ତୁଷାର ପାଣି ଉପସ୍ଥିତ ରହି ସର୍ବଧର୍ମ ପ୍ରାର୍ଥନା କରିଥିଲେ। ଜବାହର ନବୋଦୟ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଗାନ୍ଧିଜୀଙ୍କ ପ୍ରିୟ ଆଶ୍ରମ ଭଜନ ବୈଷ୍ଣବ ଜନତୋ ଓ ରଘୁବତି ରାଘବ ରାଜାରାମ ପରିବେଷଣ କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ମନସ୍ଵୀ ସେଠୀ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ସ୍ବାଇଁ ଓ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଆୟୋଜନ କରିବାରେ ହରେକୃଷ୍ଣ କିର୍ତ୍ତନିଆ ଓ ରଞ୍ଜନ ମହାନ୍ତି ସହଯୋଗ କରିଥିଲେ।
ଏହି ଦିବସରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ସ୍ୱଚ୍ଛତା ଦିବସ ପାଳନ କରାଯାଇଛି। ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅଧିନରେ ସର୍ବଶ୍ରେଷ୍ଠ ଏମବିକେ, ସିଆରପି, ବିପିଏମ୍ ଙ୍କ ସମେତ ବିଡିଓଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment