ମାଲକାନଗିରି, ୧୪/୦୪(ପିପିଟି) :ଭାରତରତ୍ନ ଡ଼ଃ ଭୀମରାଓ ଆମ୍ବେଦକରଙ୍କ ୧୩୨ତମ ଜୟନ୍ତୀ ସମାରୋହ ମାଲକାନଗିରିରେ ପାଳିତ ହୋଇଯାଇଛି। ପୂର୍ବାହ୍ନ ସାଢେ଼ ଆଠଟା ସମୟରେ ସ୍ଥାନୀୟ ବସ୍ ଷ୍ଟାଣ୍ଡ ପରିସରରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଅତିରିକ୍ତ ଜିଲ୍ଲାପାଳ,ରାଜସ୍ୱ, ବେଦବର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ନିୟୋଜନ ଅଧିକାରୀ, ମନସ୍ୱୀ ସେଠୀ, ଜିଲ୍ଲା ଯୁବ ଅଧିକାରୀ, ହରିଶ ରୁପଲ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ପ୍ରମିଳା ମାଝୀ ଉପସ୍ଥିତ ରହି ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସତ୍ୟ ନାରାୟଣ ମହାବିଦ୍ୟାଳୟର ଛାତ୍ରମାନେ ଉପସ୍ଥିତ ରହି ବାବା ସାହେବ ଆମ୍ବେଦକରଙ୍କ ସ୍ମୃତିରେ ଜୟଗାନ କରିଥିଲେ। ମାଲ୍ୟାର୍ପଣ ପରେ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ବାବା ସାହେବ ଆମ୍ବେଦକର ଜଣେ ଶିକ୍ଷାବିତ୍, ଜଣେ ସମାଜ ସଂସ୍କାରକ ତଥା ଏକାଧାରରେ ବହୁ ପ୍ରତିଭାର ଅଧିକାରୀ ଥିଲେ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରକାଶ କରିଥିଲେ। ନିଜର ଅସାଧାରଣ ଜ୍ଞାନ ପାଇଁ ପୃଥିବୀର ସର୍ବ ବୃହତ୍ ଲିଖିତ ସମ୍ବିଧାନର ଜନକ ରୂପେ ସାରା ବିଶ୍ୱରେ ପରିଗଣିତ ହୋଇପାରିଛନ୍ତି ବୋଲି ମଧ୍ୟ ସେ କହିଥିଲେ। ଦଳିତ ଓ ପଛୁଆ ବର୍ଗଙ୍କ ଅଧିକାର ପାଇଁ ଲଢିଥିଲେ। ଯେତେବେଳେ ବହୁ ବିକଶିତ ରାଷ୍ଟ୍ର ନାରୀ ମାନଙ୍କୁ ମତଦାନର ଅଧିକାର ଦେଇ ପାରିନଥିଲେ, ସେହି ସମୟରେ ବାବା ସାହେବଙ୍କ ନେତୃତ୍ୱରେ ଭାରତୀୟ ମହିଳା ମାନେ ଭୋଟ ଦେଇ ଗଣତନ୍ତ୍ର ପ୍ରକ୍ରିୟାରେ ନିଜର ଅଧିକାର ସାବ୍ୟସ୍ତ କରି ପାରିଥିଲେ। ସର୍ବପରି ଭାରତୀୟ ସମାଜରେ ରହିଥିବା କୁସଂସ୍କାରକୁ ଦୂର କରିବା ପାଇଁ ଜୀବନବ୍ୟାପୀ ଚେଷ୍ଟା କରିଥିଲେ। ଅନ୍ୟ ଅତିଥି ମାନେ ମଧ୍ୟ ବାବା ସାହେବଙ୍କ ସ୍ମୃତିଚାରଣ କରି ଛାତ୍ରୀମାନଙ୍କୁ ଅନୁପ୍ରାଣୀତ କରିଥିଲେ। ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଦୁଷ୍ମନ୍ତ ଜେନା ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିବାରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗର ହରେକୃଷ୍ଣ କିର୍ତ୍ତନିଆ, ରଞ୍ଜନ ମହାନ୍ତି ଓ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କର୍ମଚାରୀ ସହଯୋଗ କରିଥିଲେ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)