ମାଲକାନଗିରି,ତା:୨୫/୦୯(ପିପିଟି); ଆଜି ବି ମାଲକାନଗିରି ଜିଲ୍ଲାର ଦୁର୍ଗମ ଅଞ୍ଚଳକୁ ଗମନାଗମନର ସୁବିଧା ନାହିଁ । ରାସ୍ତା ନଥିବାରୁ କେବେ ଜନନୀ ଯନ୍ତ୍ରଣା ପାଇ ମରଣକୁ ବରଣ କରୁଥିବା ବେଳେ ମୁର୍ମୂଷୁ ରୋଗୀ ମଧ୍ଯ ସ୍ବାସ୍ଥ୍ଯ କେନ୍ଦ୍ରକୁ ଆସି ନପାରି ଅଧାବାଟରେ ଆଖି ବୁଜି ଦିଏ । ଆଜି ମଧ୍ଯ ମାଲକାନଗିରି ବିକାଶର ବହୁ ପଛରେ । ଆଜି ଯନ୍ତ୍ରଣାରେ ଛଟପଟ ହୋଇ ପୁଣି ଭାରରେ ବୁହା ହେଲେ ପ୍ରସୂତି। ଏପରି ହୃଦୟ ବିଦାରକ ଦୃଶ୍ୟପଟ୍ଟ ଦେଖିବାକୁ ମିଳିଛି, ମାଲକାନଗିରି ଜିଲ୍ଲାର କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନିଳାକାମ୍ବେରୁ ପଞ୍ଚାୟତ ନିକଟସ୍ଥ ଦୁର୍ଗମ ଅଞ୍ଚଳ ପାଡାଲପୁଟ ଗ୍ରାମରେ । ଏହି ଗ୍ରାମର ଦେବକୀ ମୁଦୁଲି ୨୭ ବର୍ଷ , ଆଜି ତାଙ୍କୁ ପ୍ରସବ ବେଦନା ହେବାରୁ ତାଙ୍କ ସ୍ୱାମୀ ଧନ ମୁଦୁଲି ଏବଂ ପରିବାର ବର୍ଗ ସହ କିଛି ଗ୍ରାମବାସୀ ଭାରରେ ବୋହି ଆଣିଲେ ଦୀର୍ଘ ୬ କିଲୋମିଟର ପାହାଡ଼ର ଆବୁଡା ଖାବୁଡା ରାସ୍ତାରେ । ପାହାଡ ଉପରୁ ବୋହି ଆଣୁଥିବା ବେଳେ ଯନ୍ତ୍ରଣା ବେଶି ହେବା ଫଳରେ ପ୍ରସୂତୀ ଦେବକୀ ଏକ କନ୍ୟା ସନ୍ତାନକୁ ପଥ ପ୍ରାନ୍ତରେ ଜନ୍ମ ଦେଲେ। ପରେ ଖବର ପାଇ ପାହାଡ଼ ତଳେ ଆସି ୧୦୮ ଆମ୍ବୁଲାନ୍ସ ଏବଂ ଆଶା ଦିଦି ଆସି ଅପେକ୍ଷା କରିଥିଲେ। ପରେ ସେଠାରୁ ତାଙ୍କୁ ବାଲିମେଳା ଆଞ୍ଚଳିକ ସ୍ୱାସ୍ଥ୍ୟକେନ୍ଦ୍ର କୁ ଅଣାଯାଇଥିଲା।ବର୍ତ୍ତମାନ ମା ଏବଂ ଶିଶୁ କନ୍ୟାର ଅବସ୍ଥା ଠିକ ଥିବା ଜଣାପଡି ଥିବା ବେଳେ ବହୁ ଆଦିବାସୀ ଗ୍ରାମକୁ ଆଜି ମଧ୍ଯ ଗମନା ଗମନର ସୁବିଧା ନଥିବାରୁ ଏପରି ସମସ୍ୟା ବାରମ୍ବାର ଉପୁଜିଥିବା ଜଣା ପଡିଛି । (ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)