ମାଲକାନଗିରି,୨୦/୦୯(ପିପିଟି): ବହୁ ଚର୍ଚ୍ଚିତ ମାରିୱାଡା ଆଶ୍ରମ ସ୍କୁଲର ଅବ୍ଯବସ୍ଥା ପାଇଁ ମାଲକାନଗିରି ଜିଲ୍ଲାପାଳ ବିଶାଳ ସିଂ ଆଜି ୨ ଜଣ ଶିକ୍ଷକଙ୍କୁ କାର୍ଯ୍ଯରୁ ନିଲମ୍ବିତ କରିଥିବା ବେଳେ ୨ ଜଣ ଶିକ୍ଷକଙ୍କୁ ବଦଳି ଅନ୍ଯତ୍ର ବଦଳି କରିଛନ୍ତି । ସେହି ପରି କୋରୁକୋଣ୍ଡା ଡବ୍ଲୁଇଓଙ୍କୁ ମଧ୍ଯ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ପ୍ରକାଶ ଥାଉ କି ଗତ ସେପ୍ଟେମ୍ବର ୩ ତାରିଖ ସକାଳେ କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ମାରିୱାଡା ଆଶ୍ରମ ବିଦ୍ୟାଳୟରେ ଦୀର୍ଘଦିନ ଧରି ଅବ୍ୟବସ୍ଥା ଲାଗି ରହିଥିବା ଯୋଗୁଁ ସେହି ଆଶ୍ରମ ସ୍କୁଲର ପାଚେରୀ ଡେଇଁ ୧୫ ରୁ ୨୦ ଜଣ ଛାତ୍ର ମାରିୱାଡା ଗ୍ରାମରୁ ମାଲକାନଗିରି ଜିଲ୍ଲାପାଳଙ୍କୁ ସାକ୍ଷାତ କରିବା ପାଇଁ ଆସିଥିଲେ । ଛାତ୍ରମାନେ ଜିଲ୍ଲାପାଳଙ୍କୁ ଭେଟିବା ପୂର୍ବରୁ ଜିଲ୍ଲା ମଙ୍ଗଳ ଅଧିକାରୀ କୃପାସିନ୍ଧୁ ବେହେରା ତାଙ୍କ କାର୍ଯ୍ଯାଳୟକୁ ପିଲାମାନଙ୍କୁ ଡାକି ସମସ୍ତ ଆପତ୍ତି ଅଭିଯୋଗ ଶୁଣିଥିଲେ ।ଛାତ୍ରମାନଙ୍କ ଅଭିଯୋଗ ଅନୁସାରେ ଉକ୍ତ ଆଶ୍ରମ ସ୍କୁଲରେ ଖାଦ୍ଯ ପଦାର୍ଥ ଠିକରେ ପ୍ରଦାନ କରାଯାଉ ନଥିବା,କେବେ କେବେ ଭାତ ନିଅଣ୍ଟ ପଡୁଥିବା,ପିଲାମାନଙ୍କପ ପାଣିଆ ଦିଆ ଯାଉଥିବା,ଡାଲମାରେ କେବେ ମଧ୍ଯ ପନି ପରିବା ପଡୁନଥିବା ଅଭିଯୋଗ କରିଥିଲେ । ଏ ବ୍ଯତୀତ ସେହି ସ୍କୁଲର ଚାଉଳକୁ ହଷ୍ଟେଲ ପରିଚାଳିକା ରଞ୍ଜିତା ବେହେରା ୩ ଥର ବିକ୍ରି କରିଥିବା ପିଲାମାନେ ଅଭିଯୋଗ କରିଥିଲେ । ତିନି ମାସ ତଳେ ୪୨ ବସ୍ତା ଏବଂ ଗତ ୨୩ ତାରିଖରେ ୨୦ ବସ୍ତା ବିକ୍ରି ଛାତ୍ରମାନେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଅବଗତ କରାଇଥିଲେ । ଆଶ୍ରମ ସ୍କୁଲରେ ଖାଇବା ବ୍ଯବସ୍ଥା ଠିକ ନାହିଁ । ଶିକ୍ଷକ ଶ୍ରୀକୁମାର ଦୋରାଙ୍କ ଛୁଆଙ୍କୁ ଛାତ୍ରମାନଙ୍କୁ ଧରିବାକୁ ବାଧ୍ଯ କରିବା ଅଭିଯୋଗ ହୋଇଥିଲା । ଜିଲ୍ଲା ମଙ୍ଗଳ ଅଧିକାରୀ କୃପାସିନ୍ଧୁ ବେହେରା ଛାତ୍ରମାନଙ୍କ ସମସ୍ତ ଅଭିଯୋଗ ଶୁଣିଲା ପରେ ତଦନ୍ତ ପ୍ରକ୍ରିୟା ଜିଲ୍ଲାପାଳ ବିଶାଳ ସିଂଙ୍କ ନିର୍ଦ୍ଦେଶରେ ଆରମ୍ଭ ହୋଇଥିଲା ।ଏହି ଘଟଣା ବିଭିନ୍ନ ମାଧ୍ଯମର ଶୀରୋନାମା ପାଲଟିଥିଲା ।
ତଦନ୍ତ ପରେ ୨ ଜଣଙ୍କୁ କାର୍ଯ୍ଯରୁ ବିଳମ୍ବିତ କରାଯାଇଥିବା ବେଳେ ୨ଜଣଙ୍କୁ ଅନ୍ଯତ୍ର ବଦଳି କାଯାଇଛି । ସହକାରୀ ଶିକ୍ଷୟିତ୍ରୀ ତଥା ହଷ୍ଟେଲ ପରିଚାଳିକା ରଞ୍ଜିତା ବେହେରାଙ୍କୁ ନିଳମ୍ବିତ କରାଯାଇଥିବା ବେଳେ ତାଙ୍କୁ ଖଇରପୁଟ ତହସିଲ କାର୍ଯ୍ଯାଳୟରେ ସବୁ ଦିନ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ହୋଇଛି ।ରଞ୍ଜିତା ବେହେରା ଛାତ୍ରଛାତ୍ରୀଙ୍କ ଚାଉଳ ବାହାରେ ବିକ୍ରି କରିବା ଘଟଣା ସତ୍ଯ ହୋଇଛି । ଶିକ୍ଷକ ଶ୍ରୀକୁମାର ଦୋରାଙ୍କୁ ନିଳମ୍ବିତ କରା ଯାଇ ତାଙ୍କୁ ପଡିଆ ବ୍ଲକ୍ କାର୍ଯ୍ଯାଳୟରେ ଦୈନିକ ଉପସ୍ଥତ ରହିବାକୁ ନିର୍ଦ୍ଦେଶ କରାଯାଇଛି । ଶ୍ରୀ ଦୋରା ଛାତ୍ରମାନଙ୍କୁ ଅପବ୍ଯବହାର କରି ଆଶ୍ରମ ବିଦ୍ଯାଳୟ ପାଚେରୀ ଡିଆଁଇବାରେ ଜିଲ୍ଲାପାଳଙ୍କ ନିକଟକୁ ପଠାଇବା ସହ ନିଜ ଛୁଆକୁ ଛାତ୍ରଛାତ୍ରୀଙ୍କୁ ଧରିବାକୁ ବାଧ୍ଯ କରୁଥିଲେ । ସେହି ପରି ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ଭଗବାନ ନାୟକ ଜଣେ ଅପାରଗ ପ୍ରଧାନ ଶିକ୍ଷକ ହେତୁ ତାଙ୍କ ପ୍ରଧାନ ଶିକ୍ଷକ ପଦବୀକୁ ଡିମୋସନ କରାଯାଇଛି । ବର୍ତ୍ତମାନ ତାଙ୍କୁ ସହକାରୀ ଶିକ୍ଷକ ଭାବେ ବଡପଡାକୁ ବଦଳି କରାଯାଇଛି । ସେହିପରି ଶିକ୍ଷକ ପ୍ରଦୀପ କୁମାର ସେଠୀଙ୍କୁ ମୁଦୁଲି ପଡାକୁ ବଦଳି କରାଯାଇଛି । କୋରୁକୋଣ୍ଡା ବ୍ଲକ ଡବ୍ଲୁଓ ପ୍ରଶାନ୍ତ କୁମାର ବାଉରୀଙ୍କୁ ଏହି ଘଟଣା ପାଇଁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।
ନୂତନ ଭାବେ ମାରିୱାଡା ଆଶ୍ରମ ବିଦ୍ଯାଳୟରେ ଅଭୟ ମହାନ୍ତି, ଆଶାଲତା ସାହୁ ଏବଂ ମୃତ୍ଯୁଞ୍ଜୟ ମଣ୍ଡଳଙ୍କୁ ନିଯୁକ୍ତି ଦିଆଯାଇଛି । ଜିଲ୍ଲାପାଳଙ୍କ ଏହି ପଦକ୍ଷେପକୁ ଅଭିଭାବକ ମହଲରେ
ଭୂୟସୀ ପ୍ରଶଂସା କରାଯାଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)