ପୁଳାଏ ମାଉଁସ ହାଡ ଦୁଇ ଖଣ୍ଡି
ଧରି କି କରିବ ଗର୍ବ…
ଆଞ୍ଜୁଳେ ରକତ ବହେ ଝର ପରି
ଆପାଦ ମସ୍ତକ ସର୍ବ….!!
ପ୍ରତି ପଲକରେ ପବନ ଚାଳିତ
ପିଣ୍ଡକୁ କରେ ଜୀବନ୍ତ ….
ନିଃଶ୍ବାସ ପ୍ରଶ୍ବାସ ନାମ ବହିଅଛି
ପ୍ରାଣ ବାୟୁଟି କଥିତ…..!!
ତୃଷ୍ଣା ହେଲେ ଜଳ କ୍ଷୁଦା ହେଲେ ଫଳ
ଖାଇଣ ଜୀବିତ ପ୍ରାଣ….
ଅଢେ଼ଇ ଦିନକୁ ଆସିଛୁ ମର୍ତ୍ତ୍ୟକୁ
କିମ୍ପା କରୁ ଗରଜନ…!!
ଜୀବନଟା ସତେ ଜଳ ବିମ୍ବ ସମ
ଫାଟିଲେ ପାଇବୁ ନାହିଁ….
ଚିର ନିଦ୍ରା ଗଲେ ଉଠି ପାରିବୁ ନି
ଅହଂକାର ଏତେ କାହିଁ…?
ଅଳପ ଦିନକୁ ଆସୁଛୁରେ ମନ
ଲତାରେ କୁସୁମ ସମ…
ସକାଳେ ବିକଶି ସଞ୍ଜେ ଝଡି ଯାଏ
ସେମିତି ଜୀବନ ଧନ…!!
ଅଦୃଶ୍ଯେ ଉଡୁଛି ସେ କାଳ ଛଞ୍ଚାଣ
ଝାମ୍ପିନେବ ପ୍ରାଣ ପକ୍ଷୀ….
କାହା ପାଇଁ ବିତ୍ତ ସାଇତି ରଖିଛୁ
କେଉଁ ସୁଖ ଶିରୀ ଦେଖି…?
ପର ତଣ୍ଟି କାଟି ପର ଧନ ଲୁଟି
ନିଜର କରିଛୁ ଯେତେ….
ଗଲା ବେଳେ କିଛି ସଙ୍ଗତେ ଯିବ ନି
ମାୟାରେ ଭ୍ରମିତ ଏତେ…!!
ସତ୍ୟ ଶାନ୍ତି ସେବା ନ୍ୟାୟ ଆଦି ଧର୍ମ
କର୍ମରେ ବିତା ତୁ ଦିନ….
ପୂଜିତ ବନ୍ଦିତ ହେବୁ ସଦାକାଳେ
ଧନ୍ଯ ହେବ ତୋ ଜୀବନ…!!
(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନଂ:୯୪୩୭୭୭୯୪୪୭