ମାନବବାଦୀ ହେତୁବାଦୀ ସଙ୍ଗଠନର ” ସାମାଜିକ ବାସନ୍ଦ ଏକ ଅପରାଧ” ଆଲୋଚନା ଚକ୍ର ଅନୁଷ୍ଠିତ ।

ବ୍ରହ୍ମପୁର,୨୭/୦୬(ପିପିଟି) ମାନବବାଦୀ ହେତୁବାଦୀ ସଂଗଠନ ଗଂଜାମ ଜିଲ୍ଲା ପକ୍ଷରୁ ସ୍ଥାନୀୟ ସଂକଳ୍ପ ବିଦ୍ୟାଳୟ ପ୍ରାଙ୍ଗଣରେ “ସାମାଜିକ ବାସନ୍ଦ ଏକ ଅପରାଧ” ବିଷୟରେ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ସଂଗଠନର ଉପସଭାପତି କିଶୋର ଚନ୍ଦ୍ର ମିଶ୍ର ସଭାପତିତ୍ୱ କରିଥିଲେ। ପରିବେଶବିତ ପ୍ରଫୁଲ୍ଲ ସମନ୍ତରାୟ ଓ ପ୍ରଗତିଶୀଳ ଲେଖିକା ବିଧୁପ୍ରଭା ରଥ ମଞ୍ଚସୀନ ଥିଲେ।
ସମ୍ପାଦକ କେ ନନ୍ଦେଷୁ ସେନାପତି ସଂକ୍ଷେପରେ ସାମାଜିକ ବାସନ୍ଦ ଫଳରେ ବାସନ୍ଦ ହୋଇଥିବା ବ୍ୟକ୍ତି ଓ ପରିବାର କାହା ସହ କଥାବାର୍ତ୍ତା ହୋଇପାରନ୍ତି ନାହିଁ,ପୋଖରୀରେ ଗାଧୋଇବା, କୂଅରୁ ପାଣି ନେବା ମନା, ଦୋକାନରୁ ସଉଦା ନେବା ମନା ସାମାଜିକ କିମ୍ବା ଧାର୍ମିକ କାର୍ଯ୍ୟରେ ଅଂଶ ଗ୍ରହଣ ବନ୍ଦ ଫଳରେ ପୀଡିତ ପରିବାର ଓ ବ୍ୟକ୍ତି ମାନସିକ ନିର୍ଯ୍ୟାତନା ଭୋଗ କରିଥାନ୍ତି । ଗାଁର ଘରଦ୍ୱାର,ସମ୍ପତ୍ତିବାଡି ଛାଡି ବାହାରେ କିଏ କୋଉଠି ଆଶ୍ରୟ ନିଆନ୍ତି । ଏହି ବ୍ୟବସ୍ଥା ସାଧାରଣତଃ ଗରୀବ ମଧ୍ୟବିତ୍ତଙ୍କ ଠାରେ ହିଁ ଦେଖାଯାଇଥାଏ ବୋଲି ସଂକ୍ଷିପ୍ତ ସୂଚନା ଦେଇଥିଲେ।
ବରିଷ୍ଠ ହେତୁବାଦୀ ତଥା ସ୍ଥମ୍ଭକାର ଭାଲଚନ୍ଦ୍ର ଷଡଙ୍ଗୀ ନିଜ ବକ୍ତବ୍ୟରେ ଗଂଜାମ ଜିଲ୍ଲାରେ ମୂଖ୍ୟତଃ ଗୁଣିଗାରେଡି ଓ ଆନ୍ତଃଜାତି ବିବାହ ପାଇଁ ବହୁ ନିରୀହ ଲୋକ ସାମାଜିକ ବାସନ୍ଦର ଶିକାର ହୋଇଥାନ୍ତି । ଏହା ଏକ ସାଧରଣ ଅପରାଧ ନୁହଁ ବରଂ ପିଡୀତ ବ୍ୟକ୍ତିଙ୍କ ମାନବିକ, ସାମ୍ଵିଧାନିକ ଓ ସାମାଜିକ ଅଧିକାରର ଉଲଂଘନ ବୋଲି କହିଥିଲେ । କୂଳ ସମାଜ ନାଁରେ କିଛି ଲୋକ ସାମାଜିକ ବାସନ୍ଦ ଜରିଆରେ ଜାତି ବ୍ୟବସ୍ଥାକୁ ବଞ୍ଚେଇ ରଖିବାକୁ ବେଆଇନ ଉଦ୍ୟମ କରିଥାନ୍ତି । ଯୁବକ ଯୁବତୀଙ୍କ ନିଜ ଇଛାରେ ଜୀବନସାଥୀ ବାଛିବାର ଅଧିକାର ଉପରେ ଏହା ଆକ୍ରମଣ । ଏହା ଜରିଆରେ କୂଳ ସମାଜ ଓ ଗାଁର କିଛି ଅସାମାଜିକ ଲୋକେ ବେଆଇନ ଭାବେ ସାଧାରଣ ଲୋକର ଆର୍ଥିକ ଶୋଷଣ କରୁଛନ୍ତି ବୋଲି କହିଥିଲେ। ସାମାଜିକ ବାସନ୍ଦ ଏକ କଳଙ୍କ ଏବଂ ଅମାନବିକ ଅଟେ। ଏଭଳି ବିଶେଷ ଅପରାଧର ନିରାକରଣ ପାଇଁ ସରକାର ସ୍ଵତନ୍ତ୍ର ଆଇନ କରିବା ଜରୁରୀ ବୋଲି କହିଥିଲେ । କେବଳ ମହାରାଷ୍ଟ୍ର ଓ କାର୍ଣ୍ଣାଟକରେ ଏହା ନିବାରଣ ପାଇଁ ଆଇନ ପ୍ରଣୟନ ହୋଇଥିବା ବେଳେ ଓଡ଼ିଶାରେ ସେଭଳି ଆଇନ ନଥିବାରୁ ଏଭଳି ଅପରାଧ ଅବ୍ୟାହତ ରହୁଛି । ଆଲୋଚନା ଚକ୍ରରେ ସାମାଜିକ ବାସନ୍ଦ ବିରୁଦ୍ଧରେ ସର୍ବଭାରତୀୟ ସ୍ଥରରେ ଆଇନ ପ୍ରଣୟନ ପାଇଁ ଦାବୀ କରାଯାଇଥିଲା ।

ନିଜର ଜଣେ ଭାଇ ଆନ୍ତଃଜାତି ବିବାହ କରିଥିବାରୁ ସାମାଜିକ ବାସନ୍ଦର ପୀଡିତ ଯୁବକ ଦାମୋଦର ସେଠି ନିଜର ତିକ୍ତ ଅଭିଜ୍ଞତା ରଖିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ବୃନ୍ଦବନ ଖଟେଇ, ଶ୍ୟାମସୁନ୍ଦର ଖଡଙ୍ଗା, ଅବନୀ ଗୟା, ଶଙ୍କର ସାହୁ ନିଜ ନିଜର ବାକ୍ତବ୍ୟ ରଖିଥିଲେ। ଛାତ୍ରୀ ତାନ୍ୟା ସାହୁ ଇଖିତ ଏକ କବିତା ପାଠ କରିଥିଲେ ।

କେ ବାସବରାଜୁ, ଗଣପତି ବେହେରା, ସନ୍ତୋଷ କୁମାର ମିଶ୍ର, ଲଷ୍ମୀନୃସିଂହ ରଥ,ମଧୁ ସେଠି,ହାକିମ ଖାଁ,ଜଗନ୍ନାଥ ରାଓ ଆଦି ଆଲୋଚନା ଚକ୍ରରେ ଭାଗ ନେଇଥିଲେ। ଡି.ମୋହନ ରାଓ ଧନ୍ୟବାଦ ଅର୍ପଣ କରିଥିଲେ।

Comments (0)
Add Comment