ମାଥିଲି ରେଞ୍ଜରେ ୨୦ ହଜାର ଚାରା ପୋଡି ନଷ୍ଟ,୨ ଜଣ ଅଟକ।

ମାଲକାନଗିରି,ତା:୩୧/୦୫(ପିପିଟି); ମାଥିଲି ବନାଞ୍ଚଳ ଅଧିନରେ ଥିବା କୁଲାବେଡା ଅଞ୍ଚଳରେ ବନ ବିଭାଗ ଦ୍ବାରା ଆମ ଜଙ୍ଗଲ ଯୋଜନାରେ ୨୦ ହଜାର ଚାରା ଉପୁଜା ଯାଇଥିବା ବେଳେ ଗତ କାଲି ରାତିରେ ଦୁ୍ର୍ବୃତ୍ତମାନେ ଉକ୍ତ ଚାରାରେ ଅଗ୍ନି ସଂଯୋଗ କରି ପୋଡି ଦେଇଥିବା ଜଣା ପଡିଛି । ଘଟଣା ସ୍ଥଳକୁ ମାଥିଲି ଫରେଷ୍ଟ ରେଞ୍ଜର ପର୍ଶୁରାମ ଭୁମିଆ ଏବଂ ବନ କର୍ମଚାରୀମାନେ ଯାଇଥିବା ବେଳେ ଗୋବିନ୍ଦ ପଲ୍ଲୀ ଫାଣ୍ଡି ପୋଲିସ ମଧ୍ଯ ପହଞ୍ଚି ସରଜମିନ ତଦନ୍ତ କରି ନିଆଁ ଲଗାଇବାରେ ସଂପୃକ୍ତ ଖଡିକା ଯୋଡି ଗାଁର ୨ ଜଣ ଲୋକଙ୍କୁ ଫାଣ୍ଡିକୁ ଆଣି ପଚରା ଉଚରା କାରାଯାଉଛି ।ପ୍ରାପ୍ତ ସୂଚନା ଅନୁସାରେ ମାଥିଲି ରେଞ୍ଜ ତରଫରୁ କୁଲାବେଡା ଜଙ୍ଗଲରେ ୨୦ ହଜାର ଚାରା ଆମ ଜଙ୍ଗଲ ଯୋଜନାରେ ତଳି ପକା ଯାଇଥିବା ବେଳେ ଏହି ଚାରାକୁ ରୋପଣ କରିବା ଲାଗି ମାଥିଲି ବନ କର୍ମଚାରୀମାନେ ଖଡିକାଯୋଡି ଗାଁ ଜଙ୍ଗଲରେ ଗାତ ଖୋଳିଥିଲେ । ତେବେ ଖଡିକା ଯୋଡିର ଲୋକମାନେ ଜଙ୍ଗଲ ଜମିକୁ ସଫା କରି ବହୁ ଦିନରୁ ଚାଷବାସ କରି ନିଜ ଅଧିନରେ ଉକ୍ତ ଜମିକୁ ଅଧିକାର କରି ରଖିଥିଲେ । ବନ କର୍ମଚାରୀମାନେ ଉକ୍ତ ଜମିରେ ଚାରା ରୋଣ କରି ନୂତନ ଜଙ୍ଗଲ ସୃଷ୍ଟି କରିବା ଲାଗି ଲକ୍ଷ୍ଯ ରଖିଥିବା ବେଳେ ଗତ ରାତିରେ ଖଡିକାଯୋଡିର ଲୋକମାନେ କୁଲାବେଡା ଠାରେ ପ୍ରସ୍ତୁତ କରାଯାଇଥିବା ଚାରା ତଳି ପଟାଳିରେ ନିଆଁ ଲଗାଇ ଦେଇଥିବା କୁଲାବେଡା ଗ୍ରାମବାସୀମାନେ ତଦନ୍ତ ବେଳେ ପ୍ରକାଶ କରିଥିଲେ । ପୋଲିସ ଓ ବନ କର୍ମଚାରୀମାନେ ଖଡିକାଯୋଡି ଯାଇ ତଦନ୍ତ କରିବା ସହ ସନ୍ଦିଗ୍ଧ ୨ ଜଣ ବ୍ଯକ୍ତିକୁ ଉଠାଇ ଆଣି ପୋଲିସ ଫାଣ୍ଡିରେ ଅଟକ ରଖିଛି । ଅନ୍ଯପକ୍ଷରେ ବୈପାରୀଗୁଡା ଏରିଆ କମିଟି ( ସିପିଆଇ-ମୀଓବାଦୀ) ନାମରେ ଏକ ହାତ ଲେଖା ଚିଠି ମଧ୍ଯ ଘଟଣା ସ୍ଥଳରୁ ମିଳିଛି । ବାସ୍ତବରେ ୨୦ ହଜାର ଚାରାରେ ଅଗ୍ନି ସଂଯୋଗ କରିବାରେ କାହାର ହାତ ରହିଛି ଘଟଣାଟିକୁ ରହସ୍ଯାବୃତ୍ତ କରିଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Comments (0)
Add Comment