ମାଲକାନଗିରି,୦୨/୦୭(ପିପିଟି):ମାଥିଲି ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକଙ୍କ ନେତୃତ୍ବରେ ୪୦ ଗୋଟି କଇଁଛ ଜବତ କରାଯାଇ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି।
ଗତ କାଲି ଦିନ ୧୨ଟାରେ ଏକ ମୋଟର ସାଇକେଲରେ ବେଆଇନ କଇଁଛ ଚୋରା ଚାଲାଣ କରାଯାଉଥିବା ବେଳେ ବିଶେଷ ସୂତ୍ରରୁ ସୂଚନା ପାଇ ମାଥିଲି ବନ କର୍ମଚାରୀମାନେ ବାଲିଗୁଡା- ଦୋରାଗୁଡା ଛକ ନିକଟରେ ଏକ ମୋଟର ସାଇକେଲକୁ ଯାଞ୍ଚ କରି ଅଭିଯୁକ୍ତଙ୍କୁ କାବୁ କରିଥିଲେ।
ବନ କର୍ମଚାରୀମାନେ ଯାଞ୍ଚ ସମୟରେ ରେଜିଷ୍ଟ୍ରେସନ୍ ନମ୍ବର ଓଡି-୦୭ଏ-୫୭୯୪ ଏକ ହିରୋ ହୋଣ୍ଡା ପ୍ୟାସନ ମୋଟର ସାଇକେଲ ଗାଡିକୁ ଅଟକାଇ ପୁଙ୍ଖାନୁପୁଙ୍ଖ ଯାଞ୍ଚ ଥିଲେ । ଯାଞ୍ଚ ସମୟରେ ମୋଟ ୪୦ ଟି କଇଁଛକୁ ପାଇଥିଲେ। ଏହି କଇଁଛ ଗୁଡ଼ିକୁ ଗାଡିରେ ବେଆଇନ ଭାବେ ଚାଲାଣ କରାଯାଉଥିବା ଦେଖିବାକୁ ମିଳିଥିଲା।
ଘଟଣାସ୍ଥଳରୁ ସମସ୍ତ କଇଁଛସଳ ସହ ମୋଟର ସାଇକେଲ ଗାଡିଟିକୁ ଜବତ କରାଯାଇଛି। ବେଆଇନ କଇଁଛ ଚୋରା ଚାଲାଣ ରେ କୋରୁକଣ୍ଡା ଥାନା ଅନ୍ତର୍ଗତ ଏମଭି -୩୮ ଗ୍ରାମର ସତେନ ଭଦ୍ର (୪୧) ଅଭିଯୁକ୍ତକୁ ଗିରଫ କରାଯାଇଛି । ବନ୍ୟଜନ୍ତୁକୁ ବେଆଇନ ଚୋରା ଚାଲାଣ ଏବଂ ପରିବହନ ପାଇଁ ବନ୍ଯ ଜନ୍ତୁ ସୁରକ୍ଷା ଆଇନ ୧୯୭୨ ଅନୁଯାୟୀ ଏକ ଜଙ୍ଗଲ ମାମଲା ୨୦୨୭-୨୭ର ୩୪ ଏମ୍ ଏଚ୍ ଅନୁଯାୟୀ ପଞ୍ଜିକୃତ ଆଜି କୋର୍ଟ ଚାଲାଣ କରାଯାଇଛି।
ଉଦ୍ଧାର ହୋଇଥିବା କଇଁଛମାନଙ୍କୁ ଆବଶ୍ୟକ ଯତ୍ନ ନିଆଯିବା ସହିତ ଅଧିକ ତଦନ୍ତ ପ୍ରକ୍ରିୟା ଚାଲୁ ରହିଥିବା ମାଥିଲି ବନାଞ୍ଚଳ ଅଧିକାରୀ
ବାସୁଦେବ ନାୟକ ପ୍ରକାଶ କରିଛନ୍ତି। ଅନ୍ୟ ବନକର୍ମଚାରୀମାନେ ହେଲେ ବନପାଳ ସୁବାସ ମଣ୍ଡଳ, ବନରକ୍ଷୀ ଦିଲ୍ଲୀପ୍ କୁମାର ଡାକୁଆ,ଦିପ୍ତିରଞ୍ଜନ ନାୟକ, ବନ୍ୟପ୍ରାଣୀ ସ୍କ୍ୱାର୍ଡ ଦେବେନ୍ଦ୍ର ଦଳାଇ,କମାଲୁ ଗଉଡ,ମଦନ ଗଉଡ,ପାରା ଷ୍ଟାଫ୍ ପୀତବାସ ନାୟକ,କମଲୁ ବିଷୋୟୀ ପ୍ରମୁଖ ଯାଞ୍ଚରେ ଉପସ୍ଥିତ ଥିଲେ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)