ମାଥିଲି ଥାନା ସମ୍ମୁଖରେ ଭୟଙ୍କର ସଡ଼କ ଦୁର୍ଘଟଣା, ବାପା-ପୁଅ ମୃତ, ୪ ଗୁରୁତର ।

ମାଲକାନଗିରି,୦୯/୦୫(ପିପିଟି):ମାଲକାନଗିରି ଜିଲ୍ଲାର ମାଥିଲି ଥାନା ସମ୍ମୁଖରେ ଆଜି ଘଟିଥିବା ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ବାପା ଓ ପୁଅଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୪ ଜଣ ଗୁରୁତର ଆହତ ହୋଇ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।ସୂଚନା ଅନୁଯାୟୀ, କୋରାପୁଟରୁ ମାଲକାନଗିରିକୁ ଏକ ନିର୍ବନ୍ଧ କାର୍ଯ୍ୟ ସାରି ଫେରୁଥିବା ଡିଜାର ଗାଡ଼ି ମାଥିଲି ଥାନା ସମ୍ମୁଖରେ ରାସ୍ତା କଡ଼ରେ ଠିଆ ହୋଇଥିବା ଗୋରୁ ବୋଝେଇ ଟ୍ରକକୁ ଜୋରଦାର ଧକ୍କା ଦେଇଥିଲା। ଧକ୍କାର ତୀବ୍ରତା ଏତେ ଅଧିକ ଥିଲା ଯେ ଗାଡ଼ିର ସାମ୍ନା ଭାଗ ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଥିଲା।ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚିତ୍କାର ଓ ଆତଙ୍କ ପରିସ୍ଥିତି ସୃଷ୍ଟି ହୋଇଥିଲା। ସ୍ଥାନୀୟ ଲୋକମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ। ପରେ ମାଥିଲି ଅଗ୍ନିଶମ ବିଭାଗ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ମାଥିଲି ଉପକଣ୍ଠ ଚିକିତ୍ସାଳୟକୁ ପଠାଇଥିଲେ।

ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବାପା ଓ ୧୧ମାସର ପୁଅଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅନ୍ୟ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ଭାବେ ଗାଡ଼ି ନିୟନ୍ତ୍ରଣ ହରାଇବା ଫଳରେ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Comments (0)
Add Comment