ବୋଲଗଡ଼,୦୮/୧୧(ପିପିଟି): ପ୍ରଶାସନର ଆଖିରେ ଆଙ୍ଗୁଠି ଗେଞ୍ଜି ଠକି ନେଇଗଲେ ୮ ଲକ୍ଷ ଟଙ୍କା। ଖୋର୍ଦ୍ଧା ଜିଲ୍ଲାରେ ହୋଇଥିବା ଏମିତି କିଛି ଠକେଇର ଏବେ ଭିଜିଲାନ୍ସ ତଦନ୍ତ କରୁଛି । ଗୋଟିଏ ରାସ୍ତାର ଦୁଇ ବର୍ଷରେ ଦୁଇଟି ବିଲ୍ କେମିତି ହେଲା ତାକୁ ନେଇ ଉଠିଛି ପ୍ରଶ୍ନ।
ଅସଲି ରାସ୍ତା, ନକଲି ବିଲ୍। ମିଛ ବିଲ୍ ଦେଇ ଠକି ଦେଲେ ୮ ଲକ୍ଷ ଟଙ୍କା । ଗୋଟିଏ ରାସ୍ତାକୁ ଦୁଇ ଥର ବିଲ୍ ହୋଇଛି, ତା ପୁଣି ପ୍ରଶାସନକୁ ଚ୍ୟାଲେଞ୍ଜ କରି । ଖୋର୍ଦ୍ଧା ବୋଲଗଡ଼ ବ୍ଲକ ଆରିକମା ପଞ୍ଚାୟତର ବେଗୁନିଆମୂଳ ଗାଁରେ ଘଟିଛି ଏଭଳି ଘଟଣା । ଦିନେ ଯେଉଁଠି ବିରାଟ ଗାତ ଥିଲା। ଗାଁର ଶଶ୍ମାନକୁ ଯିବାକୁ ଲୋକେ ହଇରାଣ ହେଉଥିଲେ। ତେଣୁ ବହୁତ ଦାବି ପରେ ୨୦୨୨-୨୩ ମସିହାରେ ୬ ଲକ୍ଷ ଅନୁମୋଦନରେ ମାଟି ରାସ୍ତାଟିଏ ହେଲା। ମାଟି ପକାଇ ଗାତକୁ ପୋତି ଏହି ରାସ୍ତା କାମ କରାଯାଇଥିଲା। କିନ୍ତୁ ଏହାର ବର୍ଷକ ପରେ ସମାନ ରାସ୍ତାର ଉନ୍ନତିକରଣ କରିବାକୁ କହି ଟଙ୍କା ଠକି ନିଆଯାଇଛି। ବର୍ଷକ ତଳେ ଯେଉଁ ମାଟି ରାସ୍ତାକୁ ୬ ଲକ୍ଷ ଟଙ୍କା ଖର୍ଚ୍ଚ କରି ନିର୍ମାଣ କରାଗଲା ସେଇ ରାସ୍ତାରେ ଫେକ୍ ବିଲ୍ କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ। କୁଆଡ଼େ ରାସ୍ତାର ଉନ୍ନତି ପାଇଁ ଖର୍ଚ୍ଚ ହେଇଛି ୮ ଲକ୍ଷ ଟଙ୍କା।
ଶ୍ମଶାନ ପାଖରେ ଲାଗିଥିବା ଭଙ୍ଗା ଫଳକ ଠକେଇର ମହାଦୁର୍ନୀତି କଥା କହୁଛି । ମାଟି ରାସ୍ତାର କ’ଣ ଉନ୍ନତି ଘଟିଛି ଦେଖିଲେ ହିଁ ବୁଝି ପାରିବେ। ଗାଁ ଲୋକେ ଏତେ ବଡ଼ ଦୁର୍ନୀତି ହୋଇଥିବା ଜାଣି ପାରି ଖୋଳତାଡ଼ କରିବା ବେଳେ ରାସ୍ତା ଉନ୍ନତିକରଣ ସମ୍ପର୍କରେ ଲାଗିଥିବା ଫଳକକୁ କେହି ଭାଙ୍ଗି ଦେଇଛନ୍ତି। ଜିଲ୍ଲା ପ୍ରଶାସନକୁ ଜଣାଇବା ପରେ କୌଣସି ଫଳ ନହେବାରୁ ଶେଷରେ ଭିଜିଲାନ୍ସର ଦ୍ବାରସ୍ତ ହୋଇଛନ୍ତି ଗାଁ ଲୋକେ।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)