ବାଲେଶ୍ୱର,୨୯/୧୦: ବସ୍ତା ବ୍ଲକ୍ ରଘୁନାଥପୁର ପଞ୍ଚାୟତ ଅନ୍ତର୍ଗତ ସାନଅସ୍ତି ଗ୍ରାମରେ ମାଙ୍କଡ଼ ଆକ୍ରମଣରେ ପୁଣି ୨ଜଣ ଆହତ ହୋଇଛନ୍ତି। ଆହତ ଦ୍ବୟ ହେଲେ ଏହି ଗ୍ରାମର ପ୍ରଭାକର ଦାସ(୭୨) ଓ ନଗେନ ମହାନ୍ତି(୬୩)।ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ବ୍ୟକ୍ତି ଦ୍ବୟଙ୍କୁ ପୂର୍ବ ପାଗଳ ମାଙ୍କଡ଼ଟି କାମୁଡ଼ି ଲହୁଲୁହାଣ କରିଥିଲା। ଦୁହିଁଙ୍କୁ ସଙ୍ଗେ ଡ଼ାକ୍ତରଖାନା ନିଆଯାଇ ପ୍ରାଥମିକ ଚିକିତ୍ସା କରାଯାଇଛି। ସୂଚନା ଥାଉକି କିଛି ଦିନ ପୂର୍ବେ ଉକ୍ତ ପାଗଳ ମାଙ୍କଡ଼ଟି ୯ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ କାମୁଡ଼ି ଲହୁଲୁହାଣ କରିଥିଲା । ଏଣୁ ତୁରନ୍ତ ଉକ୍ତ ପାଗଳ ମାଙ୍କଡ଼ଟିକୁ ଧରିବା ପାଇଁ ଗ୍ରାମବାସୀ ଜିଲାପାଳ,ଡ଼ିଏଫଓ ଏବଂ ରେଞ୍ଜରଙ୍କ ନିକଟରେ ଅଭିଯୋଗ କରିଥିଲେ।ଫଳରେ ଡ଼ିଏଫଓ ଖୁସବନ୍ତ ସିଂଙ୍କ ନିର୍ଦ୍ଦେଶ କ୍ରମେ ଶନିବାର ରାତିରେ ଲଙ୍ଗଳେଶ୍ବର ବନବିଭାଗ କର୍ମଚାରୀ ଉକ୍ତ ଗାଁରେ ପଇଁତରା ମାରିଥିଲେ। ମାତ୍ର ମାଙ୍କଡ଼ଟିକୁ ଧରିବାରେ ବିଫଳ ହୋଇଥିଲେ । ଫଳରେ ମାଙ୍କଡ଼ର ଗତିବିଧିକୁ ନିରୀକ୍ଷଣ କରିବା ଲାଗି ବିଭାଗ ପକ୍ଷରୁ ୨ଜଣ କର୍ମଚାରୀ ନିୟୋଜିତ ଥିଲେ । ମାତ୍ର ଆଜି ୨ଜଣ କର୍ମଚାରୀଙ୍କ ଉପସ୍ଥିତିରେ ମାଙ୍କଡ଼ଟି ପୁଣି ଥରେ ଗ୍ରାମର ଦୁଇ ବ୍ୟକ୍ତିଙ୍କୁ କାମୁଡ଼ି ଆହତ କରିଛି । ଏଣୁ ତୁରନ୍ତ ଟ୍ରାଙ୍କୁଲାଇଜ ଦଳକୁ ଡ଼କାଇ ଉକ୍ତ ମାଙ୍କଡ଼ଟିକୁ କାବୁ କରାଯିବାକୁ ଗ୍ରାମବାସୀ ଦାବି କରିଛନ୍ତି।