ମାଓବାଦୀଙ୍କ ଦ୍ବାରା ବିତାଡିତ ଦୁଇ ଶହ ପରିବାରଙ୍କ କରୁଣ କାହାଣୀ ।

ମାଲକାନଗିରି,୦୧/୦୬(ପିପିଟି):ଦଶବର୍ଷ ତଳେ ମାଲକାନଗିରି ଜିଲ୍ଲାର ବିଛିନ୍ନାଞ୍ଚଳ ମାଓବାଦୀଙ୍କର ଦୁର୍ଗ ଥିଲା । ସେଠାକୁ ଯିବା ପାଇଁ ସାଧାରଣ ଲୋକମାନଙ୍କ ପକ୍ଷେ ସମ୍ଭବ ନଥିଲା । ୧୦ ବର୍ଷ ତଳେ ମାଓବାଦୀ ଧମକ ଦେଇ ଗାଁରୁ ତଡ଼ି ଦେଇଥିଲେ । ୨୦୦ ପରିବାଙ୍କୁ । ଜୀବନ ବଞ୍ଚାଇବା ପାଇଁ ପିଲାଛୁଆ ଧରି ଭିଟାମାଟି ଛାଡ଼ିଥିଲେ ସ୍ଵାଭିମାନ ଅଞ୍ଚଳର ୨୦୦ ପରିବାର । ଜୀବନ ବିକଳରେ ନିଜ ପରିବାର ସୁରକ୍ଷା ଚିନ୍ତାରେ ଚିତ୍ରକୋଣ୍ଡା, କୁଡୁମୁଲୁଗୁମ୍ମା ଓ କୋରୁକଣ୍ଡା ଆସି ଏକ ପ୍ରକାର ଦୁର୍ବିସହ ଜୀବନ ଅତିବାହିତ କରୁଛନ୍ତି । ଇତିମଧ୍ୟରେ ୧୦ ବର୍ଷ ବିତିଲାଣି । ବିଚ୍ଛିନ୍ନାଞ୍ଚଳ ଚିତ୍ରକୋଣ୍ଡା ଏବେ ସ୍ଵାଭିମାନ ଅଞ୍ଚଳର ମାନ୍ୟତା ପାଇଛି । ଆଉ ସେଠି ନାହିଁ ମାଓ ଡର ବୋଲି ପ୍ରଶାସନ ଦମ୍ଭୋକ୍ତି ବାଢୁଥିବା ବେଳେ ମାଓବାଦୀଙ୍କ ଭୟରେ ଭିଟାମାଟି ଛାଡିଥିବା ୨୦୦ ପରିବାରକୁ କାହିଁକି ନିଜ ଗ୍ରାମରେ ଥଇଥାନ କରିପାରୁ ନି ବୋଲି ସାଧାରଣରେ ପ୍ରଶ୍ନ ହେଉଛି।
ଗୁରୁପ୍ରିୟା ସେତୁ ନିର୍ମାଣ ହୋଇ ବର୍ତ୍ତମାନ ବିଛିନ୍ନାଞ୍ଚଳକୁ ଗମନାଗମନର ସୁବିଧା ହୋଇଛି । ଗ୍ରାମଗୁଡିକୁ ବିଦ୍ଯୁତ ସଂଯୋଗିକରଣ ହୋଇଛି । ବିଛିନ୍ନାଞ୍ଚାଳର ରୂପ ରେଖରେ ସଂପୂର୍ଣ୍ଣ ପରିବର୍ତ୍ତନ ଆସିଥିବା ମାଲକାନଗିରି ଜିଲ୍ଲା ପ୍ରଶାସନ ଦାବି କରୁଛି । ବିଛିନ୍ନାଞ୍ଚଳ ଏବେ ମାଓ ମୁକ୍ତ ବୋଲି ଉଦ୍ଘୋଷଣା କରାଯାଉଛି । ତେବେ କେଉଁ କାରଣରୁ ସେହି ୨୦୦ ପରିବାରଙ୍କୁ ପ୍ରଶାସନ ନିଜ ଭିଟାମାଟିକୁ ପ୍ରତ୍ଯାବର୍ତ୍ତନ କରି ଥଇଥାନ କରିବାରେ ପଶ୍ଚାତପଦ ହେଉଛି ? ଏକଦା ସେହି ଆଦିବାସୀମାନେ କୃଷି କାର୍ଯ୍ୟ ସହ ଜଙ୍ଗଲରୁ ସଂଗୃହୀତ ଦ୍ରବ୍ୟ ବିକ୍ରିକରି ପରିବାର ପ୍ରତିପୋଷଣ କରୁଥିଲେ । ସେମାନଙ୍କ ନିକଟରେ ମୌଳିକ ସୁବିଧା ଅପହଞ୍ଚ ଥିଲା ସତ ; ତଥାପି ନଜର ସାମାଜିକ ଚଳଣି, କଳା, ସଂସ୍କୃତି ଓ ପରମ୍ପରାକୁ ନେଇ ନିଜ ଗ୍ରାମରେ ଝଡ ଝଞ୍ଜା ସତ୍ବେ ଯୁଗଯୁଗ ବ୍ଯାପି ପଡି ରହିଥିଲେ ସେଠାରେ । ୧୦ ବର୍ଷ ତଳେ ମାଓ ଦମନ ଲାଗି ଓଡ଼ିଶା ପୁଲିସ, ଆନ୍ଧ୍ର ପୁଲିସ ମିଳିତ ଉଦ୍ଯମରେ ବୁଡ଼ି ଅଞ୍ଚଳରେ ପ୍ରବେଶ କରି ରାମାଗୁଡା ଠାରେ ୫୦ରୁ ଊର୍ଦ୍ଧ୍ବ ମାଓବାଦୀଙ୍କୁ ନିହତ କରିଥିଲା । ଏହି ଘଟଣା ପରେ ରକ୍ତମୁଖା ଲାଲବାହିନୀ ସମସ୍ତଙ୍କୁ ସନ୍ଦେହ ଚକ୍ଷୁରେ ଦେଖିବା ସହ ପୁଲିସ ସୂଚନାଦାତା ଭାବେରେ ଦୋଷାରୋପ କରି ପ୍ରଜାକୋର୍ଟରେ ସେମାନଙ୍କୁ ନିର୍ଯାତନା ଦେଇଥିଲେ। ଅନେକଙ୍କୁ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ଦିଆଗଲା ।ପରିଶେଷରେ ଚରମ ପଦକ୍ଷେପ ନେଇ ଦୁଇଶହ ପରିବାରକୁ ମାଓବାଦୀମାନେ ଗାଁରୁ ତଡ଼ିଦେଇଥିଲେ । ପ୍ରଜାକୋର୍ଟର ନିଷ୍ପତ୍ତି ଅନୁସାରେ ଗାଁ ନ ଛାଡ଼ିଲେ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯିବାର ଯେଉଁ ଭୟ ଜାଗ୍ରାତ ହୋଇଥିଲା ରାତାରାତି ଏହି ୨୦୦ ପରିବାରକୁ ଭିଟାମାଟି ଛାଡିବାକୁ ବାଧ୍ୟ କରାକଲା । ପ୍ରାଣ ଭୟରେ ଏହି ୨୦୦ ପରିବାର ଛୁଆପିଲାମାନଙ୍କୁ ଧରି ଖାଇବା ପିଇବା ନପାଇ କିଏ କିପରି ବନ୍ଧୁ ବନ୍ଧ ଘରେ କିଛି ଦିନ ପାଇଁ ଆଶ୍ରୟ ନେଲା ପରେ କୁଲି କାର୍ଯ୍ଯ କରି ଯେନତେନ ଜୀବିକା ନିର୍ବାହ ତରି ଆସୁଛନ୍ତି । ଇତିମଧ୍ୟରେ ଏହି ୨୦୦ ପରିବାରକୁ ପ୍ରଶାସନ ନିରାପତ୍ତାର ଦେଇ ସେଭଳି ଦୃଢ ପ୍ରତିଶ୍ରୁତି କିମ୍ବା ଆଶ୍ଵାସନା ଦେଇପାରୁନାହିଁ ସେମାନଙ୍ଗ ଗ୍ରାମରେ ପୁନର୍ବାସ ପାଇଁ। ଦଶନ୍ଧି ତଳେ ଛାଡିଯାଇଥିବା ଭିଟାମାଟିକୁ ଫେରି ପାରି ନାହାନ୍ତି ସେହି ସର୍ବହରା ଆଦିବାସୀମାନେ। ଅଦ୍ଯାବଧି ମାଲକାନଗିରି ଜିଲ୍ଲା ପ୍ରଶାସନ ସେମାନଙ୍କୁ ଥଇଥାନ ପାଇଁ ଭରସା ଦେଇପାରୁନି । ବିଲବାଡି ଥିବା ଏହି ପରିବାର କେବଳ ସର୍ବହରା ଜୀବନ ନିର୍ବାହ କରୁଛନ୍ତି । କାମ କଲେ ମୁଠେ ଖାଇବାକୁ ମିଳୁଛି,ନତୁବା ଭୋକର ଆର୍ତ୍ତନାଦ ।ଯେଉଁମାନଙ୍କର ଏକର ଏକର ଜମିଥିଲା,ସେମାନେ ଏବେ ଫକୀର । ଭିଟାମାଟିକୁ ଫେରିଯିବା ପାଇଁ ପ୍ରବଳ ଇଚ୍ଛା ସତ୍ବେ ସେମାନେ ମାଓ ଭୟରେ ଗୋଡ଼ କାଢ଼ିପାରୁନାହାଁନ୍ତି ନିଜ ଜନ୍ମ ମାଟିକୁ । କାରଣ ଚିତ୍ରକୋଣ୍ଡା ବ୍ଲକର ଗୁରୁପ୍ରିୟା ପୋଲ ଅପରପାର୍ଶ୍ଵରେ ଥିବା ୧୫୨ଟି ଗ୍ରାମ ଏକଦା ବିଛିନ୍ନାଞ୍ଚଳ ଥିଲା । ମାଓବାଦୀଙ୍କ ଇସାରାରେ ସବୁକିଛି ଚାଲିଥିଲା । ଦୀର୍ଘ ୭୦ ବର୍ଷ ପୂର୍ବେ ଚିତ୍ରକୋଣ୍ଡା ନଦୀବନ୍ଧ ଯୋଜନା ଆରମ୍ଭ ବେଳେ ନଦୀ ଗର୍ଭରେ ରହିଯାଇଥିଲା ୯ଟି ପଞ୍ଚାୟତ ଯୋଡାମ୍ବ, ଅନ୍ଡ୍ରାପାଲି, ବଡପଡ଼ା, ବଡପଦର, ପଣସପୁଟ, ଯନ୍ତ୍ରୀ,ରାଲେଗେଡ଼ା,ପାପରମେଟଲା, ଧୂଳିପୁଟ ପଞ୍ଚାୟତ ।ମାଓବାଦୀଙ୍କ ହିଂସା ସତ୍ତ୍ବେ ଭିଟାମାଟିରେ ହସଖୁସିରେ ବିତୁଥିଲା ଆଦିବାସୀଙ୍କ ଜୀବନ । ତତ୍କାଳୀନ ପୁଲିସ ପ୍ରଶାସନ ପ୍ରଥମ ପର୍ଯ୍ୟାୟରେ ଚିତ୍ରକୋଣ୍ଡାରେ ଥିବା ଦିଦାୟୀ ଗୃହରେ ଅସ୍ଥାୟୀ ଭାବେ ଏମାନଙ୍କୁ ଥଇଥାନ କରିଥିଲା । ସରକାରୀ ସହାୟତା କହିଲେ ଗଣ୍ଡେ ଚାଉଳ ପ୍ରଦାନ କରାଯାଉଥିଲା । ସେବେଠାରୁ ବଞ୍ଚିବା ପାଇଁ ରାତି ପାହିଲେ ସଂଘର୍ଷ କରୁଛନ୍ତି ଏମାନେ । କେହି କେହି ଦାଦନ ଶ୍ରମିକ ଭାବେ ଆନ୍ଧ୍ର ଚାଲି ଯାଇ ସେମାନଙ୍କର ଖୋଜ ଖବର ନାହିଁ । ଆଉ କିଛି ପରିବାର କୁଡୁମୁଲୁଗୁମ୍ମା ଯାଇ ସେଠାରେ ଛୋଟିଆ ଘର ନିର୍ମାଣ କରି ରହିଥିଲେ । ତଥାପି ମାଓବାଦୀଙ୍କ ରାଗ ଶାନ୍ତ ପଡ଼ି ନ ଥିଲା । କୁଡୁମୁଲୁଗୁମ୍ମା ବ୍ଲକ ଅସ୍ଥାୟୀ କ୍ୟାମ୍ପ ଉପରେ ଆକ୍ରମଣ କରି ଦୁଇଜଣଙ୍କୁ ହତ୍ୟା କରିଥିଲେ । ଭୟ ଓ ଆତଙ୍କ ଭିତରେ ଆଜି ବି ଏହି ପରିବାର ଲୋକଙ୍କ ଦିନ ବିତୁଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ପ୍ରଶାସନ ପକ୍ଷରୁ ଚିତ୍ରକୋଣ୍ଡା ଥାନା ପଛରେ କିଛି ସରକାରୀ ଜାଗା ପ୍ରଦାନ କରିବା ପରେ ଏଠାରେ ପ୍ରାୟ ୭୦ଟି ପରିବାର ବସବାସ କଲେ । କିନ୍ତୁ ସେମାନେ ଏବେ ବି କର୍ମସଂସ୍ଥାନ ପାଇଁ ଭିଟାମାଟିକୁ ଝୁରୁଛନ୍ତି । ରାଜ୍ୟ ସରକାର ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳକୁ ସ୍ବାଭିମାନ ଅଞ୍ଚଳ ଘୋଷଣା କଲେ । ଗୁରୁପ୍ରିୟା ସେତୁ ବିକାଶର କଥା କହିଲା । ଦୁର୍ଗମ ଅପହଞ୍ଚ ଇଲାକାକୁ ରାସ୍ତା ନିର୍ମାଣ ସହ ମାଓ ପ୍ରଭାବିତ ଅଞ୍ଚଳରେ ବିଏସଏଫ କ୍ୟାମ୍ପ୍ ( ସୀମା ସୁରକ୍ଷା ବଳ ଶିବିର ) ପ୍ରତିଷ୍ଠା ହେଲା । ଲାଲବାହିନୀ ପଛଘୁଞ୍ଚା ଦେଲେ, ସୁରକ୍ଷା ସହ ବିକାଶର ଡିଣ୍ଡିମ ପିଟିଲେ ରାଜ୍ୟ ସରକାର; କିନ୍ତୁ ମାଓ ଡରରେ ଘର ଛାଡ଼ିଥିବା ଏହି ଲୋକଙ୍କୁ ପୁନଃ ଥଇଥାନକୁ ସମ୍ପୂର୍ଣ୍ଣ ଭୁଲିଯାଇଥିବା ଅଭିଯୋଗ ହୋଇଛି । ମାସକୁ ସରକାରୀ ସହାୟତା ସ୍ଵରୂପ ଟଙ୍କିକିଆ ଚାଉଳ ଓ କିଛି ଭତ୍ତା ଏମାନଙ୍କ ସାହାରା । ନୂଆଗୁଡାରେ ରହୁଥିବା ପ୍ରାୟ ୫୦ ପରିବାର ଅନ୍ଧାରରେ । ସେମାନଙ୍କୁ ଆଜି ପର୍ଯ୍ୟନ୍ତ ବିଦ୍ୟୁତ୍ ସେବା ଯୋଗାଇ ଦିଆ ଯାଇନାହିଁ । ଚଳିତ ଥର ପ୍ରଥମ କରି ଏଠାରେ ପଞ୍ଚାୟତ ନିର୍ବାଚନ ହୋଇଥିବା ବେଳେ କିଛି ରାଜନେତା ଭୋଟ ଲକ୍ଷ୍ୟରେ ଏହି ଲୋକଙ୍କୁ ସ୍ଵତନ୍ତ୍ର ଗାଡ଼ି କରି ନେଇଥିଲେ ସେମାନଙ୍କ ଗ୍ରାମକୁ । ଦଶବର୍ଷ ପରେ ଭିଟାମାଟିରେ ପାଦ ଥାପି ଆତ୍ମହରା ହୋଇପଡ଼ିଥିଲେ ବିସ୍ଥାପିତ । ସେମାନଙ୍କ ଘର ଏବେ ଉଜୁଡ଼ିଯାଇଥିବାବେଳେ ଜମି ଅନ୍ୟମାନେ ଅକ୍ତିଆର କରି ନେଇଥିବା ସେମାନେ ଅଭିଯୋଗ କରିଛନ୍ତି । ଦୁଃଖର କଥା ଭୋଟଦାନ ପରେ ଏମାନଙ୍କୁ ପୁଣି ଚିତ୍ରକୋଣ୍ଡା ଆଣି ଛାଡ଼ି ଦିଆଗଲା ସିନା ସେମାନଙ୍କୁ ଭିଟାମାଟିକୁ ଫେରାଇବାର ବନ୍ଦୋବସ୍ତ କରାଯାଇପାରିଲା ନାହିଁ । ନିର୍ବାଚନ ପୂର୍ବରୁ ସେମାନଙ୍କୁ ସମସ୍ତ ପ୍ରକାର ମୌଳିକ ସୁବିଧା ସହ ପୁନଃ ଥଇଥାନ ପାଇଁ ମାଳ ମାଳ ପ୍ରତିଶ୍ରୁତି ମିଳିଥିଲା । ଭୋଟ ପରେ ଏସବୁ କେଉଁଆଡ଼େ ମିଳାଇଗଲାଣି । ସେମାନଙ୍କୁ ଭିଟାମାଟି ଡାକୁଛି, ହେଲେ ପ୍ରତିଶ୍ରୁତି କିମ୍ବା ଭରସା ମିଳୁନି । ଏଣୁ ଦୁର୍ବିସହ ଜୀବନ ବିତାଉଥିବା ଏହି ୨୦୦ ପରିବାର ଏବେ ଚିନ୍ତାରେ । ଏ ନେଇ ତହସିଲଦାର ପି.ପଦ୍ମନାଭ ଦୋରା କହିଛନ୍ତି ଯେ, ଯେଉଁମାନଙ୍କୁ ମାଓବାଦୀ ହତ୍ୟା କରିଛନ୍ତି ସେମାନଙ୍କ ପରିବାରକୁ ସରକାର ଆର୍ଥିକ ସହାୟତା ଦେବା ସହ ଭତ୍ତା ଦେଉଛନ୍ତି । ପୁନର୍ବାସ ଥଇଥାନ ପାଇଁ ଆଇଟିଡିଏ ପକ୍ଷରୁ ସହାୟତା ଯୋଗାଇ ଦିଆଯାଉଛି । ବ୍ଲକ ପକ୍ଷରୁ ସେମାନଙ୍କୁ କର୍ମନିଯୁକ୍ତି କ୍ଷେତ୍ରରେ ଯଥେଷ୍ଟ ଧ୍ୟାନ ଦିଆଯାଇଛି । ପିଲାଙ୍କ ପାଠପଢ଼ା ପାଇଁ ମାଗଣା ଶିକ୍ଷାଦାନ ବ୍ୟବସ୍ଥା କରାଯାଇଛି । ବାସଗୃହ ପାଇଁ ଜାଗା ଦିଆଯାଇଛି । ଏତେ ସୁବିଧା ସୁଯୋଗ ସତ୍ତ୍ଵେ ଯଦି କେହି ଗାଁକୁ ଯିବାକୁ ଇଚ୍ଛାବ୍ୟକ୍ତ କରନ୍ତି ସେ ଦିଗରେ ଦୃଷ୍ଟି ଦିଆଯିବ ବୋଲି ସେ କହିଛନ୍ତି।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment