ମାଲକାନଗିରି,୦୯/୦୬(ପିପିଟି):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବସ୍ତର ଜିଲ୍ଲା ଦର୍ଭା ଥାନା ସୀମାନ୍ତ ଏବଂ ଓଡିଶା ମାଲାକନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କିରିମିଟି ଓ କଟୁଆପଦର ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଡିବିଏଫ ଏବଂ ବିଏସ୍ଏଫ ଯବାନ ଏକ ମାଓବାଦୀ ଡମ୍ପ ଜବତ କରିଛନ୍ତି।
ମାଲକାନଗିରି ଏସ୍ପି. ବିନୋଦ ପାଟିଲ ଏକ ସମ୍ବାଦିକ ସମ୍ମିଳନୀରେ କହିଲେ ଯେ, ମଙ୍ଗଳବାର ଭୋର ସକାଳୁ ଡିବିଏଫ ଏବଂ ବିଏସଏଫ ଯବାନ ଓଡ଼ିଶା ଛତିଶଗଡ଼ ସୀମାନ୍ତ କିରିମିଟି ଓ କଟୁଆପଦର ଗ୍ରାମ ନିକଟ ଜଙ୍ଗଲରେ ସର୍ଚ୍ଚ ଅପରେସନ କରୁଥିଲେ।ସେହି ସମୟରେ ଏକ ମାଓବାଦୀ ଡମ୍ପ ଠାବ କରିଥିଲେ। ଉକ୍ତ ଡମ୍ପରୁ ଗୋଟିଏ ଇନସାସ ଏଲଏମ୍ଜି, ୨ଟି ଇନସାସ ରାଇଫଲ, ୩ ଗୋଟି ଟିଫିନ ବୋମା, ଗୋଟିଏ ଗ୍ରେନେଡ, ଗୋଟିଏ ଏକେ ମାଗାଜିନ, ୧୩ଟି ଇଲେକ୍ରିଟ୍ ତାର ସହ ଡିଟୋନେଟର, ଗୋଟିଏ ଓ୍ବାକିଟାକି, ୫ ମିଟର ବିଦ୍ୟୁତ୍ ତାର, ଗୋଟିଏ ସୋଲାର ପ୍ଲେଟ, ୧୫ଟି ପ୍ରିଣ୍ଟର, ୧୯ଟି ସିରିଞ୍ଜ, ୩ କେଜି ଗନ ପାଉଡର, ୧୦ଟି ସାଲାଇନ ବୋତଲ, ୧୦ଟି ସାଲାଇନ ପାଇପ୍, ମାଓବାଦୀ ପୁସ୍ତିକା, ଛୁରୀ, କଇଁଚି, ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲେ।
ତେବେ ଏକଦା ଏହି ଅଞ୍ଚଳ ମାଓବାଦୀଙ୍କ ଦୁର୍ଗ ଭାବେ କୁଖ୍ୟାତ ଅର୍ଜନ କରିଥିବା ବେଳେ ଆନ୍ଧ୍ର ଓଡ଼ିଶା ବୋଡର୍ ସ୍ପେଶାଲ ଜୋନାଲ କମିଟି ଦ୍ୱାରା ଏହି ଡମ୍ପ କରାଯାଇ ଯବାନଙ୍କ ଉପରେ ଆକ୍ରମଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା। ସେହି ଯୋଜନା କୁ ଯବାନ ମାନେ ନିଷ୍କ୍ରିୟ କରିଥିବା ସେ ପ୍ରକାଶ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଡିବିଏଫ୍ କମାଣ୍ଡେଣ୍ଟ ସୁଶିଲ କୁମାରଙ୍କ ସହିତ ଯବାନମାନେ ଉପସ୍ଥିତଥିଲେ ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)