ମାଆ ଉତ୍ତରାୟଣୀଙ୍କ ଚତୁର୍ଥତମ ଯାତ୍ରା ମହୋତ୍ସବ ; ମନ ମୋହୁଛି ମାଆଙ୍କ ନଗର ପରିକ୍ରମା ।

ବେଲଗୁଣ୍ଠା, ୨୮/୦୩(ପିପିଟି ):ଗତ ୨୪ ତାରିଖ ଠାରୁ ବେଲଗୁଣ୍ଠା ବ୍ଲକ୍ କ୍ଷତ୍ରିୟବରପୁର ଠାରେ ଚାଲିଛି ମାଆ ଉତ୍ତରାୟଣୀଙ୍କ ଚତୁର୍ଥତମ ଯାତ୍ରା ମହୋତ୍ସବ । ଗତ ମଙ୍ଗଳ ବାର ଦିନ ମାଆଙ୍କୁ ଏକ ବିରାଟ ପଟୁଆରରେ ବାଘୁଆ ପାହାଡ଼ ସ୍ଥିତ ସ୍ଥାୟୀ ମନ୍ଦିରରୁ ଅଣାଯାଇ ନଗର ପରିକ୍ରମା କରାଯିବା ସହିତ କ୍ଷତ୍ରିୟବରପୁର ଗ୍ରାମରେ ନିର୍ମିତ ଅସ୍ଥାୟୀ ମଣ୍ଡପରେ ବିଜେ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ପ୍ରତ୍ୟେକ ଦିନ ମାଆଙ୍କ ଦୈନନ୍ଦିନ ନୀତିକାନ୍ତି ଅନୁଷ୍ଠିତ ହେବା ସହିତ ସନ୍ଧ୍ୟାରେ ସନ୍ଧ୍ୟା ଆଳତି କରାଯାଇ ପାରମ୍ପରିକ ବାଦ୍ୟ ବାଜଣା,ବାଘ, ବୃଷଭ, ହରିଣ,ଭାଲୁ ଆଦି ପଶୁମୁଖା ନୃତ୍ୟ,ବେଲୁନ୍ କଣ୍ଢେଇ ଆଦି ପଟୁଆରରେ ମାଆଙ୍କ ନଗର ପରିକ୍ରମା କରାଯାଉଛି । ଏହି କ୍ରମରେ ବୁଧବାର ଦିନ ଆମ୍ବବାଲି,ଗୁରୁବାର ଏବଂ ଶୁକ୍ରବାର ଦିନ କ୍ଷତ୍ରିୟବରପୁର ଓ ଶନିବାର ଦିନ କବିରାଜପୁରରେ ମାଆଙ୍କ ନଗର ପରିକ୍ରମା ଅନୁଷ୍ଠିତ ହୋଇଛି । ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ନଗର ପରିକ୍ରମା କରି ମାଆ ବିଳମ୍ବିତ ରାତ୍ରିରେ ଅସ୍ଥାୟୀ ମଣ୍ଡପରେ ବିଶ୍ରାମ ନେଉଛନ୍ତି । ପ୍ରତ୍ଯେକ ଦିନ ସନ୍ଧ୍ୟାରେ ମାଆଙ୍କ ଆଳତି ଏବଂ ଆକର୍ଷଣୀୟ ନଗର ପରିକ୍ରମା ଦେଖିବା ପାଇଁ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି । ଅନ୍ୟ ପକ୍ଷରେ ମୀନାବଜାର, ରାମ ଦୋଳି, ବ୍ରେକ୍ ଡ୍ୟାନ୍ସ୍, ଟୋରାଟୋରା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଥିବାରୁ ଆଗାମୀ ଦିନ ଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ଭିଡ଼ ଅଧିକ ହେବାର ସୂଚନା ମିଳୁଛି । କାର୍ଯ୍ୟକ୍ରମରେ ପୂଜକ ଭାବେ ପୁରୋହିତ ଅଜିତ୍ କୁମାର ଶତପଥି,କାହ୍ନୁ ହୋତା, ହରିହର ତ୍ରୀପାଠୀ ପ୍ରମୁଖ ଦାୟିତ୍ୱ ତୁଲାଉଛନ୍ତି । ଗ୍ରାମର ଯୁବକ ସଂଘ, ସ୍ଵେଚ୍ଛାସେବୀଙ୍କ ସମେତ ସମସ୍ତ ଗ୍ରାମବାସୀ ଏବଂ ଆଖପାଖ ଗ୍ରାମର ସ୍ଵେଚ୍ଛାସେବୀମାନେ କାର୍ଯ୍ୟକ୍ରମରେ ସହଯୋଗ କରୁଛନ୍ତି । ଗାଙ୍ଗପୁର ଥାନା ଅଧିକାରୀ ବନ ବିହାରୀ ପ୍ରଧାନଙ୍କ ତତ୍ତ୍ୱାବଧାନରେ ପୋଲିସ୍ ଟିମ୍ ଶାନ୍ତି ଶୃଙ୍ଖଳା ବଜାୟ ରଖିବାରେ ସହଯୋଗ କରୁଛନ୍ତି ।

ରିପୋର୍ଟ୍ -ସୁଶନ୍ତ କୁମାର ବେହେରା

Comments (0)
Add Comment