ମାଁ ଉଗ୍ରତାରାଙ୍କ ମନ୍ଦିର ପ୍ରତିଷ୍ଠା ଓ ଅଖଣ୍ଡ ନାମଯଜ୍ଞ ।

ବେଲଗୁଣ୍ଠା, ୨୪/୦୩(ପିପିଟି):ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଘୁ. ନୂଆଗାଁ ଓ ଧୁମୁଛାଇ ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ନବନିର୍ମିତ ଶ୍ରୀ ଶ୍ରୀ ଶ୍ରୀ ମାଁ ଉଗ୍ରତାରାଙ୍କ ମନ୍ଦିର ପ୍ରତିଷ୍ଠା ଓ ଚବିଶି ପ୍ରହର ଅଖଣ୍ଡ ନାମଯଜ୍ଞ ମହାସମାରୋହରେ ଜାରି ରହିଛି। ଗତ ଶନିବାରଠାରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମର ପ୍ରଥମ ଦିନରେ ଖୋର୍ଦ୍ଧା ଜିଲ୍ଲା ଭୁଷଣ୍ଢପୁରସ୍ଥିତ ମାଁ ଉଗ୍ରତାରାଙ୍କ ପୀଠରୁ ଆଜ୍ଞାମାଳ ଅଣାଯାଇଥିଲା। ଏହି ଆଜ୍ଞାମାଳକୁ ବେଲଗୁଣ୍ଠା ସହର ସମେତ ଘୁ. ନୂଆଗାଁ ଓ ଧୁମୁଛାଇ ଗ୍ରାମ ପରିକ୍ରମା କରାଯାଇ ବଡ଼ନଦୀ ସେତୁ ପାଦଦେଶରେ ନିର୍ମିତ ନୂତନ ମନ୍ଦିରରେ ସ୍ଥାପନ କରାଯାଇଥିଲା। ଏହି ଦିନ ଅଙ୍କୁରାରୋପଣ ଓ ଗର୍ଭାଧାନ୍ୟ ପରି ବିଧି ସମ୍ପନ୍ନ ହୋଇଥିଲା। ବଡ଼ ନଦୀରୁ ଗଙ୍ଗାଜଳ ବରୁଣ ଓ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଉଭୟ ଗ୍ରାମର ପ୍ରାୟ ୪୦୦ରୁ ଅଧିକ ମହିଳା ମୁଣ୍ଡରେ କଳସ ଧରି ଏକ ବିଶାଳ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ହୁଳହୁଳି, ହରିବୋଲ ଧ୍ୱନି ଏବଂ ପାରମ୍ପରିକ ବାଦ୍ୟର ତାଳେ ତାଳେ ସମଗ୍ର ଅଞ୍ଚଳରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ସୋମବାର ସକାଳୁ ଅଖଣ୍ଡ ନାମଯଜ୍ଞ ଆରମ୍ଭ ହୋଇଥିବା ବେଳେ ମନ୍ଦିରରେ ସୂର୍ଯ୍ୟପୂଜା, ଗୋପୂଜା, ଅଗ୍ନିସ୍ଥାପନ ଓ ଚଣ୍ଡୀପାଠ ଆଦି ରୀତିନୀତି ଅନୁସାରେ ଚାଲିଛି। ଆଜି ମଙ୍ଗଳବାର ଅପରାହ୍ନରେ ମହାସ୍ନାନ,ଯଜ୍ଞ କାର୍ଯ୍ୟକ୍ରମ ନିର୍ଦ୍ଧାରିତ ସମୟରେ ଅନୁଷ୍ଠିତ ହୋଇଯାଇଛି।ଆସନ୍ତାକାଲି ବୁଧବାର ଦିନ ନାନାଦେବଦେବୀ ହବନ ଓ ଜୀବନ୍ୟାସ କାର୍ଯ୍ୟକ୍ରମ ରହିଥିବା ବେଳେ, ଗୁରୁବାର (୨୬ ତାରିଖ) ଦିନ ମାଁଙ୍କ ବନ୍ଦାପନା, ନଗର ପରିକ୍ରମା, ସିଂହାସନ ଆରୋହଣ ଏବଂ ପୂର୍ଣ୍ଣାହୁତି ସହ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି।ଏହି ପବିତ୍ର ଉତ୍ସବକୁ ଦେଖିବା ପାଇଁ ବେଲଗୁଣ୍ଠା ଓ ଭଞ୍ଜନଗର ବ୍ଲକର ବିଭିନ୍ନ ପ୍ରାନ୍ତରୁ ଶହ ଶହ ଶ୍ରଦ୍ଧାଳୁଙ୍କ ଆଗମନ ହେଉଛି। ମନ୍ଦିର ପରିଚାଳନା କମିଟି ସମେତ ଉଭୟ ଗ୍ରାମର ଶତାଧିକ ଯୁବ ସ୍ୱେଚ୍ଛାସେବୀ ଶୃଙ୍ଖଳା ରକ୍ଷା ଓ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରୁଛନ୍ତି। ଶ୍ରଦ୍ଧାଳୁମାନେ ନାମାମୃତ ପାନ କରିବା ସହ ମାଁଙ୍କ ଆଶୀର୍ବାଦ ଭିକ୍ଷା କରୁଛନ୍ତି।

Comments (0)
Add Comment