ମହୁଲର ଅଭାବୀ ବିକ୍ରି,ଗାଁ ଗାଁ ରେ ଦଲାଲ : ଦର ନିର୍ଦ୍ଧାରଣ ସହ ବଜାର ବ୍ୟବସ୍ଥା ପାଇଁ ଦାବି ।

ଉଲୁଣ୍ଡା,୩୦/୦୪(ପିପିଟି); କେନ୍ଦ୍ର ଓ ରାଜ୍ୟ ସରକାର ଲଘୁ ବନଜାତ ଦ୍ରବ୍ୟ କ୍ରୟ, ବିକ୍ରୟ ଓ ବ୍ୟବହାର ସକାଶେ ସ୍ୱତନ୍ତ୍ର ନିୟମ କରିଥିଲେ ମଧ୍ୟ ପ୍ରଶାସନର ଆନ୍ତରିକ ପଦକ୍ଷେପ ଅଭାବରୁ ମହୁଲ ବ୍ୟବସାୟ ବାହାର ବ୍ୟାନସାୟୀଙ୍କ ନିୟନ୍ତ୍ରଣରେ ଚାଲୁଥିବା ଓ ସଂଗ୍ରହକାରୀ ମାନେ ଶୋଷିତ ହେଉଥିବା ଅଭିଯୋଗ ହେଉଛି ।ଚଳିତ ବର୍ଷ ସୁବର୍ଣ୍ଣପୁର ଜିଲ୍ଲାରେ ମହୁଳଫୁଲ ଉତ୍ପାଦନ ଗତବର୍ଷ ତୁଳନାରେ ବୃଦ୍ଧି ପାଇଥିଲେ ମଧ୍ୟ ଆବଶ୍ୟକ ଦର ଅଭାବରୁ ସଂଗ୍ରହକାରିମାନେ ବହୁ ସ୍ଥଳେ ଅନିଚ୍ଛା ପ୍ରକାଶ କରୁଥିବା ଦେଖିବାକୁ ମିଳିଛି । ସୂଚନା ଯୋଗ୍ୟ ଯେ ଉଲୁଣ୍ଡା ବ୍ଲକର ଜଙ୍ଗଲ ବହୁଳ ଅଂଚଳରେ ମହୁଲ ସଂଗ୍ରହ ଓ ବିକ୍ରୟକୁ ଅର୍ଥକାରୀ ଜଙ୍ଗଲଜାତ ଦ୍ରବ୍ୟ ଭାବରେ ଗ୍ରହଣ କରାଯାଇଛି । ଏହା ବିଶେଷତଃ ଫେବୃୟାରୀ ମାସରୁ ଅପ୍ରେଲ ମାସ ଯାଏଁ ସଂଗ୍ରହ କରାଯାଇଥାଏ ।ଜଙ୍ଗଲ ବହୁଳ ଅଞ୍ଚଳରେ ବଡ଼ ବଡ଼ ଗଛ ଗୁଡିକରେ ମହୁଲ ହେଉଥିବାବେଳେ ତାର ଫୁଲ ଫୁଟି ଉପଯୋଗୀ ହେଲା ପରେ ତାହା ପଡିଥାଏ । ଜିଲ୍ଲାର ଜଙ୍ଗଲ ସଂଲଗ୍ନ ଗାଁ ଗୁଡିକରେ ବଡ଼ି ଭୋରରୁ ପରିବାରର ଛୁଆଠୁ ବୁଢା ପଯ୍ୟନ୍ତ ସମସ୍ତେ ଡାଲା ଭୁଗା ଟୋପା ଧରି ମହୁଲ ସଂଗ୍ରହ ପାଇଁ ଯାଇଥାନ୍ତି । ସଂଗୃହୀତ ଫୁଲକୁ ନେଇ ଏକ ଚଟାଣରେ ଶୁଖଇଥାନ୍ତି । ଏହାକୁ ଗାଈ ଗୋରୁ ଖାଇବାକୁ ଅଧିକ ଭଲ ପାଉଥିବାବେଳେ ତାଙ୍କ ଦାଉରୁ ରକ୍ଷା ନିମନ୍ତେ ସୁରକ୍ଷିତ ସ୍ଥାନରେ ରଖିଥାନ୍ତି ।ଏହା ବିକ୍ରୟ ଉପଯୋଗୀ ହେଲା ପରେ ବିକ୍ରି କରିଥାନ୍ତି । ତେବେ ମହୁଲର ସ୍ୱତନ୍ତ୍ର ବଜାର ବ୍ୟବସ୍ଥା ନ ଥିବାରୁ ବେପାରୀ ମାନେ ଏହି ମହୁଲକୁ ସଂଗ୍ରହକାରୀଙ୍କ ଠାରୁ କମ ଦରରେ କିଣି ବାହାରେ ଅଧିକ ଦରରେ ବିକ୍ରି କରିଥାନ୍ତି । ଏଥିରେ ଦଲାଲ ମାନେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ବେଳେ ପ୍ରକୃତ ଗରିବ ମହୁଲ ସଂଗ୍ରହକାରୀ କମ ଦରରେ ବିକ୍ରି କରି ଶୋଷଣ ର ଶିକାର ହେଉଛନ୍ତି ।ସଂପ୍ରତିଏହି ଅଂଚଳରେ କିଲୋ ପ୍ରତି ୩୦ ରୁ ୩୫ ଟଙ୍କାରେ ମହୁଲ ଫୁଲ୍ ବିକ୍ରି ହେଉଥିବା ଜଣାପଡିଛି । ଗାଁ ଗୁଡିକରେ ଥିବା କିରଣ ଦୋକାନ ମନେ ମଧ୍ୟ ମହୁଲ ପ୍ରତିବଦଳରେ ରାସନ ଜିନିଷ ବିକ୍ରି କରୁଥିବାର ଦେଖିବାକୁ ମିଳୁଛି । ଅଧିକାଂଶ ସ୍ଥଳରେ ମହୁଲ ଦେଇ ଲୁଣ ବଦଳ କରିବାର ମଧ୍ୟ ଦେଖିବାକୁ ମିଳୁଛି ।ଏଠାରେ ଏହି ମହୁଲ ଫୁଲର ଅଭାବି ବିକ୍ରି ବର୍ଷ ବର୍ଷ ଧରି ରହି ଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଏହାର କୌଣସି ବଜାର ବ୍ୟବସ୍ଥା କରାଯାଉ ନ ଥିବାର ଅଭିଯୋଗ ହେଉଛି । ଫଳରେ ଗରିବ ମହୁଲ ଫୁଲ ସଂଗ୍ରହକାରୀ ମାନଙ୍କର ଜୀବନ ଜୀବିକାରେ କୌଣସି ବିକାଶ ହୋଇପାରୁନାହିଁ । ତେଣୁ ସରକାର ଏଥିପ୍ରତି ଧ୍ୟାନ ଦେଇ ମହୁଲ ଫୁଲ୍ ସଂଗ୍ରହକାରୀଙ୍କୁ ଉପଯୁକ୍ତ ପାରିଶ୍ରମିକ ବ୍ୟବସ୍ଥା କରିବାକୁ ଦାବି ହେଉଛି ।

(ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ ।)

Comments (0)
Add Comment