ପୋଲସରା ,୨୮/୦୯(ପିପିଟି) :ପୋଲସରା ଥାନା ଅନ୍ତର୍ଗତ ଚିରିକିପଡ଼ାଶାସନ ଗ୍ରାମରେ ଗତ ୨୨ ତାରିଖ ଦିନ ଏକ ହତ୍ୟା ଘଟଣା ଘଟିଥିଲା। ୫୫ ବର୍ଷ ବୟସ୍କ ସଇଲ ସେଠୀ ନାମକ ମହିଳା ଜଣକ ସକାଳ ୧୦ଟା ସମୟରେ ବାଘୁଆ ନାଳକୁ ଗାଧୋଇ ଯାଇ ଫେରୁଥିବା ସମୟରେ ଉକ୍ତ ଗ୍ରାମର ସୁରେନ୍ଦ୍ର ସେଠୀ ନାମକ ୪୮ ବର୍ଷର ବ୍ୟକ୍ତି ପୂର୍ବ ଶତୃତାକୁ କେନ୍ଦ୍ର କରି ଧାରୁଆ ଚାକୁରେ ଆକ୍ରମଣ କରି ଫେରାର ହୋଇଯାଇଥିଲା। ଏହି ଘଟଣାକୁ ନେଇ ମୃତକାଙ୍କ ପୁତ୍ର ୩୨ ବର୍ଷର କାହୁଁ ସେଠୀ ପୋଲସରା ଥାନାରେ ଆକ୍ରମଣକାରୀ ସୁରେନ୍ଦ୍ର ସେଠୀ ନାମରେ ଏତାଲା ଦାୟର କରି ଗିରଫ କରିବାସହିତ ଦଣ୍ଡ ଦେବାକୁ ଦାବୀ କରିଥିଲେ। ପରେ ଅଭିଯୋଗକୁ ଭିତ୍ତିକରି ଥାନାରେ ମାମଲା ନଂ-୬୮୫ରେ ଧାରା-୧୦୩(୧)/୩୧୧ ବି.ଏନ.ଏସ.ରେ ରୁଜୁ କରି ଫେରାର ସୁରେନ୍ଦ୍ରକୁ ଖୋଜୁଥିବାବେଳେ ଅନୁସନ୍ଧାନ ତଦନ୍ତକାରି ଅଧିକାରୀ ସଂଗ୍ରାମ କିଶୋର ସେଠୀ ଓ ଏସ.ଆଇ ପୋଲସରା ଥାନା ଷ୍ଟାଫ୍ ୨୭ ତାରିଖ ଶନିବାର ଦିନ ନୟାଗଡ ଜିଲ୍ଲା ଓଡ଼ଗାଁ ଥାନା ଅଞ୍ଚଳରୁ ହତ୍ୟାକାରୀ ସୁରେନ୍ଦ୍ରକୁ ଗିରଫ କରିବାସହିତ ତାନିକଟରୁ ବ୍ୟବହୃତ ଏକ ଚାକୁ ଜବତ କରି ପୋଲସରା ଥାନାକୁ ଆଣିଥିଲେ। ଏହି ଘଟଣାକୁ ନେଇ ପୋଲସରା ଥାନାରେ ଆହୁତ ସାମ୍ବାଦିକ ସମ୍ମିଳନୀରେ ପୁରୁଷୋତ୍ତମପୁର ପୋଲିସ ଉପଖଣ୍ଡ ଅଧିକାରୀ ସୁଜିତ୍ କୁମାର ନାଏକ ଥାନା ଆଇ.ଆଇ.ସି. କୌସିକ୍ ମାଝୀ,ତଦନ୍ତ ଅଫିସର ସଂଗ୍ରାମ କେଶରୀ ସେଠୀଙ୍କ ଉପସ୍ଥିତିରେ ସଂପୂଣ୍ଣ ଘଟଣାର ଖୁଲାସା କରିଥିଲେ। ପରେ ଆସାମୀ ସୁରେନ୍ଦ୍ରକୁ କୋର୍ଟ୍ ପଠାଇ ଦିଆଯାଇଥିବାବେଳେ ପରେ କୋର୍ଟ୍ ପକ୍ଷରୁ ଅନୁଧ୍ୟାନ କରାଯାଇ ହତ୍ୟାକାରୀକୁ କୋଦଳା ଜେଲକୁ ପଠାଇ ଦିଆଯାଇଛି।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା