ବ୍ରହ୍ମପୁର,୨୨/୦୭(ପିପିଟି):ଡବଲ ଇଞ୍ଜିନ ସରକାର ରାଜ୍ୟରେ କ୍ଷମତାସୀନ ହେବାର ୧ ବର୍ଷରେ ରାଜ୍ୟରେ ଅପ୍ରତ୍ୟାଶିତ ଭାବେ ନାରୀ ଓ ଦଳିତଙ୍କ ଉପରେ ନିର୍ଯ୍ୟାତନା ଏବଂ ସଂଖ୍ୟାଲଘୁ ଉପରେ ଆକ୍ରମଣ କ୍ଷୀପ୍ରଗତିରେ ବୃଦ୍ଧି ପାଉଛି। ଆମ ଜିଲ୍ଲାରେ ଗୋପାଳପୁର ଗଣଦୁଷ୍କର୍ମ,ବ୍ରହ୍ମପୁର ଏକ କ୍ଲିନିକରେ ଅସଦାଚରଣ, ଧରାକୋଟରେ ବର୍ବରୋଚିତ ଅମାନବୀୟ ଦଳିତ ନିର୍ଯ୍ୟାତନା ଠାରୁ ଆରମ୍ଭ କରି ଫକୀର ମୋହନ ସ୍ଵୟଂ ଶାସିତ ମହାବିଦ୍ୟାଳୟର ଛାତ୍ରୀ ତଥା ବିଜେପିର ବିଦ୍ୟାର୍ଥୀ ସଂଗଠନର ନେତୃତ୍ୱକାରୀ ଛାତ୍ରୀ ସୌମ୍ୟାଶ୍ରୀ ଉପରେ ଅକଥନୀୟ ଅତ୍ୟାଚାର ଓ ଆତ୍ମଦାହ, ବଳଙ୍ଗାର ସଂଖ୍ୟାଲଘୁ ଶ୍ରେଣୀର ନବମ ଶ୍ରେଣୀ ଛାତ୍ରୀକୁ ରାସ୍ତରୁ ଟେକିନେଇ ନିଆଁ ଲଗାଇ ମାରିବା ପାଇଁ ଉଦ୍ୟମ, କେନ୍ଦ୍ରାପଡା,ମାଲକାନଗିରି, ଅନୁଗୋଳ ଆଦି ଜିଲ୍ଲାର ଅସଦାଚରଣ, ହତ୍ୟା ଆଦି ଘଟଣାରେ ଅପରାଧିମାନେ ସିଧାସଳଖ ବିଜେପି ଓ ଆରଏସଏସର ବିଭିନ୍ନ ସଂଗଠନର ନେତା ଅଥବା ନେତାମାନଙ୍କ ଘନିଷ୍ଠ ସହଯୋଗୀ ରହିବା କୌଣସି ସଂଯୋଗ ନୁହେଁ ବରଂ ସେମାନଙ୍କ ମହିଳା ବିରୋଧି ରାଜନୀତିର ଅଂଶବିଶେଷ ଅଟେ । ଗତ ୧୧ ବର୍ଷର ବିଜେପି ଶାସିତ ରାଜ୍ୟମାନଙ୍କରେ ମହିଳା କୁସ୍ତିଯୋଦ୍ଧାଙ୍କ ଯୌନ ନିର୍ଯାତନା ଠାରୁ ଆରମ୍ଭ କରି ହାଥରସ,ଉନାଓ ପର୍ଯ୍ୟନ୍ତ ମହିଳା ବିରୋଧି ହିଂସା ଓ ନିର୍ଯ୍ୟାତନାର ପ୍ରତିଟି ଘଟଣାରେ ସେମାନଙ୍କ ସରକାର ଓ ପାର୍ଟିର ନେତୃତ୍ୱ ପିଡୀତାଙ୍କ ବଦଳରେ ଅପରାଧୀଙ୍କ ସହିତ ହିଁ ଠିଆହେବା ଦେଖାଯାଇଛି । ଗତ ୧୭ ଜୁଲାଇ ଓଡ଼ିଶା ବନ୍ଦକୁ ସଫଳ କରି ଏ ସରକାର ବିରୋଧରେ ଜନ ଆକ୍ରୋଶଥିବା ରାଜ୍ୟବାସୀ ପ୍ରମାଣିତ କରିଛନ୍ତି। ତାପରେ ମଧ୍ୟ ଉପ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ବଳଙ୍ଗାର ନବମ ଶ୍ରେଣୀ ଛାତ୍ରୀକୁ ନିଆଁ ଲଗାଇ ମାରିବା ଉଦ୍ୟମ ରାଜ୍ୟର ଆଇନ ଶୃଙ୍ଖଳା ବିପଜ୍ୟାସ୍ତ ଏବଂ ଗୁଣ୍ଡାରାଜ ଚାଲିଛି ବୋଲି ପ୍ରମାଣିତ କରିଛି।
ସବୁଠାରୁ ବଡ଼ କଥା ହେଲା ଆମେରିକା ସରକାର ଆମେରିକୀୟ ପର୍ଯ୍ୟଟକଙ୍କୁ ଓଡିଶା ଯାତ୍ରା କରିବା ସମୟରେ ସତର୍କତା ଅବଲମ୍ବନ ପାଇଁ କହିବା ସମୟରେ ଗୋପାଳପୁର ବେଳାଭୂମିରେ ଘଟିଥିବା ଯୁବତୀଙ୍କୁ ଗଣ ଦୁଷ୍କର୍ମ ଘଟଣା ଦେଶ ବିଦେଶରେ ଓଡ଼ିଶାକୁ ଲଜ୍ଜିତ କରିଥିଲା । ଚୋରି, ଡକାୟତି,ହତ୍ୟା,ନାରୀ ଓ ଦଳିତ ନିର୍ଯାତନା, ସାଇବର ଠକେଇ ଭଳି ଘଟଣା ଦିନକୁ ବଢ଼ିବାରେ ଲାଗିଛି । ରାଜ୍ୟରେ ପ୍ରତିଦିନ ୮୬ ଜଣ ମହିଳା ନିର୍ଯାତନା ଶିକାର ହୋଇଥିବା ଏନ୍ସିଆରବି ରିପୋର୍ଟରେ ଉଲ୍ଲେଖ ରହିଛି । ଏନ୍ସିଆରବି ରିପୋର୍ଟ କହୁଛି, ଓଡ଼ିଶାରେ ପ୍ରତି ୧ ଲକ୍ଷ ମହିଳାରେ ୨୨୭ ଜଣ ଅପରାଧର ଶିକାର ହେଉଛନ୍ତି । ଅସଦାଚରଣ ମାମଲାରେ ଦେଶ ଏକ ନମ୍ବର ରାଜ୍ୟ ହେଉଛି ଓଡ଼ିଶା । ରାଜ୍ୟରେ ବର୍ଷକରେ ୧୪,୮୯୧ ଜଣ ଅସଦାଚରଣର ଶିକାର, ଖାଲି ଏତିକି ନୁହେଁ ଦୁଷ୍କର୍ମ ଓ ଗଣଦୁଷ୍କର୍ମ ପରେ ମହିଳାଙ୍କୁ ହତ୍ୟା କରିବାରେ ମଧ୍ୟ ଓଡ଼ିଶା ଦେଶର ୮ ନମ୍ବର ରାଜ୍ୟ । କଲେଜ ଅଧ୍ୟକ୍ଷଙ୍କ ସମ୍ମୁଖରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଆତ୍ମାହୁତି ଦେବା ଘଟଣା ରାଜ୍ୟବାସୀଙ୍କୁ ଅଧିକ ବ୍ୟଥିତ କରିଛି ଯେ ସ୍ଵାଧୀନତାର ୭୮ ବର୍ଷ ପରେ ମଧ୍ୟ ଆମ ଦେଶର ମହିଳା ସୁରକ୍ଷିତ ନୁହନ୍ତି । ବ୍ୟବସ୍ଥାକୁ ପ୍ରଶ୍ନ କଲେ ଜୀବନ ହରେଇବା ଅତ୍ୟନ୍ତ ସମ୍ବେଦନଶୀଳ । ଏଥିରେ ସୁଧାର ଆଣିବା ବଦଳରେ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କ ମହିଳା ନିର୍ଯାତନା ଘଟଣା ଏବଂ ବିଜେଡି ସରକାର ସମୟର ମହିଳା ନିର୍ଯ୍ୟାତନାକୁ ନେଇ ଉଦାହରଣ ଦେବା ଓ ରାସ୍ତାକୁ ଓହ୍ଲାଇବା ଅତ୍ୟନ୍ତ ନିନ୍ଦନୀୟ । ବିଜେଡ଼ିର କୁଶାସନରେ ସୁଧାର ଆଣିବା ପାଇଁ ପ୍ରତିଶୃତି ଦେଇ କ୍ଷମତାକୁ ଆସିବା ଭୁଲିଯିବା ଆଗାମୀ ଦିନରେ ରାଜ୍ୟବାସୀ ଜବାବ ଦେବେ। ରାଜ୍ୟରେ ନିଯୁକ୍ତି,ରୋଜଗାର ସମସ୍ୟା ଉତ୍କଟ ରୁପ ନେଲାଣି,ଶିକ୍ଷା କ୍ଷେତ୍ରରେ ରସତଳଗାମୀ ଓ ବିପର୍ଯ୍ୟାସ୍ତ ସ୍ୱାସ୍ଥ୍ୟସେବା ନେଇ ସଂଘର୍ଷ କରୁଥିବା ବେଳେ ଡବଲ ଇଞ୍ଜିନ ସରକାର ରାଜ୍ୟରେ ଗୁଣ୍ଡାରାଜ ଶାସନ ବନ୍ଦ କରି ନିଯୁକ୍ତି,ରୋଜଗାର,ଶିକ୍ଷା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାମ କରନ୍ତୁ ନହେଲେ ରାଜ୍ୟବାସୀଙ୍କୁ କ୍ଷମା ମାଗି ଗାଦି ଛାଡ । ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ସି.ପି.ଆଇ(ଏମ୍ ଏଲ୍)ରେଡଷ୍ଟାର ର ଜିଲ୍ଲା ସଂପାଦକ ଶଙ୍କର ଇନକିଲାବ,ଜିଲ୍ଲା କମିଟି ସଦସ୍ୟା ପି ପାର୍ବତୀ,ରୋହିତ ନାହକ, ପିଙ୍କି ନାହକ,ଜୟନ୍ତୀ ନାହକ, ରୁନୁ ନାହକ,ରିନା ଦାସ,ମିନତି ଦାସ, ସନ୍ତଷିନୀ ଦାସ,ମାଳତି ଦାସ ଆଦି ସାମିଲ ହୋଇଥିଲେ।