ପୋଲସରା ,୨୭/୦୩(ପିପିଟି) : ଗଞ୍ଜାମ ଜିଲ୍ଲାର ବୁଗୁଡା ସହରର ବିରଞ୍ଚି ନାରାୟଣ କଲ୍ୟାଣ ମଣ୍ଡପ ପରିସରରେ ଓଡିଶା ରାଜ୍ୟ ମହିଳା ଆୟୋଗ ପକ୍ଷରୁ ଏବଂ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ସହଯୋଗରେ ବୁଗୁଡା ବ୍ଲକ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ୨୬-୩-୨୬ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ସଂଯୋଜକ ଦେବବ୍ରତ ମହାନ୍ତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଆଇନ ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ରାଜ୍ୟ ମହିଳା ଆୟୋଗ ସଦସ୍ୟା ଉର୍ମିଳା ମହାପାତ୍ର ଏବଂ ସମ୍ମାନିତ ଅତିଥି ଭାବେ ସମାଜସେବୀ ପୂର୍ଣ୍ଣିମା ଦାସ, ବୁଗୁଡା କୋର୍ଟର ସରକାରୀ ଓକିଲ ହରପ୍ରସାଦ ଦାଶ, ବୁଗୁଡା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ମେଡ଼ିକାଲ ଅଫିସର ଡାକ୍ତର ପଦାରବିନ୍ଦ ଷଡଙ୍ଗୀ, ବୁଗୁଡା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ଏନଏସି ଉପାଧ୍ୟକ୍ଷା ଗୀତାଞ୍ଜଳି ପାଢ଼ୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ପାର୍ବତୀ ସୋରେନ, ଆସିକା ସାଂସଦ ପ୍ରତିନିଧି ଉତ୍ତମ କୁମାର ଦାସ, ଜିଲ୍ଲା ମହିଳା ସୁରକ୍ଷା ଅଧିକାରି ଡି.ନାଗରତ୍ନମ ଓ ବୁଗୁଡା ସିଡିପିଓ ବବିତା କୁମାରୀ ପଣ୍ଡା ଯୋଗଦେଇଥିଲେ। ଅତିଥି ବୃନ୍ଦ ବାଲ୍ୟ ବିବାହ, ନାରୀ ନିର୍ଯ୍ୟାତନା, କନ୍ୟା ଭୃଣ ହତ୍ୟା, ଯୌତୁକ ନିର୍ଯ୍ୟାତନା, ନାବାଳିକାଙ୍କ ପାଇଁ ପୋସକୋ ଆଇନ ପ୍ରଭୃତି ବିଷୟରେ ସରକାରଙ୍କ ଆଇନଗତ କାର୍ଯ୍ୟାନୁଷ୍ଠାନ ଓ ସହାୟତା ବିଷୟରେ ଆଲୋକପାତ କରିଥିଲେ। ଏହି ବ୍ଲକ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମରେ ବ୍ଳକର ସମସ୍ତ ସୁପ୍ରଭାଇଜର, ଆଇସିଡିଏସ ର ସମସ୍ତ କର୍ମଚାରୀ, ସମସ୍ତ ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ଓ ଏସଏଚଜି ର ମାଆ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଶେଷରେ ସିଡିପିଓ ବବିତା କୁମାରୀ ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା