ବେଲଗୁଣ୍ଠା, ୨୬/୦୨(ପିପିଟି) : ପବିତ୍ର ମହା ଶିବରାତ୍ରି ଉପଲକ୍ଷେ ବେଲଗୁଣ୍ଠା ର ବିଭିନ୍ନ ଶୈବ ପୀଠ ଚଳଚଞ୍ଚଳ ହେବା ସହିତ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥିଲା I ବେଲଗୁଣ୍ଠା ର ବାଲୁଙ୍କେଶ୍ୱର ମନ୍ଦିର ସମେତ, ଚନ୍ଦ୍ର କଳ୍ପେଶ୍ୱର,ନାୟକପଡ଼ାର ବୈଦ୍ୟନାଥ ପୀଠ , ଗୋଲାପଡ଼ାର ସ୍ଵପ୍ନେଶ୍ଵର ଆଦି ଶିବ ମନ୍ଦିରରେ ସକାଳୁ ସକାଳୁ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥିଲା I ମନ୍ଦିର ଗୁଡିକରେ ଭୋର୍ ରୁ ନୀତିକାନ୍ତି ସହିତ ଦେବ ଦେବଙ୍କ ଦର୍ଶନ ଆରମ୍ଭ ହୋଇଥିଲା I ସମୟ ବଢିବା ସହିତ ଗହଳି ମଧ୍ୟ ବଢ଼ିଥିଲା I ମନ୍ଦିର ଗୁଡ଼ିକ ସମ୍ମୁଖରେ ପଳାଶଫୁଲ ,ବେଲପତ୍ର, ଦୀପ ଭଳି ପୂଜାସାମଗ୍ରୀ ସହିତ ଛୋଟପିଲାଙ୍କ ପାଇଁ ଖେଳନା ସାମଗ୍ରୀର ବେପାର ବେଶ୍ ଜମିଥିଲା I ସନ୍ଧ୍ୟା ସମୟରେ ମନ୍ଦିର ଗୁଡ଼ିକ ଆଲୋକମାଳାରେ ଝଲସିବା ସହିତ ମନ୍ଦିର ପରିସରରେ ଶହ ଶହ ଭକ୍ତ ଜାଗର ଦୀପ ଜାଳି ବସିଥିଲେ I ମନ୍ଦିର ଗୁଡ଼ିକରେ ଭଜନ,କୀର୍ତ୍ତନ ,ଅଷ୍ଟପ୍ରହରୀ ତଥା ଅନ୍ନ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଶହ ଶହ ଶ୍ରଦ୍ଧାଳୁ ପ୍ରସାଦ ସେବନ କରିବା ଦେଖିବାକୁ ମିଳିଥିଲା।ମନ୍ଦିର ଗୁଡିକରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା I ବେଲଗୁଣ୍ଠା ନିକଟସ୍ଥ ଉଢୁରା ନୂଆଁ ସାହି ଓ କୋକୋଲୁଣ୍ଡ ଗ୍ରାମରେ ଚବିଶି ପ୍ରହର ଅଖଣ୍ଡ ନାମ ଯଜ୍ଞ ସହିତ ଅନ୍ନ ଯଜ୍ଞ ର ବ୍ୟବସ୍ଥା ହୋଇଅଛି I ଏହି ଯଜ୍ଞ ତିନି ଦିନ ଚାଲିବ ବୋଲି ଗ୍ରାମ୍ୟ କମିଟି ତରଫରୁ ସୂଚନା ରହିଛି। ଆଜି ପ୍ରତି ଶୈବ ପୀଠ ରେ ମଧ୍ୟ ରାତ୍ରିରେ ମହାଦୀପ ଉଠିବାର କାର୍ଯ୍ୟକ୍ରମ ରହିଛି I
ରିପୋର୍ଟ- ସୁଶାନ୍ତ କୁମାର ବେହେରା