ମହାମାୟାଙ୍କ ଆଗମନ ପାଇଁ କଟକ ଚଳଚଞ୍ଚଳ ।

କଟକ,୦୯/୧୦(ପିପିଟି): ଧରାପୃଷ୍ଠକୁ ଆସୁଛନ୍ତି ମା’ ଦୁର୍ଗା। ମହାମାୟାଙ୍କ ଆବାହନ ପାଇଁ ଏବେଠାରୁ ଚଳଚଞ୍ଚଳ ହୋଇଉଠିଛି କଟକ ସହର। ଆଉ ଅଳ୍ପ କିଛି ଦିନ ପରେ ଆରମ୍ଭ ହେବ ଦୁର୍ଗାପୂଜା। ଏଥିପାଇଁ ବିଭିନ୍ନ ପୂଜାମଣ୍ଡପରେ ମୂର୍ତ୍ତି ନିର୍ମାଣ, ମେଢ଼ ପ୍ରସ୍ତୁତି ଓ ମଣ୍ଡପ ସାଜସଜ୍ଜା କାମ ଜୋରସୋରରେ ଚାଲିଛି। ମା’ଙ୍କ ଆଗମନକୁ ଭବ୍ୟ ଓ ଆକର୍ଷଣୀୟ କରିବା ପାଇଁ କାରିଗରଙ୍କଠାରୁ ଆରମ୍ଭ କରି ପୂଜା କମିଟିର କର୍ମକର୍ତ୍ତାମାନେ ଦିନରାତି ଏକ କରିଦେଇଛନ୍ତି।
ପରମ୍ପରା ଅନୁଯାୟୀ, ଅମାବାସ୍ୟା ତିଥିରେ ମା’ଙ୍କ ମୃଣ୍ମୟୀ ପ୍ରତିମାରେ ଖଡ଼ି ଲାଗି କରାଯିବ। ଏହାର ଦୁଇଦିନ ପରେ ମୂର୍ତ୍ତିରେ ରଙ୍ଗ ଦେବା କାମ ଆରମ୍ଭ ହେବ। ପୂଜା ପୂର୍ବରୁ ଏହି କାମ ଶେଷ କରିବାକୁ କାରିଗରମାନେ ଲକ୍ଷ୍ୟ ରଖିଛନ୍ତି। ଏହାପରେ ମା’ଙ୍କୁ ସୁନ୍ଦର ବସ୍ତ୍ର, ଆଭୂଷଣ ଓ ଅଳଙ୍କାରରେ ସଜ୍ଜିତ କରାଯିବ। ଅନ୍ୟପଟେ ଜରି ମେଢ଼ ନିର୍ମାଣ ଓ ମଣ୍ଡପର ରଙ୍ଗ କାମ ମଧ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି।

ଜରି କାମ ପ୍ରାୟ ଶେଷ ହୋଇଆସୁଥିବାରୁ ଏବେ ମଣ୍ଡପରେ ମେଢ଼ ଖଞ୍ଜିବା କାମରେ ଲାଗିପଡ଼ିଛନ୍ତି କାରିଗର। ଆସନ୍ତା ୧୩ ତାରିଖ ସୁଦ୍ଧା ମା’ଙ୍କ ମୂର୍ତ୍ତି ଓ ମେଢ଼ ପ୍ରସ୍ତୁତି ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ପାଗ ଅନୁକୂଳ ରହିଥିବାରୁ ବିଭିନ୍ନ ପୂଜାମଣ୍ଡପରେ ତୋରଣ ନିର୍ମାଣ, ଆଲୋକସଜ୍ଜା ଓ ଅନ୍ୟାନ୍ୟ ସାଜସଜ୍ଜା କାମ ମଧ୍ୟ ଜୋରଦାର ଭାବେ ଚାଲିଛି। ପୂଜାକୁ ଆକର୍ଷଣୀୟ କରିବା ପାଇଁ ଆୟୋଜକମାନେ ସମସ୍ତ ପ୍ରସ୍ତୁତିକୁ ଶେଷ ରୂପ ଦେଉଛନ୍ତି।

Comments (0)
Add Comment