ମହାବିଷୁବ ସାରସ୍ୱତ ସମାରୋହ : ୨୦୨୪ ପାଳନ ଅବସରରେ ନାଟକ ପୁସ୍ତକ ଲୋକାର୍ପଣ ।

ବ୍ରହ୍ମପୁର,୧୫/୦୪(ପିପିଟି): ପବିତ୍ର ମହା ବିଷୁବ ସଂକ୍ରାନ୍ତି ଅବସରରେ ନାଟ୍ୟକାର ତଥା ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ତିନିଗୋଟି ନାଟକକୁ ନେଇ ଏକ ପୁସ୍ତକ ‘ଅଶାନ୍ତ ଚରିତ ଓ ଅନ୍ୟାନ୍ୟ ନାଟକ’ ଅତିଥିମାନଙ୍କ କରକମଳରେ ଲୋକାର୍ପିତ ହୋଇଯାଇଛି ।

ଓଡ଼ିଶାର ଅନ୍ୟତମ ପୁରାତନ ସାହିତ୍ୟାନୁଷ୍ଠାନ କଳିଙ୍ଗ ସାହିତ୍ୟ ସମାଜ ଆନୁକୂଲ୍ୟରେ ରବିବାର ସନ୍ଧ୍ୟାରେ ଐତିହାସିକ ଉତ୍କଳ ଆଶ୍ରମ ସଭାଗୃହରେ ‘ମହାବିଷୁବ ସାରସ୍ୱତ ସମାରୋହ’ ଏକ ବର୍ଣ୍ଣାଢ୍ୟ ଭାବପୂର୍ଣ୍ଣ ବାତାବରଣ ମଧ୍ୟରେ ଏହି ପୁସ୍ତକ ଲୋକାର୍ପଣ ହୋଇଛି । ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ତଥା କଳିଙ୍ଗ ସାହିତ୍ୟ ସମାଜର ସଭାପତି ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀ, ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ମଞ୍ଚ ଉଦ୍ଘୋଷକ ତଥା ବ୍ରହ୍ମପୁର ଆକାଶବାଣୀର ପ୍ରାକ୍ତନ କେନ୍ଦ୍ର ନିର୍ଦ୍ଦେଶକ ହୃଷୀକେଶ ପାଣିଗ୍ରାହୀ,ସ୍ନାତକୋତ୍ତର ଇତିହାସ ବିଭାଗ ପ୍ରାକ୍ତନ ମୁଖ୍ୟ ତଥା ବିଶିଷ୍ଟ ପ୍ରବାଚକ ପ୍ରଫେସର୍ ମଦନ ମୋହନ ମହାପାତ୍ର,ବରିଷ୍ଠ ସାମ୍ବାଦିକ ଶକ୍ତିଧର ରାଜଗୁରୁ,ଅଧ୍ୟାପକ ଡ. ହୃଷୀକେଶ ପଣ୍ଡା ,ବିଶ୍ୱ ଭାରତୀ ଶାନ୍ତିନିକେତନ ସହକାରୀ ପ୍ରଫେସର ତଥା ସଂପାଦକ ଡ.ଶରତ କୁମାର ଜେନା,ମାଧ୍ୟମିକ ଶିକ୍ଷା ପରିଷଦ ଦକ୍ଷିଣାଞ୍ଚଳ ଉପ ସଚିବ ତଥା ସାହିତ୍ୟ ସମାଜର କାର୍ଯ୍ୟକାରୀ ସମିତି ସଦସ୍ୟ ଡ. କୁଳମଣି ଓଝା, ପ୍ରାକ୍ତନ ଅଧକ୍ଷ ତଥା ଉପ-ସଭାପତି ଡ.ବନମାଳୀ ପାଣିଗ୍ରାହୀ ତଥା ବହୁ ସାହିତ୍ୟିକ ଏବଂ ବହୁ ନାଟ୍ୟ କଳାକାର ମାନଙ୍କ ଗହଣରେ ନାଟ୍ୟକାର ରବି ନାରାୟଣ ବେହେରାଙ୍କ ବିରଚିତ ଓ ସଫଳ ମଞ୍ଚସିନ ତିନିଟି ନାଟକର ସଂକଳିତ ପୁସ୍ତକ ‘ଅଶାନ୍ତ ଚରିତ ଓ ଅନ୍ୟାନ୍ୟ ନାଟକ’ ଅତିଥିମାନଙ୍କ କରକମଳରେ ଲୋକାର୍ପିତ ହୋଇଥିଲା । ଏଠାରେ ପ୍ରକାଶ ଥାଉ କି ନାଟ୍ୟକାର ଶ୍ରୀ ବେହେରାଙ୍କ ଏହି ତିନୋଟି ନାଟକ ବିଭିନ୍ନ ସ୍ଥାନରେ ପରିବେଷଣ ହୋଇ ଅନେକ ପୁରସ୍କାର ପାଇବା ସାଥେ ସାଥେ ସର୍ବ ଭାରତୀୟ ସ୍ତରରେ ସୁନାମ ଅର୍ଜନ କରିଛି ।

Comments (0)
Add Comment