ମଶାଣିରୁ ଦରପୋଡା ଶବ ଉଦ୍ଧାର, ସ୍ବାମୀ ଫେରାର, ୫ ଅଟକ ।

ଗାଙ୍ଗପୁର,୨୦/୦୫(ପିପିଟି), ଜଣେ ବୋହୂକୁ ଯୌତୁକ ନିର୍ଯ୍ୟାତନା ଦେଇ ମାରି ଦେଇଥିବା ଅଭିଯୋଗ ଆଣିଛନ୍ତି ମୃତା ବୋହୂର ପିତା ଗଞ୍ଜାମ ଜିଲ୍ଳା ବେଲଗୁଣ୍ଠା ବ୍ଳକ୍ ର ମକରାପଲ୍ଲୀ ଗ୍ରାମର ସତ୍ୟ ନାରାୟଣ ଗୌଡ । ସତ୍ୟ ନାରାୟଣଙ୍କ ଅଭିଯୋଗ ପ୍ରକାରେ ସେ ତାଙ୍କ ଝିଅ ଶିବାନୀ(୧୯) ଙ୍କୁ ଗତ ବର୍ଷ ଆଷାଢ ମାସରେ ଖାରିଗୁଡା ଗ୍ରାମର ଶତୃଘ୍ନ ଗୌଡ଼ାଙ୍କ ପୁଅ ପିଣ୍ଟୁ ଗୌଡ ଓରଫ ନାଜା ଗୌଡ଼ାଙ୍କ ସହ ବୈଦିକ ରୀତିରେ କୂଳ ସମାଜର ସହମତି କ୍ରମେ ବିବାହ ଦେଇଥିଲେ । ବିବାହ ସମୟରେ ବରପକ୍ଷଙ୍କ ଦାବି ମୁତାବକ ସତ୍ୟନାରାୟଣ ନଗଦ ୬୦୦୦୦ ଟଙ୍କା ସହିତ ସୁନା ମୁଦି, ସୁନା ଚେନ୍ ଏବଂ ଅନ୍ୟାନ୍ୟ ଘର କରଣା ସାମଗ୍ରୀ ମଧ୍ଯ ଦେଇଥିଲେ । କିନ୍ତୁ ଏତିକିରେ ଶଶୁର ଘର ମନ ପୁରି ନଥିଲା । ବିବାହ ପରଠାରୁ ଶଶୁର ଘର ଲୋକେ ନିୟମିତ ଭାବେ ଶିବାନୀକୁ ଯୌତୁକ ନିର୍ଯ୍ୟାତନା ଦେଇଆସୁଥିଲେ । ଝିଅର କଷ୍ଟ ସହି ନପାରି ସତ୍ୟନାରାୟଣ ୧୫ ଦିନ ତଳେ ତିନି ଲକ୍ଷ ଟଙ୍କାର ଘର କରଣା ସାମଗ୍ରୀ କିଣି ଆଣିଦେଇଥିଲେ ମଧ୍ୟ ଶଶୁର ଘର ତରଫରୁ ଆହୁରି ୪୦୦୦୦ ଟଙ୍କା ଦେବା ପାଇଁ ଦାବି କରାଯାଇଥିଲା । ଗତ କାଲି କୌଣସି ସୂତ୍ରରୁ ଖବର ପାଇ ସତ୍ୟନାରାୟଣ ନିଜ ଝିଅର ଶବକୁ ଖାରିଗୁଡା ଶ୍ମଶାନରେ ଦରପୋଡ଼ା ଅବସ୍ଥାରେ ପାଇଥିଲେ । ଏହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ସତ୍ୟନାରାୟଣ । ସେ ଶିବାନୀଙ୍କ ଶାଶୁ କୁସୁମଲତା ଗୌଡ଼(୪୨),ଶଶୁର ଶତ୍ରୁଘ୍ନ ଗୌଡ (୫୫),ଜ୍ଵାଇଁ ପିଣ୍ଟୁ ଗୌଡ, ଦେଢଶୁର ରିଙ୍କୁ ଗୌଡ (୨୬) ଏବଂ ମାମୁଁ ଶଶୁର ସୁଶାନ୍ତ ଗୌଡ଼ (୩୯) ରାତିରେ ଶିବାନୀଙ୍କୁ ନିର୍ଦ୍ଦୟ ଭାବେ ମାଡ଼ ମାରି କୂଅରେ ପକାଇ ମାରିଦେବା ସହିତ ସକାଳେ ତରବରରେ ଶ୍ମଶାନରେ ପୋଡ଼ିଦେଇଥିବା ଗାଙ୍ଗପୁର ଥାନାରେ ଅଭିଯୋଗ କରିଛନ୍ତି ସତ୍ୟନାରାୟଣ । ସତ୍ୟନାରାୟଣଙ୍କ ଅଭିଯୋଗ ପ୍ରକାରେ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଦରପୋଡ଼ା ଶବକୁ ଜବତ କରି ବ୍ରହ୍ମପୁର ଏଫ୍ଏମଟିକୁ ପଠାଇ ଦେବା ସହିତ ପାଞ୍ଚ ଜଣଙ୍କୁ ଅଟକ ରଖିଥିବା ବେଳେ ସ୍ୱାମୀ ପିଣ୍ଟୁ ଫେରାର୍ ହୋଇଯାଇଥିବା ପୋଲିସ୍ ସୂତ୍ରରୁ ପ୍ରକାଶ ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Comments (0)
Add Comment