***ମଳୟ ପରଶେ***

ମଳୟ ପରଶେ ବସନ୍ତ ଛିଟା
ମଧୁପ ଗୁଞ୍ଜନ ଶ୍ରୁତିକୁ ମିଠା….!!
ତରୁ ଲତା ଡାଳେ ସୁମନ ଗୁଛ
ନାନା ବିଭୂଷଣେ ମାଣିକ ତୁଛ….!!
ସୈାରଭ ମଳୟେ ହୋଇ ମିଶ୍ରିତ
ହରଇ ବିଷାଦ ପ୍ରସନ୍ନ ଚିତ୍ତ….!!
ସୌନ୍ଦର୍ଯ୍ୟ ପସରା ବିପଣି ମେଳା
ଚାରୁ ଚିତ୍ରପଟ ପ୍ରକୃତି ଲୀଳା….!!
ବିଚିତ୍ର ଲାଗଇ ଅପୂର୍ବ ଛବି
ବସନ୍ତ ବିଭବେ ବିମୁଗ୍ଧ କବି….!!
ରସୋତୀର୍ଣ୍ଣ ଶୋଭା ଅରଣ୍ୟ କାନ୍ତି
ମୃଦୁ ମନ୍ଦେ ଝର କରଇ ଗତି…!!
ମଞ୍ଜୁଳ କଣ୍ଠେ କଳକଣ୍ଠ ଗୀତି
ଶ୍ରବଣେ ବିଷାଦୁ ମିଳେ ମୁକତି….!!
ରଜନୀକର ରଜନୀ କର ଢାଳି
ବିରହୀ ହୃଦୟେ କାମନା ଜାଳି….!!
ନିର୍ମଳ ଗଗନ କି ଶୋଭାବନ…..
ବିସ୍ମିତ କରୁଛି ବେନି ନୟନ…..!!
ନିଶି ଅମ୍ବରେ ନକ୍ଷତ୍ର ମାଳ……
ଅପୂର୍ବ ସୌନ୍ଦର୍ଯ୍ୟ ହୋଇଛି ଠୁଳ….!!
ପ୍ରେମିକା ପ୍ରେମିକ ମଳୟ ସ୍ପର୍ଶେ
ପ୍ରୀତି ଆରମ୍ଭନ୍ତି ହୋଇ ହରଷେ…!!
ଫଗୁଣରେ ମନ୍ଦ ମଳୟ ବହି
ମନ୍ମଥ ବାଣରେ ଦେହକୁ ଦହି….!!
ବୃଦ୍ଧକୁ କରଇ ଯୁବ ଭାବନା…..
ବସନ୍ତ ରସାଏ ସୁରସେ ସିନା….!!
ସ୍ବଳ୍ପ ଜ୍ଞାନ କବି ରଚିବି କିବା…
ବର୍ଣ୍ଣିବାକୁ ଶବ୍ଦ ପ୍ରକୃତି ଆଭା….!!

(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)

Comments (0)
Add Comment