ମରଣାନ୍ତକ ଆକ୍ରମଣ ଅଭିଯୋଗରେ ଡେଲାଙ୍ଗ ଅଞ୍ଚଳର ୫ଗିରଫ ।

ଭଞ୍ଜନଗର, ୦୨/୦୮(ପିପିଟି) : ସ୍ଥାନୀୟ ବେଲଗୁଣ୍ଠା ରୋଡ଼ ଜାମ ପଲି ଛକ ନିକଟ ଝାଙ୍କରେଇ ମନ୍ଦିର ସାମ୍ନାରେ ଗତ ୩୧ତାରିଖରେ ମଧ୍ୟରାତିରେ ଏଲ ଆଣ୍ଡ ଟି କମ୍ପାନୀର ଜଣେ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ଭଞ୍ଜନଗର ପୋଲିସ ପୁରୀ ଡେଲାଙ୍ଗ ଅଞ୍ଚଳର ୫ଜଣଙ୍କୁ ଗିରଫ କରିଛି।ସୂଚନା ଅନୁସାରେ ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ଗୋବରା ଅଞ୍ଚଳର ଗଣ୍ଡପଡ଼ା ନୂଆ ସାହିର ସୋମନାଥ ପଣ୍ଡା (୨୬) ପୂର୍ବରୁ ଖୋର୍ଦ୍ଧାର ବୋଲାଗଡ଼ରେ ଏଲ ଆଣ୍ଡ ଟି ଫାଇନାନ୍ସ କମ୍ପାନୀରେ ନିଜ ଗ୍ରାମର ଆଶୁତୋଷ ବାରିକ (୨୫) ନାମକ ଜଣେ ବ୍ୟକ୍ତିଙ୍କ ସହିତ କାମ କରୁଥିଲେ।କିଛି ଦିନ ପରେ ସୋମନାଥ ଙ୍କର ଭଞ୍ଜନଗରକୁ ବଦଳି ହୋଇଥିଲା।ହେଲେ ବୋଲଗଡ଼ ଛାଡିବା ପୂର୍ବରୁ ସେ ରହୁଥିବା ଭଡା ଘରଟି ଆଶୁତୋଷଙ୍କୁ ଦେଇଥିଲେ। ଉକ୍ତ ଘରେ ଆଶୁତୋଷ ଜଣେ ମହିଳାଙ୍କୁ ଅନେକ ଥର ଡାକି ତାଙ୍କ ସହିତ ଅବୈଧ ସମ୍ପର୍କ ରଖୁଥିଲେ। ଘର ମାଲିକ ଏସବୁ ଜାଣିବା ପରେ ସୋମନାଥଙ୍କୁ ସମସ୍ତ ଘଟଣା କହିବା ପରେ ସେ ଆଶୁତୋଷକୁ ଉକ୍ତ ଘରୁ ବାହାର କରିବା ଦେବା ପାଇଁ କହିଥିଲେ।ଫଳରେ ମାଲିକ ଆଶୁତୋଷକୁ ନିଜ ଘରୁ ଉଠାଇ ଦେଇଥିଲେ।ବନ୍ଧୁ କଥାରେ ତାକୁ ମାଲିକ ଘରୁ ବାହାର କରିବା ଜାଣି ଆଶୁତୋଷ କ୍ରୋଦ୍ଧାନ୍ବିତ ହୋଇ ସୋମନାଥ ସହିତ ୨ମାସ ପର୍ଯ୍ୟନ୍ତ କୌଣସି ସମ୍ପର୍କ ରଖି ନଥିଲେ। ହଠାତ୍ ଗତ ୩୧ତାରିଖ ଦିନ ପ୍ରାୟ ୧୨ଟା ସମୟରେ ଆଶୁତୋଷ ଫୋନ୍ କରି ସୋମନାଥକୁ ଖରାପ ଭାଷାରେ ଗାଳି ଦେଇଥିଲେ।ପୁଣି ରାତି ୯ଟା ସମୟରେ ଆଶୁତୋଷ ଫୋନ କରି ସୋମନାଥଙ୍କୁ ଗାଳି କରିବା ସହ ଧମକ ଦେଇ ସେ ରହୁଥିବା ସ୍ଥାନ ସମ୍ପର୍କରେ ପଚାରିବାରୁ ସୋମନାଥ ଭଞ୍ଜନଗରରେ ରହୁଛନ୍ତି ବୋଲି କହିଥିଲେ। ତାପରେ ରାତି ପ୍ରାୟ ୧୧:୩୦ମିନିଟ ସମୟରେ ଆଶୁତୋଷ ଭଞ୍ଜନଗରରେ ପହଞ୍ଚି ଜାମପାଲି ଛକ ନିକଟ ଝାଙ୍କରେଇ ମନ୍ଦିର ସାମ୍ନାରେ ରହି ସୋମନାଥକୁ ଆଲୋଚନା ପାଇଁ ସେଠାକୁ ଡ଼ାକିଥିଲେ।ଫଳରେ ସୋମନାଥ ଅନ୍ୟ ଦୁଇ ସାଙ୍ଗ ହରି ଓ ବିଭୁ ସହ ସେହି ସ୍ଥାନରେ ପହଞ୍ଚିଥିଲେ।ହେଲେ ସେ ଜାଣି ନଥିଲେ ଯେ ଆଶୁତୋଷ ଏକ ଧଳା ରଙ୍ଗର କାରରେ ଆସିଛନ୍ତି।ତେଣୁ ସେ ଆଶୁତୋଷଙ୍କ ସହ କଥା ହେଉଥିବା ସମୟରେ ଡୁଗୁ, ବାବୁ ଏବଂ ଦିଲୁ ନାମକ ବ୍ୟକ୍ତିମାନେ ହଠାତ୍ ଗାଡ଼ିରୁ ଓହ୍ଲାଇ ତାଙ୍କ ଉପରେ ଆକ୍ରମଣ କରିଥିଲେ। ଅଭିଯୁକ୍ତ ଡୁଗୁ ତାଙ୍କୁ ଛୁରୀରେ ଆକ୍ରମଣ କରିବା ସମୟରେ ତାଙ୍କ ବନ୍ଧୁ ବିଭୁ ପ୍ରତିରୋଧ କରିଥିଲେ, ଯାହା ଫଳରେ ତାଙ୍କ ହାତରେ ଆଘାତ ଲାଗିଥିଲା। ଅଭିଯୁକ୍ତ ଦିଲୁ ମଧ୍ୟ ତାଙ୍କୁ ଆକ୍ରମଣ କରିଥିଲେ। ବାବୁ ତାଙ୍କ ଆଡ଼କୁ ପିସ୍ତଲ ଦେଖାଇ ହତ୍ୟା କରିବାକୁ ଧମକ ଦେଇଥିଲେ। ପରେ ଅଭିଯୁକ୍ତ ଆଶୁତୋଷ ପିସ୍ତଲ ଛଡ଼ାଇ ନେଇ ତାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ। ବିଭୁ ଏବଂ ଡୁଗୁ ସୋମନାଥର ମୋଟର ସାଇକେଲକୁ କ୍ଷତି ପହଞ୍ଚାଇ ଥିଲେ। ପରେ ଜଣାପଡିଲା ଯେ ସେମାନଙ୍କ ମଧ୍ୟରୁ ଜଣେ ସିପୁ, ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲା। ସେତେବେଳେ ଭଞ୍ଜନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ସହ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଯେଉଁମାନେ ଏସବୁ ଅପରାଧ କରିଥିବା ସ୍ୱୀକାର କରିଛନ୍ତି।ତଦନ୍ତ ସମୟରେ ସେମାନଙ୍କ ଠାରୁ ଏକ ସ୍ୱିଫ୍ଟ ଡିଜାର କାର, ଗୋଟିଏ ଛୁରୀ, ଗୋଟିଏ ପିସ୍ତଲ ଓ ମାଗାଜିନ ଏବଂ ୩ଟି ଜୀବନ୍ତ ଗୁଳି ଜବତ କରାଯାଇଛି।ଏହି ଘଟଣାରେ ଭଞ୍ଜନଗର ଥାନା କେସ ନଂ ୮୯୬/୨୫, ଦଫା ୨୯୬/୩୫୧(୨)/୧୦୯/୧୧୫(୨)/୧୨୬(୨)/୧୧୮(୧)/୩୨୪(୪)/୩(୫) BNS/RWS ୨୫(୧-B)(A) ଦଣ୍ଡ ସଂହିତା ଅନୁଯାୟୀ ମାମଲା ରୁଜୁ କରାଯାଇଛି।ଅଭିଯୁକ୍ତ ମାନେ ହେଲେ ଡେଲାଙ୍ଗ ଥାନା ସୁଡୋଙ୍ଗଇ ଗ୍ରାମର ସନ୍ତୋଷ ପରିଡ଼ା, ଶକ୍ତିକାନ୍ତ ପରିଡ଼ା ଓ ସୁରେଶ ପରିଡ଼ା,ତାରାବୋଇ ଗ୍ରାମର ସୁମନ୍ତ ଭଟ୍ଟ ଓ ମୁଖ୍ୟ ଅଭିଯୁକ୍ତ ଆଶୁତୋଷ ବାରିକ।ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଭଞ୍ଜନଗର ଥାନାଧିକାରୀ ଜୀବନାନନ୍ଦ ଜେନା କହିଛନ୍ତି।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Comments (0)
Add Comment