*** ମନ ତଳର ସ୍ବପ୍ନ***

୧୯୮୨ ମସିହା କଥା। ଗୋପାଳ ମେଟ୍ରିକ ଉତ୍ତୀର୍ଣ୍ଣ ହେଲା ପରେ ପରେ ଭଞ୍ଜନଗର କର୍ମ ନିୟୋଜନ କାର୍ଯ୍ୟାଳୟରେ ନାମକୁ ସରକାରୀ ଚାକିରି ଖଣ୍ଡେ ପାଇବା ଉଦ୍ଦେଶ୍ୟରେ ପଞ୍ଜୀକରଣ କଲା। ସେତେବେଳେ କଂଗ୍ରେସ ଶାସନ ଚାଲିଥାଏ । ଗରିବ ଘରେ ଜନ୍ମ ହେତୁ ଆଗକୁ ଆଉ ପାଠ ପଢିବାର ଇଛା ଥିଲେ ମଧ୍ୟ ଆର୍ଥିକ ସ୍ବଛଳତା ନଥିବାରୁ ଅଟକି ଗଲା ଅଧ୍ୟୟନ। ବାପା ଦିନ ମଜୁରିଆ। ପୁଅ ଗୋପାଳ ଛୋଟ ହେଉ କି କି ମୋଟ ହେଉ ସରକାରୀ ଚାକିରି ଖଣ୍ଡେ କଲେ, ଘର ଗୁଜୁରାଣ ମେଣ୍ଟିବ। ଗରିବ ଘରର ବାପା ମାଆଙ୍କ ସ୍ବପ୍ନ ଆଉ କ’ଣ?
ଯେତେବେଳେ ଭଞ୍ଜନଗର କର୍ମ ନିୟୋଜନ କାର୍ଯ୍ୟାଳୟରୁ କଲ୍ ଲେଟର ଗୋପାଳ ପାଖରେ ପହଞ୍ଚେ ଡାକ ପିଅନ ମାଧ୍ୟମରେ
ଗାଁ ରେ ଚର୍ଚ୍ଚା ହୁଏ। ଗୋପାଳର ଚାକିରି ଆସିଛି। ଗୋପାଳ ର ମା’ କୁ ଯେତେବେଳେ ଗାଧୁଆ ତୁଠରେ କିଏ ପଚାରେ – ଗୋପାଳ ବୋଉ,ତୋ ପୁଅର କଣ ଚାକିରି ଆସିଛି ବୋଲି ଶୁଣିଲି। ଗୋପାଳ ବୋଉ – କହେ ମୁଁ ଜାଣିନି, ପୁଅ କହୁଥିଲା, କୁଆଡେ କଲ୍ ଲେଟର ଆସିଛି। ବରହମପୁରରେ ଇଣ୍ଟରଭ୍ଯୁ ହେବ। ସେଥିରେ ପାଶ କଲେ,ଯାଇ ଚାକିରି ମିଳିବ।ନ ହେଲେ ନାଇଁ। ଏଇଟା ଚାକିରି ନାଇଁ। ମୁଁ ତ ମୁରୁଖ ନୋକ , ଏତେ କଥା ଜାଣିବି କିପରି ?
ଗୋପାଳ ଏକ ନିପଟ ମଫଲରେ ରହେ । ସେଠାରେ ପାଠୁଆ
କହିଲେ ନଗଣ୍ୟ। ଗାଁ ଗହଳ ଲୋକମାନେ ପାରମ୍ପରିକ ବୃତ୍ତି
କରି ପେଟ ପୋଷୁଛନ୍ତି । ଅଧିକାଂଶ ଲୋକ କୃଷି ଶ୍ରମିକ।
ନତୁବା ଖଟିଖିଆ ମଣିଷ। ଗାଁ ରେ ସବୁ ଚାଳ ଘର। ମାଟି କାନ୍ଥ।
ବର୍ଷା ଦିନେ କାହା ଚାଉଳରୁ ପାଣି ଗଳେ ତ କାହାର ଦୁର୍ବଳ
ମାଟି କାନ୍ଥ ଭୁଶୁଡ଼ି ଯାଏ। କହିବାକୁ ଗଲେ ଗାଁ ଟି ଏକ ଦାରିଦ୍ର୍ୟ ର ବିକଟାଳ ଛବିରେ ଦୃଶ୍ୟମାନ। ପୁରୁଷ ଏବଂ ନାରୀମାନଙ୍କ
ବେଶଭୂଷା ମଧ୍ୟ ସରଳ। ନାରୀମାନେ ତନ୍ତୀ ବୁଣା ମୋଟା
ଲୁଗା ପରିଧାନ କରନ୍ତି। ବକ୍ଷ ଦେଶରେ ନାହିଁ କାଞ୍ଚଲା କି ନିତମ୍ବ ରେ ନାହିଁ ଅନ୍ତବସ୍ତ୍ର। କେବଳ ଗୋଟିଏ ତନ୍ତୀ ଲୁଗାରେ ଜୀବନ ଯାତ୍ରା ର ଆରମ୍ଭ ଆଉ ଶେଷ। ସେହିପରି ପୁରୁଷମାନେ ଛ’ ହାତିଆ ଧୋତି ଆଉ ତିନି ହାତିଆ ଗାମୁଛାରେ ଦେହ ଢ଼ାଙ୍କି
ଦୈନିକ କାର୍ଯ୍ୟ ରେ ବ୍ୟସ୍ତ। ଏଠି ହାଡ଼ ଭଙ୍ଗା ପରିଶ୍ରମ କରି
ପେଟକୁ ମୁଠେ ଅନ୍ନ ଯୋଗାଡିବା ପାଇଁ ଦିନ ରାତି ସଂଘର୍ଷ।
ପ୍ରାୟ ଅଧିକାଂଶ ପଲ୍ଲୀ ଜୀବନର ନଗ୍ନ ଚିତ୍ର। ତତ୍ କାଳୀନ ସମୟରେ ଗାଁ କୁ ବିଦ୍ୟୁତ ସଂଯୋଗ ନଥିଲା। ଲୋକମାନେ ରାତିରେ କିରୋସିନି ଡିବିରୀ ଜାଳି ଝାପସା ଆଲୁଅରେ ଘରକୁ
ଆଲୋକିତ କରନ୍ତି। କେହି ଲଣ୍ଠନ ବ୍ୟବହାର କରନ୍ତି। କାରଣ ଲଣ୍ଠନ ଜାଳିବା ଦ୍ବାରା ପବନରେ ସଳିତା ଲିଭି ନଥାଏ। ମାତ୍ର ଡିବିରୀ ବତୀ ସାମାନ୍ୟ ପବନରେ ଲିଭିଯାଏ । ସେହି ସମୟରେ ଗାଁ ଗହଳିରେ ଛୁଆମାନେ ସନ୍ଧ୍ୟାରେ ଡିବିରୀ ବତୀ ଲଗାଇ ପାଠ ପଢନ୍ତି। ଗୋପାଳ ମଧ୍ୟ ପ୍ରଥମରୁ ମେଟ୍ରିକ୍ ପର୍ଯ୍ୟନ୍ତ
କିରୋସିନି ଦୀପ ଜାଳି ପାଠ ପଢିଛି। ଯେଉଁ ଦିନ ମେଟ୍ରିକ୍ ଫଳ ବାହାରିବା ଖବର ସମାଜ ସମ୍ବାଦ ପତ୍ରରେ ପ୍ରକାଶ ପାଇଲା।
ଗୋପାଳ ନିଜର ପାଶ ଫେଲ ଖବର ଜାଣିବା ପାଇଁ ଭଞ୍ଜନଗର
ଯାଇଥିଲା। ସେହି ସମୟରେ ମେଟ୍ରିକ୍ ଫଳାଫଳ ପୁସ୍ତକା ଆକାରରେ ବାହାରୁଥିଲା। ଏହା କୁ ବିକ୍ରୟ ହେଉଥିଲା।
ଛାତ୍ର ଛାତ୍ରୀ ମାନେ ଜେରେକ୍ସ ଦୋକାନକୁ ଯାଇ ଭିଡ ଲଗାନ୍ତି, ଫଳାଫଳ ଜାଣିବା ପାଇଁ। ଏଥି ପାଇଁ ଦୋକାନୀକୁ କିଛି ପଇସା ଦେବାକୁ ପଡେ । ଗୋପାଳ ମଧ୍ୟ ଜାଣିପାରିଲା ସେ ମେଟ୍ରିକ୍ ପାଶ ହୋଇଛି। ସେ ଭାରି ଖୁସି ହେଲା। ଗାଁ କୁ ଆସି ବାପା ମାକୁ କହିଲା। ଗାଁ ଲୋକମାନେ ଜାଣି ଖୁସି ହେଲେ । ଏ କଥା ଟା ଗାଁ ଆଖପାଖ ଲୋକମାନଙ୍କୁ କାନକୁ ଗଲା। ତୁଣ୍ଡ ବାଇଦ
ସହସ୍ର କୋଶ ପରି ଚାରିଆଡ଼େ ଗୋପାଳ ର ନାଁ ଚର୍ଚ୍ଚା ହେଲା।
ଗୋପାଳର ବାପ ମାଆ ଠାକୁରଙ୍କୁ ପ୍ରଣାମ କଲେ, ଗୋପାଳ ଟା କିପରି କୂଳରେ ଲାଗିଯାଉ। ଭଗବାନଙ୍କ କୃପାରୁ ବାପାମା’ଙ୍କ
ଦୁଃଖ ଦୂରିତ ହେବ।
ଗୋପାଳ ଇଛା ଥିଲା ଭଞ୍ଜନଗର ଯାଇ କଲେଜରେ ପାଠ ପଢିବ। କିନ୍ତୁ ପଇସା ପତ୍ର ଅଭାବରୁ ସେ କଲେଜ ଦୁଆର ମାଡି ପାରିଲା ନାହିଁ। ୧୮ ବର୍ଷ ବୟସ ହେଲା ଉତ୍ତାରୁ ସେ ଭଞ୍ଜନଗର
କର୍ମ ନିୟୋଜନ କାର୍ଯ୍ୟାଳୟରେ ନାଁ ଲେଖାଇଲା।
ମେଟ୍ରିକ ସାର୍ଟିଫିକେଟ, ମାର୍କସିଟ, ଚରିତ୍ର ସାର୍ଟିଫିକେଟ,ଇନକମ୍ ସାର୍ଟିଫିକେଟ, ବାସିନ୍ଦା ପ୍ରମାଣପତ୍ର ଓ
ଜାତିଗତ ପ୍ରମାଣ ପତ୍ର ରଖିବା ପାଇଁ ଲୋଡା ପଡ଼ିଲା ଝୁଲା ମୁଣି। ଗୋପାଳ ଭଞ୍ଜନଗରର ଏକ ବସ୍ତ୍ରାଳୟରୁ ମନ ପସନ୍ଦର
ଝୁଲାମୁଣି କିଣି ଅତି ଯତ୍ନରେ ନିଜର ସମସ୍ତ ପ୍ରମାଣ ପତ୍ର ରଖିଲା। ଆଉ କପଡ଼ାରେ ନିର୍ମିତ ଝୁଲାମୁଣିଟା କାନ୍ଧରେ ପକାଇ
ଭଞ୍ଜନଗର ଟାଉନ୍ ରେ ଏପଟେ ସେପଟେ ବୁଲିଲା। ଗୋପାଳ ଆଉ ପୂର୍ବ ପରି ହାଫ୍ ପ୍ୟାଣ୍ଟ୍ ପିନ୍ଧିବାର ନାହିଁ। ସେ ଫୁଲ୍ ପ୍ୟାଣ୍ଟ୍ ଆଉ ଫୁଲ ସାର୍ଟ ପରିଧାନ କରୁଛି। କାରଣ ସେ ଜଣେ ଶିକ୍ଷିତ ଯୁବକ ହୋଇ ସାରିଛି। ଏଣିକି କେତେ ସହର ବୁଲିବ। ଚାକିରି
ପାଇଁ ଧାଁ ଦଉଡ କରିବ । ସେ ଆଉ ଗାଉଁଳି ହୋଇ ରହିବ କି ? ପାଦକୁ ଭଲ ପାଣ୍ଢେଇ ହଳେ କିଣି ପାଦରେ ପଡାଇଛି। ସେ ପୁରାପୁରି ସହରୀ ବେଶ ଧାରଣ କରିଛି। ତା’ ଆଧୁନିକ ବେଶ ପୋଷାକ ସହିତ ନିଜର ଝୁଲାମୁଣିର ସୌନ୍ଦର୍ଯ୍ୟ କିପରି ଜାଣିବା ପାଇଁ ଏକ ସେଲୁନ୍ କୁ ଗଲା। ସେଠାରେ ଥିବା ବଡ ବଡ ଆଇନାରେ ନିଜର ପୂର୍ଣ୍ଣ ଅବୟବକୁ ଦର୍ଶନ କଲା । ନିଜର ନବକଳେବର ରୂପ ମାଧୁର୍ଯ୍ୟ କୁ ଅବଲୋକନ କରି ଭାବ ବିହ୍ୱଳ
ହୋଇ ଗଲା। ବେଶ୍ ଚମତ୍କାର ଦୃଶ୍ୟ। ଗାଁ ମାଟିରେ ପାଦ ଥାପୁ ଥାପୁ ଗୋପାଳର ବେଶ ପୋଷାକ ଦେଖି ସମସ୍ତେ ପାଦେ ଅଟକି
ଦେଖନ୍ତି। କିଏ କିଏ ଦେଖି ପଚାରନ୍ତି – ଗୋପାଳ କୁଆଡେ ଯାଇ ଥିଲୁ। ଗୋପାଳ ହସି ଦେଇ କହେ – ଭଞ୍ଜନଗର।
ଗୋପାଳ କୁ ଫୁଲ୍ ପ୍ୟାଣ୍ଟ୍ ଫୁଲ ସାର୍ଟ ରେ କାନ୍ଧରେ ଧାରଣ କରିଥିବା ଝୁଲାମୁଣିଟା ଖୁବ୍ ମାନେ । ସେହି ସମୟରେ ଝୁଲାମୁଣିର ଆଦର ବେଶି ଥିଲା। ଗାଁ ଗହଳିରେ ଥିବା ସରପଞ୍ଚ
ମାନେ ଖଦଡ଼ ଧୋତି ଓ କୁର୍ତ୍ତା ପରିଧାନ କରିବା ସହିତ କାନ୍ଧରେ ଏକ ଝୁଲା ମୁଣି ପକାଇଥାନ୍ତି। ସ୍ବାଧୀନତା ସଂଗ୍ରାମୀ ମାନେ ମଧ୍ୟ ଏହି ଝୁଲାମୁଣିର ବହୁଳ ବ୍ୟବହାର କରୁଥିଲେ। ସେହି ସମୟରେ ଗାଁ ଗହଳିର ନେତାମାନେ ଝୁଲାମୁଣି କାନ୍ଧରେ
ଜୁଲାଇ ଜନତାଙ୍କ ସୁଖ ଦୁଃଖ ବୁଝିବା ପାଇଁ ଯାଉଥିଲେ। ଲୋକମାନେ ସେମାନଙ୍କୁ ଦେଖି ଚିହ୍ନି ପାରୁଥିଲେ, କେହି ଜଣେ ନେତା କି ସମାଜ ସେବୀ ଆସୁଛନ୍ତି ବୋଲି।ଆଉ ତତ୍କାଳୀନ ସମୟରେ ଶିକ୍ଷିତ ଯୁବକମାନେ ମଧ୍ୟ ଝୁଲାମୁଣିକୁ ବହୁଳ ବ୍ୟବହୃତ କରୁଥିଲେ। ସାମ୍ବାଦିକମାନେ ମଧ୍ୟ କାନ୍ଧରେ ଝୁଲା ମୁଣି ଧରି ଖବର ସଂଗ୍ରହ ଲାଗି ଭ୍ରମଣ କରୁଥିଲେ। ପକେଟ୍ ରେ ଖଣ୍ତେ ପେନ୍ ଆଉ ଝୁଲା ମୁଣିରେ ଖଣ୍ଡେ ଟିପା ଖାତା।
ଏହି ଝୁଲାମୁଣିକୁ କାନ୍ଧରେ ଧରି ଗୋପାଳ ଭୁବନେଶ୍ୱର, କଟକ, ପୁରୀ, ବ୍ରହ୍ମପୁର, ଗୋପାଳପୁର, ରାଉରକେଲା ଆଦି ବହୁ ସ୍ଥାନକୁ ଚାକିରି ଖଣ୍ଡେ ପାଇବା ଆଶାରେ ଅନେକ ସାକ୍ଷାତକାର ଦେଇଛି। ପୋଲିସ,କ୍ଳର୍କ, ଶିକ୍ଷକ,ଗ୍ରାମସେବ ଇତ୍ୟାଦି ଇତ୍ୟାଦି।
କିନ୍ତୁ କେଉଁଠି ମଧ୍ୟ ତାକୁ ଚାକିରି ଖଣ୍ଡେ ମିଳି ନାହିଁ। ସେ ଲିଖିତ ପରୀକ୍ଷା,ମୌଖିକ ପରୀକ୍ଷା ସବୁ ଭଲ କରୁଛି। ହେଲେ ଯେଉଁ
ଆଶା ନେଇ ଗାଁ ର ସବୁଜ କ୍ଷେତ ଡେଇଁ ଡେଇଁ ଝୁଲାମୁଣିଟି କାନ୍ଧରେ ପକାଇ ସହରକୁ ଯାଏ , ପୁଣି ଚାକିରି ଖଣ୍ଡେ ନ ପାଇଁ
ହତାସ ଓ ନୈରାଶ୍ୟ ମନରେ ଫେରେ। କେବେ ବସ୍ ରେ ବସି ଗାଁ କୁ ଫେରିଲା ବେଳେ ସନ୍ଧ୍ୟା ହୁଏ ତ ରାତି ହୁଏ। ମୁହଁରେ
ଆକାଶ ଭର୍ତ୍ତି ଦୁଃଖ। ଦେହରେ ଝାଳର କାନ୍ତିମାଳା ସ୍ରୋତ ନିଜକୁ ଧୈର୍ଯ୍ୟ ଚ୍ୟୁତ କରି ପକାଏ । ସତରେ ଗୋପାଳ ଭାଗରେ ଖଣ୍ଡେ ସରକାରୀ ଚାକିରି ନାହିଁ। କାନ୍ଧରେ ଥିବା ଝୁଲାମୁଣିଟି ଆପେ ଆପେ ଉତ୍ତୁରିଯାଏ କାନ୍ଧରୁ । ମା ‘ ଜାଣି ପାରେ ଗୋପାଳର ମନର ଅସୁମାରୀ ବେଦନା। ଝୁଲାମୁଣିଟି ନେଇ ମା’ ଟାଙ୍ଗି ଦିଏ ମାଟି କାନ୍ଥର ଏକ ନିର୍ଦ୍ଦିଷ୍ଟ ଲୁହା କଣ୍ଟାରେ । କହେ – ପୋଷାକ ବଦଳାଇ ଦେଏ। ହାଲିଆ ହୋଇ ଆସିଛୁ।କ’ଣ ଦି’ଟା ଖାଇବୁ।ମା’ ର ମମତା ଆଉ ମା’ ର କଅଁଳ କଥା ରେ ଗୋପାଳ ମନରେ ପୁଣି ସଂଗ୍ରାମ କରିବାର ଆଶା ସଞ୍ଚାର
ହୁଏ। ପୁଣି ଆଗାମୀ ଦିନକୁ ମନ ସ୍ଥିର କରେ ଖଣ୍ଡେ ସରକାରୀ
ଚାକିରି କରିବା ପାଇଁ।
ଗୋପାଳ ର ବୟସଟା ଧୀରେ ଧୀରେ ୧୮ରୁ ୨୫ ହୋଇ ଗଲାଣି
ବିବାହ ବୟସ ଆସି ପହଞ୍ଚିଲାଣି। ତା ସାଥୀ ର ପିଲାମାନେ
ବାହାଚୁଡା ହେଲେଣି। ଗୋପାଳର ମା’ ପଦ୍ମାବତୀ ଭାବେ
ତା ପୁଅକୁ କେବେ ବାହା କରାଇବ ? ଗୋପାଳ ଏକା ଯଦି ଚାକିରି ଖଣ୍ଡେ ପାଇଲେ ବାହା ହେବ। ନତୁବା ସାରା ଜୀବନ କୁଆଁର ରହିବ । ପାଗଳଟା ଯାହା ବୁଝିଥିବ, ସେୟା। ଗୋପାଳକୁ ଖଣ୍ଡେ ଚାକିରି ମିଳିବ ବୋଲି ତା ମା କେତେ ଦିଅଁ ଦେବତାଙ୍କୁ ପ୍ରାର୍ଥନା କରେ । ବାରବ୍ରତ ତେର ଉପାସ କରେ।
ହେଲେ କେହି ମଧ୍ୟ ତା’ ଡ଼ାକ ଶୁଣିବାକୁ କର୍ଣ୍ଣପାତ କରନ୍ତି ନାହିଁ। ମା ପଦ୍ମାବତୀ ଗାଁ ରେ ଭଲ ସୁନ୍ଦରିଆ ଝିଅଟିଏ ଗୋପାଳ ପାଇଁ ଦେଖିଛି। ଗୋଟିଏ ଚାଉଳର ଗଢଣ। ଭାରି ସରଳିଆ ଝିଅ । ରୂପ ଯେମିତି,ଗୁଣ ସେମିତି। କଥା ବାର୍ତ୍ତା ମଧ୍ୟ ଝିଅର ବାପା ମାଗତା ସହିତ ହୋଇଛି। ମାଗତା ମଧ୍ୟ ଶିକ୍ଷିତ ପୁଅ ଗୋପାଳକୁ ଜ୍ବାଇଁ କରିବାକୁ ପସନ୍ଦ। କିନ୍ତୁ ବିଳମ୍ବ ପରେ ବିଳମ୍ବ। ଝିଅ ଅମ୍ବିକା ପାଇଁ କାହିଁ କେତେ ଆଡୁ ବିବାହ ପ୍ରସ୍ତାବ ଆସିଲାଣି
। ମନା କରି କରି ସବୁ ପ୍ରସ୍ତାବ ଭାଙ୍ଗିଲାଣି। ଝିଅ ଘିଅ। ବୟସ ଥାଉ ଥାଉ ବିବାହ ନ ଦେଲେ , ଶେଷରେ ହଇରାଣ।
ଅମ୍ବିକା ଗୋପାଳକୁ ଭାରି ଭଲ ପାଏ । ଗୋପାଳ ମଧ୍ୟ ଅମ୍ବିକା କୁ ଜୀବନ ଠୁ ବଳି ଭଲ ପାଏ। ଚାକିରି ଖଣ୍ଡିଏ ପାଉ ପାଉ ତାକୁ
ବୋହୂ କରି ଘରକୁ ଆଣିବ। ବାପା ମାଆ ର ସେବା କରିବ।ଆଉ ବାପା ମାଆ ମୁହଁରେ ହସ ଟିକକ ଭରିବ। ଏମିତି ଅନେକ ସ୍ବପ୍ନ ରହିଛି। କେବେ କେବେ ରାସ୍ତା ଗଲା ବେଳେ ଅମ୍ବିକା ଗୋପାଳକୁ ଚାହିଁ ମୁରୁକି ମୁରୁକି ହସି ଦିଏ। ଲାଜେଇ ଲାଜେଇ
ଦୂରେଇ ଦୂରେଇ ଚାଲିଯାଏ । ଆଉ ଗୋପାଳ ମଧ୍ୟ ଟିକେ ଟିକେ
ହସି ଦିଏ, ହେଲେ ତା ମନର କଥା କେବେ କହିବା ପାଇଁ ସୁଯୋଗ ମିଳି ପାରେ ନା ।
ଅମ୍ବିକା ବି କେତେ ଭଗବାନଙ୍କୁ ପ୍ରାର୍ଥନା କରେ । ଓଷା ବ୍ରତ କରେ ଗୋପାଳକୁ ଖଣ୍ଡେ ଚାକିରି ହେବା ପାଇଁ। ଏମିତି ଦିନ ପରେ ଦିନ ଗଲା। ଗୋପାଳର ବାପା ଶଙ୍କରର ପେଟ ବ୍ୟଥା ହେଲା। ଗାଁ ଗହଳିରେ ଥିବା ବୈଦ ଠାରୁ ଅନେକ ଚେମୂଳି ଔଷଧ ଖାଇଲା । ଦିନକୁ ଦିନ ପେଟ ଫୁଲି ଗଲା। ପାଟିକୁ ମୁଠେ ଭାତ ଗଲା ନାହିଁ। ସେ ପେଟ ଯନ୍ତ୍ରଣାରେ ପଡି ପଡି ଶଯ୍ୟାଶାୟୀ ହୋଲା । ଶେଷରେ ପ୍ରାଣ ବାୟୁ ଉଡିଗଲା।
ଡାକ୍ତରଙ୍କୁ ଦେଖାଇବା ପାଇଁ ଅର୍ଥର ଅଭାବ ଯୋଗୁଁ ବ୍ରହ୍ମପୁର
ମେଡ଼ିକାଲକୁ ଗୋପାଳ ନେଇ ପାରିଲା ନାହିଁ। ଦୁଃଖରେ ଗୋପାଳ ଭାଙ୍ଗି ପଡିଲା। ଆଖି ରୁ ଧାର ଧାର ଲୁହ ନିଗିଡ଼ି ଗଲା । କୋକେଇ ବନ୍ଧା ଗଲା, ଶଙ୍କର ର ଶବ ଗାଁ ମଶାଣିରେ ପୋଡ଼ା ଗଲା। ଗାଁ ଲୋକମାନେ ଅକାଳରେ ଶଙ୍କର ଟା ଚାଲିଗଲା ବୋଲି କୁହାକୁହି ହେଲେ । ବାକି ସାକି କରି ବାପାର ଶୁଦ୍ଧି କ୍ରିୟା
କଲା ଗୋପାଳ। ଏବେ ସେ ବାପା ଛେଉଣ୍ଡ। ଘର ଚଳାଇବା
ଭାର ଏବେ ଗୋପାଳ ହାତରେ। ଜାତିରେ କେଉଟ। ବୃତ୍ତି
ହେଲା ଜାଲ ପକାଇ ମାଛ ଧରିବା। ଗୋପାଳ ବେଳେ ବେଳେ
ମାଧବରିଡା ସ୍ଥିତ ଆନିକଟ ସ୍ଥିତ ବଡ଼ ନଦୀ ରେ ଜାଲ ପକାଏ।
ବର୍ଷା ଦିନେ ଏହି ନଦୀ ରେ ମାଛ ମିଳେ । ଶୀତ ଦିନେ ସ୍ରୋତ କମିଯାଏ। ଆଉ ଖରା ଦିନେ ନଦୀ ଜଳ ଶୁଖିଲା ପଡେ।
ଚାରି ମାସ ନଦୀ ରେ ଜାଲ ପୋଡ଼ି ଯାହା ମାଛ ମିଳେ ମା ପଦ୍ମାବତୀ ବିକେ । ସୁଖେ ଦୁଃଖ ମା ପୁଅ ଚଳି ଯାଆନ୍ତି। ପୂର୍ବର
ପରି ଗୋପାଳର ଆଉ ସରକାରୀ ଚାକିରି ପ୍ରତି ଲୋଭ ନାହିଁ। ସେ ଜାଣି ପାରିଲା ଯେ ଚାକିରି ମାଗଣାରେ ମିଳେ ନାହିଁ। ଏଥି ପାଇଁ ଉପରେ ଧରାଧରି ଦର୍କାର। ଯାହାର ହାତଥିବ,ସେ ଚାକିରି
ପାଇବ। ଚାକିରି ପାଇଁ କୋଟା(ସଂରକ୍ଷଣ) କି ମେରିଟ୍ (ଯୋଗ୍ୟତା) ଆବଶ୍ୟକ ନାହିଁ। ମୋଟା ଅଙ୍କର ଲାଞ୍ଚ ଦରକାର। ଯେ ଲାଞ୍ଚ ଦେଇ ପାରିବ,ସେ ସରକାରୀ ଚାକିରି ପାଇଁ ପାରିବ । ସେ ଗରିବ ପିଲା, ଚାକିରି ମିଳିବା ଆଶା କେବଳ ଥିବା ସ୍ବପ୍ନ।
ଏଣିକି ସେ ବର୍ଷା ଋତୁରେ ମାଛ ଧରେ , ଅନ୍ୟ ଦିନେ ଗୋପାଳ
ଦାଦନ ଅଟେ । ଆଉ ପୂର୍ବ ପରି ତା’ ମନରେ ବଡ଼ ଲୋକ ହେବାର ସ୍ବପ୍ନ ମଉଳି ଯାଇଛି। ତା’ ମା କୁ କହି ସାରିଛି – ସେ ଆଉ ବାହା ହେବ ନି । ଅମ୍ବିକା କୁ କହି ଦେ, ତା ବାପା ତାକୁ ଅନ୍ୟତ୍ର ବାହା ଦେଇ ଦେବ। ପଦ୍ମାବତୀ କେମିତି କହିବ ? ତା ପାଟି ଲେଉଟିବ କି !
ଗୋପାଳର ଆଉ ଭବିଷ୍ୟତ ନାହିଁ। ଭବିଷ୍ୟତ ଅନ୍ଧାର ଜାଣି ଆଉ ଗୋପାଳ ସହିତ ମାଗେତାର ଆଉ ଆନ୍ତରିକ ଇଛା ନାହିଁ।ତା ଝିଅ ଅମ୍ବିକାକୁ କହି ସାରିଛି, ଭଲ ପ୍ରସ୍ତାବ ଆସିଲେ ତାକୁ ବାହା କରେଇ ଦେବ। ଗୋପାଳ ଟା ତିନି ପାଞ୍ଜିରୁ ଗଲା। ପାଠ ପଢି ଖଣ୍ଡେ ଚାକିରି ବାକିରି ନାହିଁ। ଅଭାଗାଟା। ତା ସାଥୀ ର ପିଲାମାନେ ବାହା ସାହା ହୋଇ ଗୋଟେ ଦିଟା ର ବାବୁ ହେଲେଣି।ଆଉ ଜ୍ବାଇଁ ପୁଅ କରିବା ଯେଉଁ ଆଶା ଥିଲା ମାଗେତାର ତୁଟି ଗଲା। କିଛି ଦିନ ପରେ ଗୋଟିଏ ଭଲ ପ୍ରସ୍ତାବ ଆସିଲା ମାଗେତା ଘରକୁ । ପୁଅଟା ସରକାରୀ ଚାକିରି କରୁଛି। ଲମ୍ବା ଚଉଡ଼ା ବଳଶାଳୀ ଟୋକା। ଚାକିରି କରୁଛି ବିଏସଏଫ ରେ ‌। ଯାହା ହେଉ ମାଗେତା ଏହି ପ୍ରସ୍ତାବର ଖୁସି ହେଲା। ଅମ୍ବିକାକୁ ବାହା ହେବା ପାଇଁ ଯବାନ ଯୁବକ ଜଣକ ରାଜି ହେଲା। କିନ୍ତୁ ଅମ୍ବିକାର ଇଛା ନାହିଁ। ସେ ଗୋପାଳକୁ ଭଲ ପାଇଛି, ତାକୁ ହିଁ ବାହା ହେବ। କିନ୍ତୁ ବାପା ମାଗେତାର ଦୃଢ଼
ଇଛା ଯୋଗୁଁ ବାଧ୍ୟ ହୋଇ ଅମ୍ବିକା ବିଏସଏଫ ଯବାନକୁ ବାହା ହେଲା। ସେହି ଖବର ଶୁଣି ଗୋପାଳ ଆଖିରେ ଧାର ଧାର ହୋଇ କେତେ ଯେ ଅଶ୍ରୁ ବହି ଗଲା,ତା’ର ହିସାବ ନାହିଁ। ମା
ପଦ୍ମାବତୀ ର ହୃଦୟ ଟା ଦୁଃଖ ରେ ଭାଙ୍ଗି ପଡିଲା। ବାପା ଛେଉଣ୍ଡ ପୁଆଟା ଏ କୂଳ ରେ ହେଲା ନାହିଁ କି ସେ କୂଳ ରେ ହେଲା ନାହିଁ। ମଝି ଦରିଆରେ ଭାସି ଗଲା। ଦୁଃଖ ପାହାଡ଼ ଛିଡଣ୍ଡି ପଡ଼ିଲା ପଦ୍ମାବତୀ ଉପରେ। ସେ ବି ଲୁଚି ଲୁଚି କାନ୍ଦିଲା।
ଗୋପାଳଟା ଅବିବାହିତ ରହି ଗଲା।
ଗୋପାଳ ମନରେ ଆଉ ସୁଖ ନାହିଁ। ଭଲ ଭାବରେ ଖା ପିଅନ ନାହିଁ। ବୋଧେ ଅମ୍ବିକା ବାହା ହୋଇ ଗଲା ପରେ ସେ ଝୁରିଝୁରି
କଳା କାଠ ପଡି ଗଲାଣି। ଭେଣ୍ଡା ପୁଅ ର ମନ କଥା ବୁଝି ମା ଜାଣେ। କୁଆଡେ କାମ ଧାମ କରି ଆସିଲେ, ବାପ ଲୋ ଧନ ଲୋ କହି ମୁଣ୍ଡ ଆଉଁସି ଦିଏ। ନଖାଇଲେ ବଳେଇ ବଳେଇ
ଭାତ ଦିଟା ଖୁଆଇ ଦିଏ। ସେ କହେ – ସବୁ ଭାଗ୍ୟରେ ପୁଅ, କପାଳରେ ଯାହା ଲେଖା ଅଛି, ତାହା ଭୋଗ କରିବାକୁ ପଡିବ।
ଇତି ମଧ୍ୟରେ କଂଗ୍ରେସ ଶାସନ ର ଅନ୍ତ ଘଟିଲା। ଓଡ଼ିଶାରେ
ନୂଆ ସରକାର ଆସିଲେ ଜନତା ଦଳ । ବିଜୁବାବୁ ହେଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ। ଶିକ୍ଷିତ ବେକାରୀ ଯୁବକମାନଙ୍କ ମଧ୍ୟରେ
ଚାକିରି କରିବା ର ସ୍ବପ୍ନ ଜାଗ୍ରତ ହେଲା। ଦୁର୍ନୀତି ହଟିଟା ପାଇଁ
ବିଜୁବାବୁ ମାଡ ତତ୍ତ୍ଵ କୁ ମଧ୍ୟ ଓଡ଼ିଶାରେ ଲାଗୁ କଲେ। ଯୁବକ ମାନେ ଲାଞ୍ଚୁଆ ସରକାରୀ କର୍ମଚାରୀଙ୍କୁ ମଧ୍ୟ ସେ ସମୟରେ ମାରପିଟ୍ କଲେ। ଲୋକ କହିଲେ – ବିଜୁ ପଟ୍ଟନାୟକ ବାୟା ହୋଇ ଗଲା। ବହୁ ସମାଲୋଚନା ହେଲା । ସେହି ସମୟରେ ୧୩ ଜିଲ୍ଲାରୁ ୩୦ ଜିଲ୍ଲା ହେଲା। ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଓଡ଼ିଶାରେ ହେଲା। କିଛି ଦିନ ପରେ ଗୋପାଳକୁ ଭଞ୍ଜନଗର କର୍ମ ନିୟୋଜନ କାର୍ଯ୍ୟାଳୟରୁ କଲ୍ ଲେଟର ଆସିଲା। ଶିକ୍ଷା ସହାୟକ ଚାକିରି। ଗୋପାଳ ମନରେ ଆନନ୍ଦ ର ଝଲକ ଉଙ୍କି
ମାରିଲା । ସେ ଝୁଲା ମୁଣି ରେ ପଡ଼ିଥିବା ସମସ୍ତ ଶିକ୍ଷାଗତ କାଗଜପତ୍ର ଧରି ଡିଆଇ କାର୍ଯ୍ୟାଳୟକୁ ଗଲା। ସବୁ ସାର୍ଟିଫିକେଟ ଚାଞ୍ଚ ହେଲା ପରେ ଗୋପାଳ ଘରକୁ ଫେରିଲା।
କିଛି ଦିନ ପରେ ଗୋପାଳକୁ ମିଳିଲା ଶିକ୍ଷକ ଚାକିରୀ।
ମା ପଦ୍ମାବତୀ ମନରେ ଅପାର ଆନନ୍ଦ । ଗୋପାଳ ଟା ମାଷ୍ଟର ହୋଇ ଗଲା। ଆଜି ତା ବାପା ଥିଲେ, କେତେ ଖୁସି ହୋଇ ଥାନ୍ତା। ଗୋପାଳ ସେହି ଝୁଲାମୁଣିଟିକୁ କାନ୍ଧରେ ପକାଇ ଚାଲିଲା
ସ୍କୁଲକୁ। ସେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ। କିଛି ଦିନ ପରେ ଗୋପାଳ ଏକ ସାଇକେଲ ଖଣ୍ତେ କିଣି, କାନ୍ଧରେ ଝୁଲା
ମୁଣି ପକାଇ ସ୍କୁଲ କୁ ଯାଏ। ସନ୍ଧ୍ୟାରେ ଫେରେ। ଗୋପାଳ
ଶିକ୍ଷକ ହେଲା ପରେ ତା ସୁନାମ ଚାରିଆଡ଼େ ବ୍ଯାପି ଗଲା ।
ଗୋପାଳ ଟା କପାଳିଆଟା। ଭାଗ୍ୟରେ ଥିଲା, ସରକାରୀ ଚାକିରି ଖଣ୍ଡେ ପାଇଗଲା । ଭଲ ଝିଅ ଗୋଟିଏ ଖୋଜି, ଏଣିକି ଗୋପାଳଟା ହାତରୁ ଦି ହାତ ହୋଇ ଯିବ। ବୁଢି ମା ପା ଆଉ
ଘରେ କେତେ ପାଇଟି କରିବ।
ଗୋପାଳ ର ମାଷ୍ଟର ଚାକିରି କରିବା କଥା ଏ ତୁଣ୍ଡ ରୁ ସେ ମୁଣ୍ଡ କୁ ବିଜୁଳି ବେଗରେ ବ୍ୟାପି ଗଲା। ଭଲ ଭଲ ପ୍ରସ୍ତାବ ନେଇ ମଧ୍ୟସ୍ଥି ମାନେ ଆସିଲେଣି। ହେଲେ ଗୋପାଳଟା ହେଉ ହେଉ କହି ଦିନ ଗଡାଇ ଚାଲେ। ତା ମନରେ କଣ ଅଛି କିଏ ଜାଣେ। ସବୁ ଦିନେ ଦିଟା ଭାତ ତୁଣ୍ଡରେ ମାରି ସାଇକେଲ ଧରି ସ୍କୁଲକୁ ବାହାରି ପଡେ । ଖାଲି ପାଠ,ଖାଲି ପାଠ, କେବେ ବାହା ସାହା ହେବ ଚିନ୍ତା ନାହିଁ।
କିଛି ମାସ ପରେ ଶାଶୁ ଘରକୁ ଅମ୍ବିକା ବାପ ଘରକୁ ଆସିଲା।
ମଥାରେ ସିନ୍ଦୂର, ହାତରେ ଶଙ୍ଖା। ବାହା ହେବା ପରେ ଯେଉଁ ଆଭୂଷଣରେ ନିଜକୁ ସଜେଇ ହେବା କଥା। ସେ ଜାଣିଲା, ଗୋପାଳ ଶିକ୍ଷକ ଚାକିରି ଖଣ୍ଡେ ପାଇଛି। ମନରେ ତାର ବଡ ଅବଶୋଷ ସେ ଗୋପାଳ କୁ ବାହାର ହୋଇ ପାରିଲା ନାହିଁ।
ଏଣେ ସେ ଯେଉଁ ବିଏସଏଫ ଯବାନ ର ହାତ ଧରିଲା, ସେ ଦୂର ଦୂରାନ୍ତରେ । ଏକାକୀ ନୂଆ ବୋହୂ ଅମ୍ବିକା ଶାଶୁ ଘରେ
ବାର ପାଇଟି କରି କରି କ୍ଳାନ୍ତ ହୋଇ ପଡେ। କିଛି ଦିନ ବାପ ଘରେ ଦିନ ଖଟେଇବାକୁ ଆସିଛି।
ପ୍ରତି ଦିନ ସକାଳ କାନ୍ଧରେ ଯେତେବେଳେ ଗୋପାଳ ଝୁଲାମୁଣିଟି ପକାଇ ସାଇକେଲ ଚଢି ସ୍କୁଲ କୁ ଯାଏ, ବରଣ୍ଡାରେ
ବସି ଗୋପାଳକୁ ଏକ ଲୟରେ ଚାହେଁ। ତା ମନରେ ଭଲ ପାଇବାର ଭାବନା ଜାଗ୍ରତ ହୁଏ। ସେ କେତେ ବଡ଼ ଭୁଲ କରିଛି। ଗୋପାଳ ଭଳି ଏକ ସୁନା ମୁଣ୍ଡା ଯୁବକକୁ ଛାଡି, ବାପା କଥା ରେ ପଡି ଏକ ଯବାନ କୁ ବାହାର ହେଲି। ନା ସ୍ବାମୀ ସୁଖ ପାଇଲି ନା ସ୍ନେହ ମମତା ପାଇଲି। ସଧବା ହୋଇ ମଧ୍ୟ ବୈଧବ ଯନ୍ତ୍ରଣା ପାଇଲା ପରି ବିରହ ଜ୍ୱାଳାରେ ଅମ୍ବିକା ଛଟପଟ ହୁଏ।
ସେ ବେଳେ ବେଳେ ଭାବେ- ଆଜି ବି ଗୋପାଳଙ୍କୁ ଅନ୍ତରରେ ପ୍ରଗାଢ଼ ଭଲ ପାଏ। ଗୋପାଳ ଯିବା ପଥକୁ ଅବରୋଧ କରି କହିବ – ମୁଁ ତୁମକୁ ଭଲପାଏ ଗୋପାଳ। ମୁଁ ତୁମ ବିନା ବଞ୍ଚି ପାରିବି ନାହିଁ। ମତେ ଗ୍ରହଣ କର। ମୁଁ ତୁମର ଅଙ୍କଶାୟିନୀ ହେବାକୁ ପ୍ରସ୍ତୁତ। ତୁମେ ଜାଣିଛ ଗୋପାଳ, ମୁଁ କେତେ ଯନ୍ତ୍ରଣା
ଭୋଗୁଛି। ତୁମ ବିରହରେ ମୁଁ ତିଳ ତିଳ ହୋଇ ନିତି ମରୁଛି। ତୁମ କୁ ଆଖି ପୂରେଇ ଦେଖିବା ପାଇଁ ଆସିଛି ଗୋପାଳ। ମତେ
ଟିକେ ଆଡ ଆଖିରେ ବି ଚାହଁ ଗୋପାଳ।
ଗୋପାଳ ସକାଳେ ଅମ୍ବିକା ଘର ଦେଇ ନିତି ସାଇକେଲ ରେ ଯାଆ ଆସ କରେ ସାଇକେଲ ରେ । ଅମ୍ବିକା ଗୋପାଳ ର ଆସିବା ଆଉ ଯିବା ପଥକୁ ସେମିତି ଚାହିଁ ରହେ । ଗୋପାଳ ଦେଖି ନ ଦେଖିଲା ପରି ଯାଏ ଏବଂ ଆସେ। ସେ କେବେ କଥା ହେବା ପାଇଁ ଇଛା ପ୍ରକାଶ କରେ ନାହିଁ। କାରଣ ନାରୀ ଜାତି ଯେ କେତେ ସ୍ବାର୍ଥପର, ଭଲ ପାଇବାର ମାନେ କଣ ବୁଝନ୍ତି ନାହିଁ। ଅମ୍ବିକା ତାକୁ ଯେଉଁ ଧୋକା ଦେଇଛି, ସେ କେବେ ଭୁଲିବ ନାହିଁ। ଜୀବନରେ ବଞ୍ଚିଥିଲା ପର୍ଯ୍ୟନ୍ତ ହୃଦୟ ରେ ଦାଗ ହୋଇ ରହି ଯିବ।
କିଛି ଦିନ ପରେ ଖବର କାଗଜ, ଟିଭି ଓ ରେଡ଼ିଓ ରେ ପ୍ରଚାର
ହେଲା ଆତଙ୍କବାଦୀଙ୍କ ଆକ୍ରମଣରେ ବିଏସଏଫ ଗାଡ଼ି ବିଧ୍ବସ୍ତ। ୫ ଯବା ୨୦ ଯବାନ ଗୁରୁତର ଆହତ। ସେଥି ମଧ୍ୟରେ ଓଡ଼ିଶାର ରାକେଶ ବେହେରା ମୃତ୍ୟୁ। ଏହି ସମ୍ବାଦ ପ୍ରଚାର ହେଲା ବିଭିନ୍ନ
ଗଣ ମାଧ୍ୟମରେ। ରାକେଶ ବେହେରା ବିଏସଏଫ ଯବାନ ଶହିଦ। ସେ ଅମ୍ବିକାର ସ୍ବାମୀ। ଏ କଥା ଟା ଅମ୍ବିକା କାନରେ
ପଡୁ ପଡୁ ସେ ମୂର୍ଚ୍ଛା ହୋଇ ଗଲା। ଭୂଇଁ ରେ ଛଟ ପଟ ହୋଇ କାନ୍ଦି ଲୋଟି ଗଲା। କେଡେ କଥା ହେଲା, ଅମ୍ବିକାର ସ୍ବାମୀ
ଆଉ ଇହ ଜଗତରେ ଆଉ ନାହିଁ। ଯେ ଶୁଣିଲା,ସେ ଦୁଃଖ କଲା। ଏବେ ଏବେ ବାହା ହୋଇ ଥିଲା, କୋଳରେ ଛୁଆଟିଏ ନାହିଁ। ହିନ କପାଳୀଟା। ସଂସାର ଗଢୁ ଗଢୁ ସ୍ବାମୀ ଚାଲିଗଲା।
ଏ ଦୁଃସମ୍ବାଦ ପାଇ ଗୋପାଳଟା ଭାରି ମର୍ମାହତ ହେଲା। ବିଧବା ହୋଇ ଗଲା, ଏତେ ସୁନ୍ଦର ଝିଅଟା ଅମ୍ବିକା। କି ବିଚିତ୍ର ଏ ସଂସାର,କି ବିଚିତ୍ର ଏ ଲୀଳା, ବିଚାରୀ ଏବେ କରିବ କ’ଣ ?
ଶାଶୁ ଘରକୁ ଚାଲି ଗଲା ଅମ୍ବିକା। ଶବ ହୋଇ ଫେରିଲା ଗାଁକୁ ଅମ୍ବିକାର ସ୍ବାମୀ ରାକେଶ। ସବୁ ସ୍ବପ୍ନ ଚୁରମାର ହୋଇ ଗଲା ଅମ୍ବିକାର । ହାତରୁ ଶଙ୍ଖା ଆଉ କପାଳରୁ ସିନ୍ଦୂର ଲିଭିଗଲା।
ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଯବାନ ରାକେଶର ଶବ ସଂସ୍କାର
ହେଲା। ବିଧବା ବେଶରେ କିଛି ଦିନ ପରେ ସବୁ ଶୁଭ୍ର ବସ୍ତ୍ର ଧାରଣ କରି ସବୁ ଦିନ ପାଇଁ ଗାଁ କୁ ଫେରିଲା ଅମ୍ବିକା। ମୁହଁରେ
ନାହିଁ ତେଜ କି ମୁହଁରେ ନାହିଁ ହସ। ଶୁଖି ଶୁଖି କଳା ହୋଇ ଯାଇଛି,ତା’ର ଚନ୍ଦ୍ର ବଦନ। ଘରେ ମା ନାହିଁ। କେବେ ଠୁ ମରି ଯାଇଛି। ବୃଦ୍ଧ ବାପା ମାଗେତା ଆଉ ବିଧବା ଝିଅ ଅମ୍ବିକା।
ଦୁଃଖ ର ଆକାଶ ଟା ଯେପରି ଛିଣ୍ଡି ପଡ଼ିଛି, ବାପା ଝିଅଙ୍କ କପାଳରେ। ହିନ କପାଳୀଟା। ସୁଖ ବୋଲି ଜୀବନରେ କିଛି
ଜାଣି ନି । ଦଇବ କି ଦଣ୍ଡ ଦେଲା କେଜାଣି। ଗାଁ ସାରା ସେଇ
ଗୋଟିଏ ଚର୍ଚ୍ଚା। ଅମ୍ବିକା କିପରି ସାରା ଜୀବନ ଏକା ଏକା ବୈଧବ୍ୟ ଯନ୍ତ୍ରଣା ରେ ସଢି ସଢି ଜୀଇଁବ?
ମାଗେତା ଝିଅର କଥା ଭାଳି ଭାଳି ଖାଁ ପିଅ ଛାଡି ଦେଲାଣି।
ଜ୍ବରରେ ସେ ଛଟ ପଟ। କେବଳ ରୋଗ ଶେଯରେ ପଡି ଗୋପାଳ ଗୋପାଳ ହେଉଛି। ଶେଷ ମୁହୂର୍ତ୍ତ ହୋଇ ଗଲା। ମାଗେତା କିଛି ଖାଉନି, ବୋଧେ ଆଉ କେତେ ଦିନ ପରେ ଆଖି ବୁଜି ଦେବ। ଅମ୍ବିକା କୁ କହିଲା – ଝିଅ ସେ ଗୋପାଳଟାକୁ ଟିକେ ଡାକେ, ମୁଁ ତାକୁ ଥରଟିଏ ଆଖି ପୂରେଇ ଦେଖିବି। ସେ ମୋର ଯେତେ ହେଲେ ବି ଭାବି ଜ୍ବାଇଁ ଟା। କ୍ଷୀଣ ସ୍ବରରେ କହିଲା ମାଗେତା। ବାପାର କଥା ଶୁଣି ଆଖି ଛଳଛଳ ହୋଇ ଗଲା ଅମ୍ବିକାର। ସେ କାନ୍ଦ କାନ୍ଦ ହୋଇ ଧାଇଁ ଗଲା ଗୋପାଳ ଘରକୁ । ସନ୍ଧ୍ୟା ଆଗତ। ମା ପଦ୍ମାବତୀ ଆଉ ଗୋପାଳ ଦୁହେଁ ଘରେ
ଅଛନ୍ତି। ଅମ୍ବିକା ଡାକିଲା – ମାଆ…ମାଆ….!!
କିଏ! ଅମ୍ବିକା, ଆ ଲୋ ମାଆ ଆ, କଣ ହେଲା। ଗୋପାଳ ର ମାଆ କହିଲା। ଅମ୍ବିକା କହିଲା- ବାପକୁ ସାତ ଆଠ ଦିନ ହେଲା ଜର। ଖାଉନି କିଛି। ସେ ଶେଯରେ ପଡି – ଗୋପାଳ ଗୋପାଳ
ବାଉଳା ଖାଉଛି। ଗୋପାଳ କୁ ଦେଖିବ କହୁଛି।
ଗୋପାଳ ଅମ୍ବିକା ଆଡ଼କୁ ଚାହିଁଲା। ତା ଦୁଇ ଆଖି ରୁ ଦୁଇ ଧାର
ଲୁହ ଏଣେ ନିଗିଡ଼ି ଯାଉଛି। ସେ ବାଧ୍ୟ ହେଲା ଅମ୍ବିକା ଘରକୁ ଗଲା। ତା ସହିତ ମା ପଦ୍ମାବତୀ। ଦେଖିଲେ – ମାଗେତା ପଡ଼ିଛି
କଙ୍କାଳ ସାର ଦେହକୁ ନେଇ ରୋଗ ଶଯ୍ୟାରେ। ଖର ନିଃଶ୍ବାସ ଛାଡୁଛି କେତେବେଳେ ମରିବ ଠିକ୍ ନାହିଁ।
ଅମ୍ବିକା କହିଲା ବାପା, ହେଇ ତୁମ ପୁଅ ଆସିଛି। ମାଗେତା ଗୋପାଳ ଆସିବାର ଜାଣି ଶେଯରୁ ଧୀରେ ଧୀରେ ଉଠି ବସିଲା।
ଖନେଇ ଖନେଇ କହିଲା- ବାପା ଗୋପାଳ ମୁଁ ଆଉ ବଞ୍ଚିବି ନାହିଁ। ଶେଷ ସମୟ ଆସିଗଲାଣି। ତତେ ମୋ ଝିଅ ଲାଗିଲା।
ଆଉ ମୋ ଭୁଲ ମତେ କ୍ଷମା କରେ ଦେଏ।
ଗୋପାଳର ମନ ତରଳି ଗଲା। ସେ କହିଲା – ଠିକ୍ ଅଛି। ମୁଁ
ଅମ୍ବିକା କୁ ଭଲ ପାଏ। ଆଜି ବି ମୋ ହୃଦୟରେ ରହିଛି, ରହିଥିବା ଚିରକାଳ। ବୁଢ଼ା ଏମିତି ଶୁଣିଲା ପରେ ସୁଖ ନିଦ୍ରା ରେ
ଶୋଇଗଲା ସବୁ ଦିନ ପାଇଁ। ଏଣେ ଗାଁ ରେ ହାଲା ପଡ଼ିଗଲା -ମାଗେତା ଆଉ ନାହିଁ।

(ଗାଳ୍ପିକ: କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)

Comments (0)
Add Comment