ପୋଲସରା,୧୮/୧୧(ପିପିଟି):ମନ୍ଦିର ରେ ବିବାହ କରିବା ପରେ ପ୍ରେମିକା କୁ ପ୍ରତାରିତ କରି ଦ୍ବିତୀୟ ବିବାହ ଉଦ୍ୟମ କରିବା ଯୋଗୁଁ ପ୍ରେମିକ ର ବାରଣ୍ଡାରେ ବସିଲେ ଯୁବତୀ। ଏମିତି ଏକ ଘଟଣା ଘଟିଛି ପୋଲସରା ୩ କିଲୋମିଟର ଦୂର ଲକ୍ଷ୍ମଣ ପଲ୍ଲୀ ଗ୍ରାମରେ। ପ୍ରତାରିତା ଯୁବତୀ ଭାରତୀ ସାହୁ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ,ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ,ଜାତୀୟ ଓ ରାଜ୍ୟ ମାନବାଧିକାର କମିଶନ ଏବଂ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ସମେତ ଗଞ୍ଜାମ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ନିକଟକୁ ପ୍ରେରଣ କରିଥିବା ନିବେଦନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ସେହି ଗ୍ରାମର ନାରାୟଣ ସାହୁଙ୍କ ପୁଅ କରମଚାନ୍ଦ ବିବାହର ପ୍ରତିଶୃତି ଦେଇ ତାଙ୍କ ସହିତ ଶାରୀରିକ ସଂପର୍କ ରଖି ଆସୁଥିଲେ। ଏହି ଘଟଣା ପ୍ରଘଟ ହେବା ପରେ ଭାରତୀ ଓ କରମଚାନ୍ଦ ଏକା ଜାତିର ହୋଇ ଥିବାରୁ ଭାରତୀଙ୍କୁ ବୋହୂ କରିବା ପାଇଁ କର୍ମଚାରୀଙ୍କ ବାପା ନାରାୟଣ ରାଜି ହୋଇଥିଲେ । ତେବେ ତାଙ୍କର ଗୋଟିଏ ଅବିବାହିତ ଝିଅ ଥିବାରୁ ତାର ବିବାହ ପରେ ଭାରତୀଙ୍କୁ ବୋହୂ କରି ନେବେ ବୋଲି କହି ସମୟ ଗଡାଉଥିଲେ । ଏଥି ଯୋଗୁ ଭାରତୀଙ୍କ ସନ୍ଦେହ ଦୁର କରିବା ପାଇଁ କରମଚାନ୍ଦ ଭାରତୀଙ୍କୁ ଚଣ୍ଡୀ ରାମଚନ୍ଦ୍ର ପୁର ଉଗ୍ରେଶ୍ବର ମନ୍ଦିରରେ ବିବାହ କରିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ନଗଦ ୫୦ ଲକ୍ଷ ଟଙ୍କା ସହିତ ଜମି ଓ ଘରଡିହ ଦେଲେ ବୋହୁ ହେବୁ କହି କରମଚାନ୍ଦ ଓ ତାଙ୍କ ପରିବାର ଭାରତୀଙ୍କୁ ହଇରାଣ କରିବାକୁ ଲାଗିଲେ। ଏହି ସମୟ ମଧ୍ୟରେ ଭାରତୀର ଦୁଇ ଥର ଯୋର ଜବରଦସ୍ତ ଗର୍ଭ ନଷ୍ଟ କରା ଯାଇଥିବା ମଧ୍ୟ ଭାରତୀ ତାଙ୍କ ନିବେଦନ ପତ୍ରରେ ଉଲ୍ଲେଖ କରିଛନ୍ତି । ଏହା ସତ୍ବେ ଭାରତୀ କରମଚାନ୍ଦ ଘରକୁ ବୋହୂ ହୋଇଯିବେ ବୋଲି ନିରବରେ ସବୁ ସହି ଯାଉଥିଲେ। ମାତ୍ର ଚଳିତ ମାସରେ କରମଚାନ୍ଦ ନିକଟସ୍ଥ କଳମ୍ବ ଗ୍ରାମର ଅନ୍ୟ ଜଣେ ଯୁବତୀ ସହିତ ଗୋପନରେ ବିବାହ କରୁଥିବା ଜାଣିବା ପରେ ଆଜି ସମାଜସେବୀ ପ୍ରମିଳା ତ୍ରୀପାଠୀଙ୍କ ସହଯୋଗରେ କରମଚାନ୍ଦଙ୍କ ବାରଣ୍ଡାରେ ଧାରଣାରେ ବସିଛନ୍ତି । ତେବେ ଏସମ୍ପର୍କରେ ସୁରାକ ପାଇ କରମଚାନ୍ଦଙ୍କ ପରିବାର ଘରେ ତାଲା ଲଗେଇ କେଉଁଆଡେ ଚାଲି ଯାଇଛନ୍ତି। ଅପରପକ୍ଷରେ କରମଚାନ୍ଦ ଓ ତାଙ୍କ ପରିବାର ତାଙ୍କୁ ବୋହୂର ମର୍ଯ୍ୟାଦା ଦେବା ପର୍ଯ୍ୟନ୍ତ ତାଙ୍କର ଲଢେଇ ଜାରି ରହିବ ବୋଲି ଭାରତୀ ଓ ପ୍ରମିଳା ତ୍ରିପାଠୀ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କହିଛନ୍ତି ।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା।)