ଭଞ୍ଜନଗର, ୧୬/୦୭(ପିପିଟି):ପ୍ରଥମ ଥର ପାଇଁ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଦେବା ଲାଗି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାରେ ଏକ କମେଡ଼ି ଭିଡ଼ିଓ ପ୍ରସ୍ତୁତ ହୋଇଛି। ସହରର ଅଗ୍ରଣୀ ନୃତ୍ୟାନୁଷ୍ଠାନ ୟୁନିକ ଡ୍ୟାନ୍ସ ଏକାଡେମୀ,ଭଞ୍ଜନଗର ଦ୍ୱାରା ଆୟୋଜିତ ୟୁନିକ ଆର୍ଟସ ପ୍ରଡକ୍ସନ ବ୍ୟାନରରେ ନିର୍ମିତ କମେଡ଼ି ଭିଡ଼ିଓ ଗତ ୯ ତାରିଖ ଦିନ ମୁକ୍ତିଲାଭ କରିଛି।ପ୍ରାୟ ୩୦ମିନିଟର ଏହି ଭିଡ଼ିଓକୁ ଗତ ୭ଦିନ ମଧ୍ୟରେ ପ୍ରାୟ ୩୮ହଜାର ଦର୍ଶକ ଦେଖି ଉପଭୋଗ କରିଥିବା ବେଳେ ୨ହଜାର ୫ଶହ ଜଣ ଏହାକୁ ଲାଇକ ଏବଂ ୨ଶହରୁ ଉର୍ଦ୍ଧ୍ବ କମେଣ୍ଟ କରିଛନ୍ତି।କିଛି ପୁରୁଖା କଳାକାରଙ୍କୁ ଛାଡ଼ି ଦେଲେ ପ୍ରଥମ ଥର ପାଇଁ ବହୁ ନୂତନ କଳାକାର ଏଥିରେ ନିଖୁଣ ଅଭିନୟ କରିଛନ୍ତି ଯାହାକି ଦର୍ଶକମାନଙ୍କ ଠାରେ ବେଶ ଆଦୃତ ହୋଇପାରିଛି।ପୁଅର ସ୍ଵୟମ୍ବର ଆୟୋଜନକୁ ନେଇ ଏହି ହାସ୍ୟ ରସାତ୍ମକ କାର୍ଯ୍ୟକ୍ରମ ଦେଖି ସମସ୍ତେ ହସି ହସି ବେଦମ ହେଉଥିବା ଜଣାପଡିଛି।ଏହାର ରଚନା ଓ ନିର୍ଦ୍ଦେଶନା ମାଷ୍ଟର ପିଣ୍ଟୁ ବିଷୋୟୀ ଦେଇଥିବା ବେଳେ ଅଭିନୟରେ ଗଞ୍ଜାମ ଜିଲ୍ଲାର ବିଶିଷ୍ଠ ହାସ୍ୟ ଅଭିନେତା ଦୀପକଙ୍କ ସମେତ ପ୍ରମୋଦ,ରୋହିତ, ଶିବ, ଜେ.କେ ପଟ୍ଟନାୟକ,କୃଷ୍ଣ, ଜଗା,ପ୍ରସାଦ, ଜଗନ୍, ନାଲୁ,ପ୍ରେମାନନ୍ଦ, ସିତୁ,ଚିନୁ, ଲିପୁ, ଜନକ, ପ୍ରିୟା, ଆୟେଶା ଓ ତମନ୍ନା ରହିଛନ୍ତି।ସତ୍ୟ ସାଇ, ସିପୁ, ତ୍ରିଲୋଚନ ଓ ଅନ୍ୟମାନେ ଏଥିରେ ସହଯୋଗ କରିଛନ୍ତି।ଭଞ୍ଜନଗରବାସୀ ଓ ଦର୍ଶକଙ୍କ ସହଯୋଗ ମିଳିଲେ ଅତିଶୀଘ୍ର ଏହାର ଦ୍ଵିତୀୟ ଭାଗ ସୁଟିଙ୍ଗ ଆରମ୍ଭ ହେବ ବୋଲି ଆୟୋଜକ କହିଛନ୍ତି।
ରିପୋର୍ଟ- (ଜେ.କେ ପଟ୍ଟନାୟକ)