ମଥୁରା ମଣ୍ଡଳ ବିଜେପି ସଭାପତିଙ୍କ ଇସ୍ତଫା ।

ପୋଲସରା,୩୦/୦୭(ପିପିଟି): ପୋଲସରା ନିର୍ବାଚନ ମଣ୍ଡଳୀର ମଥୁରା ମଣ୍ଡଳ ବିଜେପି ସଭାପତି ଲଡୁକିଶୋର ସାହୁ ପ୍ରାଥମିକ ସଭ୍ଯ ପଦରୁ ଇସ୍ତଫା ଦେଇଛନ୍ତି। ଶ୍ରୀ ସାହୁ ତାଙ୍କର ଇସ୍ତଫା ପତ୍ର ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଛନ୍ତି। କିଛିଦିନ ପୂର୍ବରୁ ଘୁମୁସର ସାଙ୍ଗଠନିକ ଜିଲ୍ଲାର ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ପ୍ରମୋଦ କୁମାର ପଣ୍ଡା ଓ ଓବିସି ମୋର୍ଚ୍ଚାର ନେତା ମଧ୍ଯ ବିଜେପିରୁ ଇସ୍ତଫା ଦେଇଛନ୍ତି। ନିକଟରେ ପୋଲସରା ଏନ୍ଏସିର ନବ ନିର୍ବାଚିତ ୫ ଜଣ ବିଜେପି ୱାର୍ଡ ମେମ୍ବର, ଚିରିକିପଡା ଶାସନ ସମିତି ସଭ୍ଯ ଓ ଭାବରଡା ସରପଞ୍ଚ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ସେମାନେ ଆଗାମୀ ଦିନରେ ବିଜେଡିରେ ସାମିଲ ହେବା ନେଇ ଚର୍ଚ୍ଚା ଶୁଣିବାକୁ ମିଳୁଛି। ପୌର ନିର୍ବାଚନରେ ପୋଲସରା ଏନ୍ଏସିରେ ୬ଜଣ ବିଜେପିର ୱାର୍ଡ ମେମ୍ବର ବିଜୟ ହୋଇଥିଲେ। ବର୍ତ୍ତମାନ ୫ଜଣ ଦଳ ଛାଡିବା ନିଶ୍ଚିତ ହୋଇଯାଇଛି। ଆଗାମୀ ଦିନରେ ଆହୁରୀ ନେତା ଓ କର୍ମୀ ବିଜେପି ଛାଡିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ। ଘୁମୁସର ଜିଲ୍ଲା ବିଜେପି ସଭାପତି ଗୋକୁଳାନନ୍ଦ ମଲ୍ଲିକ ମନମୁଖୀ କାରବାର ହିଁ ପୋଲସରା ଅଞ୍ଚଳରେ ବିଜେପି ସଂଗଠନ ଦିନକୁ ଦିନ ଦୁର୍ବଳ ହେବା ସହିତ ଦଳୀୟ ନେତା ଓ କର୍ମୀ ଦଳ ଛାଡୁଛନ୍ତି। ଶ୍ରୀ ମଲ୍ଲିକଙ୍କୁ ମୂଳ ବିଜେପି ନେତା ଓ ଯୁବ ପିଢି ସହଜରେ ଗ୍ରହଣ କରିପାରୁ ନାହାଁନ୍ତି। ଆଗମୀ ସାଧାରଣ ନିର୍ବାଚନରେ ବିଜେପି ଯଦି ଗୋକୁଳାନନ୍ଦ ମଲ୍ଲିକଙ୍କୁ ପ୍ରାର୍ଥୀ କରେ ତାହାହେଲେ ବିଜେପି ପ୍ରାୟ ୪୦ ହଜାରରୁ ଊର୍ଦ୍ଧ୍ବ ଭୋଟରେ ହାରିବାର ସମ୍ଭାବନା ରହିଛି ବୋଲି ଚା ଖଟିରେ ଚର୍ଚ୍ଚା ଆରମ୍ଭ ହେଲାଣି। ଯୁବନେତା ପ୍ରମୋଦ କୁମାର ପଣ୍ଡା ଭଲ ସଂଗଠନ କରୁଥିଲେ କିନ୍ତୁ ତାଙ୍କୁ ଅଣଦେଖା କରିବା ଯୋଗୁଁ ସେ ଦଳ ଛାଡିଲେ। ବର୍ତ୍ତମାନ ଯୁବନେତା ପ୍ରଭାକର ପଣ୍ଡାଙ୍କ ଭଲ ସଂଗଠନ ରହିଛି କିନ୍ତୁ ତାଙ୍କୁ ଆଗକୁ ବଢାବାକୁ ଦିଆଯାଉ ନାହିଁ। ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନଙ୍କ ଅଭିଜ୍ଞତା ଥିଲେ ମଧ୍ଯ ତାଙ୍କୁ ଯେଉଁଭଳି ଗୁରୁତ୍ବ ମିଳିବା କଥା ସେହିଳି ଗୁରୁତ୍ବ ଦିଆଯାଉ ନାହିଁ। ପୂରାତନ ବରିଷ୍ଠ ନେତା ଦୀନବନ୍ଧୁ ସାହୁ ଓ ଜୟନ୍ତୀ ପଢିଆରୀଙ୍କୁ ମଧ୍ଯ ପୋଲସରା ନିର୍ବାଚନ ମଣ୍ଡଳୀରେ ଆଗଭଳି ଗୁରୁତ୍ବ ଦିଆଯାଉ ନାହିଁ। ଆଗଭଳି ପୋଲସରା ନିର୍ବାଚନ ମଣ୍ଡଳୀରେ ବିଜେପି ସଂଗଠନ ପ୍ରତି ଯେଉଁ ଆଗ୍ରହ ଯୁବପିଢିଙ୍କର ଥିଲା ବର୍ତ୍ତମାନ ଭଟା ପଡିଲାଣି। ପୋଲସରା ନିର୍ବାଚନ ମଣ୍ଡଳୀରେ ଆଗମୀ ଦିନରେ ବିଜେପି ସଂଗଠନ ସ୍ଥିତି କଣ ହେବ ସମୟ ହିଁ କହିବ।

(ରିପୋର୍ଟ – ସନ୍ତୋଷ କୁମାର ପଣ୍ଡା)

Comments (0)
Add Comment