ମଥୁରା-ଜେ.ଡେଙ୍ଗାପଦର ଆର.ଡି. ରୋଡ଼ ବିଷୟ ନେଇ ଜାତୀୟ ମାନବାଧିକାର କମିଶନଙ୍କ ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ।

ପୋଲସରା (ପିପିଟି) ୦୨/୦୮/୨୫ : ନୂଆଦିଲ୍ଲୀ ମାନବଧିକାର କମିଶନ ପକ୍ଷରୁ କେସ ନମ୍ବର ୧୨୨୦/୧୮/୫/୨୦୨୫ ପ୍ରକାରେ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ମଥୁରା – ଜେ. ଡେଙ୍ଗାପଦର ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାର ଦୁରାବସ୍ଥାକୁ ନେଇ ଚଳିତ ଅଗଷ୍ଟ ୧ ତାରିଖ ଶୁକ୍ରବାର ଦିନ ଗଞ୍ଜାମ ଜିଲ୍ଲାପାଳଙ୍କ ନିକଟକୁ ଏକ ପତ୍ର ଯାଇଥିବା ସୁପ୍ରିମକୋର୍ଟର ଆଡଭୋକେଟ ସୁଶାନ୍ତ କୁମାର ମଲ୍ଲିକ ପ୍ରକାଶ କରିଛନ୍ତି। ସୁଶାନ୍ତ କୁମାର ମଲ୍ଲିକଙ୍କଠାରୁ ଜନସାଧାରଣଙ୍କ ସମ୍ପର୍କରେ ପ୍ରାପ୍ତ ୨୮/୦୪/୨୦୨୫ ତାରିଖର ଅଭିଯୋଗ, ତା.୦୧/୦୮/୨୦୨୫ରେ କମିଶନଙ୍କ ସମ୍ମୁଖରେ ଉପସ୍ଥାପିତ କରାଯାଇଥିଲା। ଏହାକୁ ଅନୁଧ୍ୟାନ କରିବା ପରେ, କମିଶନ ମହୋଦୟ ଏହି ଅଭିଯୋଗକୁ ଉପଯୁକ୍ତ ବିବେଚିତ କରି କାର୍ଯ୍ୟାନୁଷ୍ଠାନ ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଯାଉ ବୋଲି ନିର୍ଦ୍ଦେଶ ଦେଇଥିଲେ। ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଏଵଂ ଅଭିଯୋଗକାରିଙ୍କୁ ସମ୍ପୃକ୍ତ କରି ୮ ସପ୍ତାହ ମଧ୍ୟରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବଂ ଏହି ମାମଲାରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ବିଷୟରେ ତାଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଦେଶ ଅନୁଯାୟୀ ତୁରନ୍ତ ମଥୁରା-ଜେ. ଡେଙ୍ଗାପଦର ରାସ୍ତା ନିର୍ମାଣ କରାଯିବାସହ ଜେ. ଡେଙ୍ଗାପଦରକୁ ମୋ ବସ ସେବା ଯୋଗାଇଦିଆଯାଉ। ଏଥିସହ ଗ୍ରାମ୍ୟ ଉନ୍ନୟନ ବିଭାଗ, ପୋଲସରା ବିଡ଼ିଓ ଏବଂ ପରିବହନ ଅଧିକାରୀଙ୍କୁ ନେଇ ମିଳିତ ଅନୁଧ୍ୟାନ କରାଯାଉ। କମିଶନଙ୍କ ଆଇନ ବିଭାଗ ପକ୍ଷରୁ ଏନେଇ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ଏହାର ନକଲ ଭାରତର ପ୍ରଧାନମନ୍ତ୍ରୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment