ମଣ୍ଡି ରୁ ଧାନ ଉଠାଇବାରେ ଅବହେଳା କାରଣରୁ ୧୧ ଜଣ ମିଲରଙ୍କୁ ଜିଲ୍ଲା ପ୍ରଶାସନର କାରଣ ଦର୍ଶାଅ ନୋଟିସ ।

ଛତ୍ରପୁର,୨୩/୦୧(ପିପିଟି): ମଣ୍ଡିରୁ ଧାନ ଉଠାଇବାରେ ବିଳମ୍ୱ ଓ ଅବହେଳା କାରଣରୁ ପ୍ରଦର୍ଶନ କରିଥିବା ହେତୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୬ ଘଣ୍ଟା ମଧ୍ୟରେ କାରଣ ଦର୍ଶାଅ ନୋଟିସ୍ ଜାରି। ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଳକର ୪ ଜଣ, ଗଞ୍ଜାମ ବ୍ଳକର ୪ ଜଣ ଓ ପୁରୁଷୋତ୍ତମ ବ୍ଳକର ୩ ଜଣ ମିଲରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଏଠାରେ ପ୍ରକାଶ ଥାଉକି ଚଳିତ ମାସ ଜାନୁଆରୀ ୨୦ ତାରିଖରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମସ୍ତ ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଏବଂ ଯୋଗାଣ ବିଭାଗ ଓ ସମବାୟ ବିଭାଗର ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଚଳିତ ଖରିଫ୍ ବର୍ଷ ୨୦୨୪-୨୫ ଧାନ କ୍ରୟ ସମ୍ବନ୍ଧୀୟ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା। ସମୀକ୍ଷା ବୈଠକରେ ୧୧ ଜଣ ମିଲର ଧାନ ଉଠାଇବାରେ ବିଳମ୍ୱ ଓ ଅବହେଳା କରୁଥିବାର ତଥ୍ୟ ଜିଲ୍ଲା ପ୍ରଶାସନର ଦୃଷ୍ଟିଗୋଚର ହୋଇଥିଲା। ତେଣୁ ଜିଲ୍ଲା ପ୍ରଶାସନ ତରଫରୁ ସେହି ୧୧ ଜଣ ମିଲରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇ ଅବିଳମ୍ବେ ମଣ୍ଡି ରୁ ଧାନ ଉଠାଇବାକୁ ତାଗିଦ୍ କରାଯାଇଅଛି। ଏହାର ଖିଲାପ କଲେ ଜିଲ୍ଲା ପ୍ରଶାସନ ତରଫରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାଇ ଦିଆଯାଇଅଛି।

Comments (0)
Add Comment