ମଣିଷ ମନରେ ଥବା ମହିଷାସୁରର ମୃତ୍ୟୁ କେବେ।

ବୋଲଗଡ଼,୦୨/୧୦(ପିପିଟି): ଶାରଦୀୟ ଦୁର୍ଗାପୂଜା ପୂଜାପାଇଁ ଚଳ ଚଞ୍ଚଳ ହୋଇଉଠିଛି ଗ୍ରାମ ଠାରୁ ସହର। ଜୟ ମା ଦୁର୍ଗତି ନାସିନୀ ଦୁର୍ଗା ନାମରେ ପ୍ରକମ୍ପିତ ହେଉଛି। ମମତା, ଶକ୍ତି, ସମୃଦ୍ଧିର ପରିଚୟ ସୃଷ୍ଟି କରୁଥିବା ନାରୀହିଁ ମା ଦୁର୍ଗାଙ୍କର ପ୍ରତିକ ବୋଲି ଜାଣିଛି ସାରା ଜଗତ। ଏହାଛଡ଼ା ଦଶ ଦିନ ଧରି ଏହି ପୂଜା ଅନୁଷ୍ଠିତ ହେବା ସାଙ୍ଗକୁ କେହି କେହି ନବରାତ୍ରୀ ଉପବାସ ମଧ୍ୟ ରଖନ୍ତି। ସମୂର୍ଣ୍ଣ ପୁରପଲ୍ଲୀ ଚଳଚଞ୍ଚଳ ହୋଇପଡ଼େ ଏହି ଦଶହରାରେ। ପ୍ରତେକ ପୂଜା ମଣ୍ଡପଗୁଡ଼ିକରେ ସପ୍ତମୀ ଦିନରୁ ମା’ଙ୍କର ଆବାହନ କରାଯାଏ। ଏହାଛଡ଼ା ସମସ୍ତ ଦେବୀ ପୀଠଗୁଡ଼ିକରେ ମା’ଙ୍କର ଷୋହଳ ପୂଜା ଅନୁଷ୍ଠିତ ହୋଇଥାଏ। ପ୍ରଥମ ଦିନରୁ ଆରମ୍ଭ କରି ଷୋହଳ ଦିନ ପର୍ଯ୍ୟନ୍ତ ମା’ ଭକ୍ତଙ୍କୁ ଭିନ୍ନ ଭିନ୍ନ ଅବତାରରେ ଦର୍ଶନ ଦିଅନ୍ତି। ପ୍ରତିବର୍ଷ ଭକ୍ତମାନେ ଭକ୍ତି ଭାବନା, ବିଶ୍ୱାସ ଏବଂ ଉଲ୍ଲାସର ସହ ଏହି ପୂଜା ପାଳନ କରିଥାନ୍ତି। ମହିଷାମର୍ଦ୍ଦିନୀ ଜଗତ୍ ଜନନୀ ମା’ ଦୁର୍ଗାଙ୍କ ପାଇଁ ପୁରପଲ୍ଲୀଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠୁ ଖୁସିର ଲହରି ଖେଳିଯାଏ। ଶକ୍ତି ଦେବୀଙ୍କ ପାଇଁ ସମସ୍ତ ଶକ୍ତିପୀଠ ଗୁଡ଼ିକରେ ପୂଜାର୍ଚ୍ଚନା ଜୋର ସୋରରେ କରାଯାଇଥାଏ। କିନ୍ତୁ ଏତେ ପୂଜା ଅର୍ଚ୍ଚନା ସେବା କଣ ନବରାତ୍ରୀ ପାଇଁ। ଗୋଟିଏ ପଟେ ଶକ୍ତି ପୀଠ ଏବଂ ମୃଣୀୟ ମୂର୍ତ୍ତି ପାଇଁ ସମସ୍ତ ଭକ୍ତିର ସହ ବ୍ୟାକୁଳ ହେଉଥିବା ବେଳେ ଅନ୍ୟ ପଟେ ସେବା କରିବାକୁ ପଡିଥାଏ ବୋଲି ଗାଳି ସହୁଛି ଜନ୍ମ କଲା ବୃଦ୍ଧା ମା’। ବୃଦ୍ଧାଶ୍ରମରେ ହୃଦୟ ବିହିନ ସନ୍ତାନକୁ ଝୁରି ଝୁରି କାନ୍ଦୁଛି ମାତୃତ୍ୱ। କିନ୍ତୁ ମହିଷାସୁର ମର୍ଦ୍ଦିନୀଙ୍କ ପାଖରେ ଭକ୍ତିର ସହକାରେ ଭଜନ କୀର୍ତ୍ତନ କରୁ ଥିଲାବେଳେ କିନ୍ତୁ ଅନ୍ୟପଟେ ଦେଖିବାକୁ ଗଲେ ଆସୁରିକ ଶକ୍ତିର ବଶବର୍ତ୍ତୀ ହୋଇ କେତେଯେ ଝିଅ ଭଉଣୀଙ୍କ ଉପରେ ପଡୁଛି ଲୋଲୁପ ଦୃଷ୍ଟି। ମୃଣୀୟ ମୂର୍ତ୍ତି ପାଖରେ ଭଜନ କୀର୍ତ୍ତନ କରୁ କରୁ ଅସହାୟ ନାରୀ ମାନଙ୍କର ଆକୁଳ ଚିତ୍କାରର ସ୍ୱର କାହାରି କାନରେ ପଡୁନାହିଁ। ମା, ଦୁର୍ଗା ମେଲାଣି ନେବାପରି କେତେ ଯେ ନାରୀ ଯୌତୁକ ଜୁଇରେ ଜଳୁଛଛନ୍ତି ତାର ହିସାବ ନାହିଁ। କେତେ ଯୁବତୀ ଗଣ ଦୁଷ୍କର୍ମ ଓ ଦୁଷ୍କର୍ମର ଶିକାର ହେଉଛନ୍ତି ତାର ମଧ୍ୟ ହିସାବ ନାହିଁ। ମୂର୍ତ୍ତିଦେବୀ ଙ୍କୁ ପୂଜା କରି ଭକ୍ତ ଜୟ ମା’ଦୂର୍ଗା ବୋଲି କହୁଥିଲାବେଳେ କିନ୍ତୁ ସେହି ମା’ର ସନ୍ତାନର ନ୍ୟାୟ ପାଇଁ କେହି ଆଗକୁ ଆସୁନାହାନ୍ତି। ଏଠି ସମସ୍ତେ ନିରବ। ପରିବାର କାନ୍ଦୁଛି, ପ୍ରଶାସନ ଚୁପ୍ ରହୁଛି। ମୋଟାମୋଟି କହିବାକୁ ଗଲେ ମାଟି ପଥରରେ ତିଆରି ମହିଷାସୁର ପ୍ରତିବର୍ଷ ମରୁଛି ସତ କିନ୍ତୁ ମଣିଷ ମନରେ ଥିବା ମହିଷାସୁର ମୃତ୍ୟୁ କେବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Comments (0)
Add Comment