ଗଗନ ପବନ ହୁଏ ସ୍ତମ୍ଭିଭୂତ
ଜାଣି ତୁମ୍ଭ ରୀତି ନୀତି…
ମଣିଷ ହୋଇ ଯେ ମଣିଷ ପଣିଆ
ଭୁଲି ଯାଏ ପ୍ରତି ନିତି…!!
ମଣିଷ ଜନମେ ଅଛି ସୀମାରେଖା
ସୀମା ଉଲଂଘନ କଲେ…
ମଣିଷ ଖୋଳପା କରି ପରିଧାନ
ପଶୁ ଆଚରଣ କଲେ….!!
ସେ କିବା ମଣିଷ ପଣରେ ଗଣିତି
ବିବେକ ଯାହାର ଶୂନ୍ୟ…
ସଂସାରେ ବଞ୍ଚି କି ପାଏ ଅପଯଶ
ଜୀଇଁବା ମରଣ ସମ….!!
ମଣିଷର ଅଛି ଚିନ୍ତା ଓ ଚେତନାକୁ
ସତ୍ଯ,ଧର୍ମ, ନ୍ୟାୟ,ମାର୍ଗ….
ଏଣୁ ଯେ ମଣିଷ କରି ଭଲ କର୍ମ
ସମାଜେ କରଇ ଗର୍ବ….!!
ଯେଉଁ ମାନବର ଉତ୍ତମ ସୁକର୍ମ
ସମାଜରେ ପାଏ ପୂଜା….
ଜାତି ନୁହେଁ ବଡ ବଡ ସିନା କର୍ମ
ଉଡ଼ଇ ସୁନାମ ଧ୍ବଜା….!!
ପାପ କର୍ମ ଯେତେ ପରଶ୍ରୀକାତ୍ତର
କ୍ଷମତାରେ ଅନ୍ଧ ହୋଇ….
ସଂସାରେ କିଏ ବା ଅର୍ଜିଛି ସୁନାମ
ଖୋଜିଲେ ପାଇବ ନାହିଁ….!!
ମଣିଷ ମନରେ ଦୟା କ୍ଷମା ଗୁଣ
ପ୍ରାଣୀ ସେବାରେ ତତ୍ପର ….
ମରିବି ଅମର ସମାଜେ ସୁକୀର୍ତ୍ତି
ରହିଥାଏ ନାମ ଚିର….!!
ଶ୍ରେଷ୍ଠ ଜନମ ତ ମାନବ ଜନମ
ଜ୍ଞାନ ଭରିଅଛି ମୁଣ୍ଡେ….
ବିଭ୍ରମ କାହିଁକି ହେଉରେ ମନୁଆ
ଭାବେ କର୍ମ କରି ଦଣ୍ଡେ…!!
ଭଲ ଆଉ ମନ୍ଦ ଦୁଇଟି ଗୋଟି କର୍ମ
ତୋ ଇଛା ମାଲିକ ତୁହି….
କିଏ ବା କହିବ ଗୁରୁ ଅବା କିଏ
ମନ ଘୋଡ଼ା ଯିବ କାହିଁ…?
ବିବେକ ଚଳାଏ ମନ ଅଶ୍ଵ ତୋର
ସୁପଥ କୁପଥ ଦୁଇ….
ଆଲୁଅ ଅନ୍ଧାର ଦିବସ ରଜନୀ
ଯିବା ପାଇଁ ମନା ନାହିଁ….!!
ଯେଉଁ କର୍ମ କଲେ ସେ ଫଳ ଲଭିବୁ
ମିଛଟାରେ ଭାଗ୍ଯ ନିନ୍ଦା….
ଈଶ୍ବର ବିଶ୍ବର ସବୁ ଦେଖୁଛନ୍ତି
ପାପ ପୂଣ୍ୟ ସବୁ ଧନ୍ଦା….!!
(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନ:୯୪୩୭୭୭୯୪୪୭