ଭୋଟର ତାଲିକାରେ ନାମ ସାମିଲ ପାଇଁ ସ୍ୱତନ୍ତ୍ର ଅଭିଯାନ ।

ଛତ୍ରପୁର,୦୩/୧୦(ପିପିଟି): ସ୍ୱତନ୍ତ୍ର ସଘନ ସଂଶୋଧନ ପରେ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଯୋଗ୍ୟ ନାଗରିକଙ୍କ ସମେତ ପ୍ରଥମ ଥର ଭୋଟ ଦେବାକୁ ଯାଉଥିବା ଯୁବ ଭୋଟରଙ୍କ ନାମ ତାଲିକାରେ ସାମିଲ କରିବା ନିମନ୍ତେ ରାଜ୍ୟରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯିବ । ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି ପଦକ୍ଷେପ ନିଆଯାଇଛି ।

ଏହି ଅଭିଯାନରେ ବୁଥ୍ ସ୍ତରୀୟ ଅଧିକାରୀମାନେ ବର୍ତ୍ତମାନର ଭୋଟର ତାଲିକାକୁ ସ୍ୱତନ୍ତ୍ର ସଘନ ସଂଶୋଧନ ପୂର୍ବର ଭୋଟର ତାଲିକା ସହ ତୁଳନା କରି ବାଦ୍ ପଡ଼ିଥିବା ନାମଗୁଡ଼ିକୁ ଚିହ୍ନଟ କରିବେ। ଏହାପରେ ଘରକୁ ଘର ଯାଇ ସମ୍ପୃକ୍ତ ନାଗରିକଙ୍କ ସ୍ଥିତି ଯାଞ୍ଚ କରିବା ସହ ଯୋଗ୍ୟ ବ୍ୟକ୍ତିଙ୍କଠାରୁ ନାମ ପଞ୍ଜୀକରଣ ପାଇଁ ନିର୍ଦ୍ଧାରିତ ଆବେଦନପତ୍ର ଛଅ ମାଧ୍ୟମରେ ଆବେଦନ ସଂଗ୍ରହ କରାଯିବ । ପ୍ରାୟ ଏକ ମାସ ମଧ୍ୟରେ କାର୍ଯ୍ୟ ସମାପ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଏହି ପ୍ରକ୍ରିୟାରେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକର ବୁଥ୍ ସ୍ତରୀୟ ଏଜେଣ୍ଟମାନଙ୍କ ସହ ଚିହ୍ନଟ ତାଲିକା ଆଦାନପ୍ରଦାନ କରାଯିବ। ସଂଗୃହୀତ ଆବେଦନପତ୍ର ଓ କ୍ଷେତ୍ର ଯାଞ୍ଚ ରିପୋର୍ଟ ନିର୍ବାଚକ ପଞ୍ଜୀକରଣ ଅଧିକାରୀଙ୍କ ନିକଟରେ ଦାଖଲ କରାଯାଇ ଲୋକ ପ୍ରତିନିଧିତ୍ୱ ଆଇନ, ୧୯୫୦ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନିଆଯିବ ।

ଏଥିସହ ଶ୍ରମିକ ବସ୍ତି,ଗୃହହୀନ ବ୍ୟକ୍ତି ଓ ଅନ୍ୟାନ୍ୟ ବଞ୍ଚିତ ବର୍ଗଙ୍କ ନିମନ୍ତେ ସ୍ୱତନ୍ତ୍ର ଶିବିର ଆୟୋଜନ କରାଯିବ । ଏହା ସହିତ ବିଭିନ୍ନ ଭୋଟର ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଯୋଗ୍ୟ ନାଗରିକମାନଙ୍କୁ ଭୋଟର ତାଲିକାରେ ନାମ ପଞ୍ଜୀକରଣ ସମ୍ପର୍କରେ ସଚେତନ କରାଯିବ ।

ଏହି ଅଭିଯାନକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାପ୍ତ କରିବାକୁ ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ, ନିର୍ବାଚକ ପଞ୍ଜୀକରଣ ଅଧିକାରୀ ଏବଂ ବୁଥ୍ ସ୍ତରୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଅଭିଯାନର ଅଗ୍ରଗତିକୁ ନିୟମିତ ସମୀକ୍ଷା କରାଯିବ ।

Comments (0)
Add Comment