ମାଲକାନଗିରି,୦୪/୦୬(ପିପିଟି): ମାଲକାନଗିରି ଜିଲ୍ଲାର ଭେଜେଙ୍ଗଵାଡା ସଂରକ୍ଷିତ ଜଙ୍ଗଲ ମଧ୍ଯରେ ଥିବା ବଡିଗେଟା ଏବଂ ଏମପିଭି-୨୧ ଅଞ୍ଚଳରେ ବିଏସ୍ଏଫ୍ ଏବଂ ପୁଲିସର ମିଳିତ କମ୍ବିଂ ଅପରେସନ ସମୟରେ ଜଙ୍ଗଲରୁ ଲ୍ୟାଣ୍ଡମାଇନ ଏବଂ ୪ଟି ଜିଲୋଟିନ ଭର୍ତ୍ତି ବ୍ଯାଗ ଉଦ୍ଧାର କରାଯାଇଛି। ବିଏସ୍ଏଫ ଯବାନମାନେ ଏହାକୁ ନିଷ୍କ୍ରିୟ ମଧ୍ୟ କରିଛନ୍ତି ।
ତେବେ ଭେଜାଙ୍ଗିୱାଡା ଜଙ୍ଗଲରୁ ଲ୍ୟାଣ୍ଡମାଇନ ଉଦ୍ଧାର କରାଯାଇଥିବା ବେଳେ ଟେକଗୁଡା ଏବଂ ଦୁଲାଗୁଣ୍ଡି ଅଞ୍ଚଳରୁ ୪ ଟି ବ୍ୟାଗରେ ଭର୍ତ୍ତି ହୋଇଥିବା ଜିଲୋଟିନକୁ ଉଦ୍ଧାର କରାଯାଇଛି। ବିଏସଏଫ ଯବାନମାନେ ଜନସାଧାରଣଙ୍କୁ ସୁରକ୍ଷା ଦେବା ପାଇଁ ଦିନରାତି କମ୍ବିଂ ଅପରେସନ କରୁଥିବା ଜଣାପଡିଛି । ଯବାନଙ୍କ ମନବଳକୁ ଦୁର୍ବଳ କରିବା ପାଇଁ ନକ୍ସଲମାନେ ବିଭିନ୍ନ ପ୍ରକାର ରଣ କୌଶଳକୁ ଅବଲମ୍ବନ କରୁଥିବା ବେଳେ ଯବାନମାନେ ଲୋକଙ୍କ ସମର୍ଥନ ଓ ଆସ୍ଥା ଭାଜନ ପାଇଁ ସର୍ବଦା ପ୍ରଚେଷ୍ଟା କରୁଛନ୍ତି । ନକ୍ସଲ ଏହି ଲ୍ୟାଣ୍ଡମାଇନକୁ ଯବାନମାନଙ୍କୁ ଟାର୍ଗେଟ କରି ଖଞ୍ଜା ଯାଇଥିବା ଆଶଙ୍କା ପ୍ରକାଶ କରାଯାଇଛି ।
ତେବେ ଯବାନଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏହି ଲ୍ୟାଣ୍ଡମାଇନକୁ ସୁଚାର ରୂପେ ଠାବ କରାଯାଇପାରିଛି । ଯଦି ଏହି ଲ୍ଯାଣ୍ଡ ମାଇନ ବିସ୍ଫୋରଣ ହୋଇଥାନ୍ତା ,ତେବେ ବହୁ ଯବାନ ମୃତାହତ ହେବାର ସମ୍ଭାବନାକୁ ଏଡେଇ ହୋଇ ପାରିନଥାନ୍ତା ବୋଲି କୁହାଯାଇଛି । ବର୍ତ୍ତମାନ ଯବାନ ଏବେ ମଧ୍ୟ ଉକ୍ତ ଜଙ୍ଗଲରେ ସର୍ଚ୍ଚ ଅପରେସନକୁ ଜୋରଦାର କରୁଥିବା ସୂଚନା ମିଳିଛି। ଏହି ଅଞ୍ଚଳରେ ନକ୍ସଲ ପୂର୍ବରୁ ଲ୍ୟାଣ୍ଡମାଇନ ଖଞ୍ଜିଥାଇପାରନ୍ତି ବୋଲି ଅନୁମାନ କରାଯାଏ।ପୁଲିସ ଏବଂ ବିଏସଏଫର ମିଳିତ ଉଦ୍ୟମରେ ଏଠାରେ କୌଣସି ନକ୍ସଲମାନଙ୍କ ଉପସ୍ଥିତିକୁ ଉପଲବ୍ଧି କରାଯାଉନଥିବା ଜଣାପଡିଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)