ଭୁଵନେଶ୍ଵର ଆଇ.ଓ.ସି.ଏଲ. ଟାଙ୍କି ଵିସ୍ଫୋରଣ ଘଟଣାର ଵିଚାର ଵିଭାଗୀୟ ତଦନ୍ତ, ଏହି ଘଟଣାରେ ପ୍ରତ୍ୟେକ କ୍ଷତିଗ୍ରସ୍ତଙ୍କୁ ପର୍ଯାପ୍ତ କ୍ଷତିପୂରଣ ପ୍ରଦାନ ପାଇଁ ଦାବି ।

ଭୁଵନେଶ୍ଵର,୧୬/୧୦: ଗତ ଅକ୍ଟୋଵର ୭ ତାରଖରେ ରାଜଭଵନ ନିକଟ ସୂର୍ଯ୍ଯନଗର ସ୍ଥିତ ଭାରତୀୟ ତୈଳ ନିଗମ (ଇଣ୍ଡିଆନ ଅଏଲ ପେଟ୍ରୋଲିୟମ କର୍ପୋରେଶନ) ଫିଲିଙ୍ଗ ଷ୍ଟେସନ ନିର୍ମାଣ କାର୍ଯ୍ଯ ଚାଲିଥିଵା ଵେଳେ ଅପରାହ୍ନ ଏକ ଘଣ୍ଟାରେ ଗ୍ଯାସ ଟାଙ୍କି ଵିସ୍ଫୋରଣରେ ଅନେକ ମୃତାହତ ଓ ଅନ୍ଯୁନ ୩ ଶହ ମିଟର ଵ୍ଯାସାର୍ଦ୍ଧ ଅଞ୍ଚଳ ପର୍ଯ୍ଯନ୍ତ ଅନେକ ଵାସଗୃହ ସମେତ ଯାନଵାହନ କ୍ଷତିଗ୍ରସ୍ତ ହୋଇଅଛି। ପେଟ୍ରୋଲ ଵା ଡିଜେଲ ଫିଲିଙ୍ଗ ପାଇଁ ଆସିଥିଵା ଅନେକ ମଣିଷ ଆହତ ହୋଇଛନ୍ତି। ଏହି ଭୟାଵହ ଦୁର୍ଘଟଣା ଠାରୁ ଆଜିକୁ ୧୦ ଦିନ ଅତିକ୍ରାନ୍ତ ହୋଇଥିଲେ ଵି ଏପର୍ଯ୍ଯନ୍ତ ଏହି ମର୍ମନ୍ତୁଦ ଘଟଣା ଆଇଓସିଏଲର ସୁରକ୍ଷା ଵ୍ଯଵସ୍ଥା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଥିଵା ଵେଳେ ଏପର୍ଯ୍ଯନ୍ତ ଆଇଓସିଏଲର ଭୁଵନେଶ୍ଵର ମୂଖ୍ଯ, ଆଇଓସିଏଲର ଏହି ପ୍ରଭାଵଶାଳୀ ଫିଲିଙ୍ଗ ଷ୍ଟେସନର ମାଲିକ ଓ ଅସୁରକ୍ଷିତ କାର୍ଯ୍ଯ କରାଉଥିଵା ଠିକାଦାର ସଂସ୍ଥାର କାହାରି ଉପରେ ଅସୁରକ୍ଷିତ କାର୍ଯ୍ଯଜନିତ ଵିସ୍ଫୋରଣ ଓ ହତ୍ଯା ଘଟଣା ଉପରେ କୌଣସି ମକଦ୍ଦମା ଅଥଵା ଗିରଫ ଭଳି କାର୍ଯ୍ଯାନୁଷ୍ଠାନ ଆରମ୍ଭ ହୋଇନାହିଁ।ଅଗ୍ନୀଶମ ଵାହିନୀ ଓ ପୋଲସ କର୍ତ୍ତୃପକ୍ଷ ଘଟଣା ଘଟିଵାର ୧୫ ମିନିଟ ଭିତରେ ଘଟଣାସ୍ଥଳରେ ପହଞ୍ଚି ସେ ସମଗ୍ର ଅଞ୍ଚଳ ନିଜ ଅକ୍ତିଆରକୁ ନେଇଥିଲେ ଵି, ଆଇଓସିଏଲର ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ ନର୍ମ ଏକ ଧାର୍ଯ୍ଯ ଅନୁସୃତ ପଦ୍ଧତିର ଉଲ୍ଲଙ୍ଘନ ହୋଇଥିଵା ସୁସ୍ପଷ୍ଟ ହୋଇଯାଇଛି। ଦେଶର ଏକ ମହାରତ୍ନ ଶିଳ୍ପର ଏଭଳି ଵିଚ୍ଯୁତି ସମ୍ପର୍କରେ ଜାଣିଥିଲେ ଵି କୌଣସି କାର୍ଯ୍ଯାନୁଷ୍ଠାନ ନ ହେଵା ସମଗ୍ର ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନଵାଚୀ ସୃଷ୍ଟି କରିଛି। କେନ୍ଦ୍ର ସରକାରଙ୍କ ଡାଇରେକ୍ଟର ଜେନେରାଲ ଅଫ ଫେକ୍ଟୋରିଜ ସେଫଟି ସଂସ୍ଥା ପକ୍ଷରୁ ଏପର୍ଯ୍ଯନ୍ତ ପ୍ରାଥମିକ ତଦନ୍ତ ହୋଇ ନାହିଁ । ଠିକ ସେହିଭଳି ଏଭଳି ଭୟାନକ ଵିପର୍ଯ୍ଯୟ ଘଟିଥିଵା ଵେଳେ ଆମ ରାଜ୍ଯ ସରକାର ଓ ତାଙ୍କ ଵିପର୍ଯ୍ଯୟ ପ୍ରସମନ ଵିଭାଗ, ମୃତାହତ ଓ କ୍ଷୟକ୍ଷତିର କୌଣସି ନିର୍ଦ୍ଦିଷ୍ଟ ଆକଳନ ଓ ଏହା ପୁନରାଵୃତ୍ତି ନ ହେଵା ଜନୀତ ଗୁରୁତ୍ତ୍ଵ ଦେଇଥିଵାର ପରିଲକ୍ଷିତ ହୋଇ ନାହିଁ। ଏହି ପୃଷ୍ଠଭୂମୀରେ ଏହି ଵିପଜ୍ଜନକ ଅସୁରକ୍ଷା, ଜୀଵନ ହାନି, କ୍ଷୟକ୍ଷତି ଓ ଭଵିଷ୍ଯତ ସୁରକ୍ଷାର ରାସ୍ତା ସୁଗମ କରିଵା ପାଇଁ ଵିଚାର ଵିଭାଗୀୟ ତଦନ୍ତ କରିଵା ସହ ପ୍ରତ୍ଯେକ ମୃତକ ପରିଵାରକୁ ଅନ୍ଯୁନ ୫୦ ଲକ୍ଷ ଟଙ୍କାର କ୍ଷତି ପୂରଣ, ଆହତଙ୍କ ଚିକିତ୍ସା ସହ ପର୍ଯ୍ଯାପ୍ତ କ୍ଷତି ପୂରଣ, ଏହି ଫିଲିଙ୍ଗ ଷ୍ଟେସନ ଚତୁଃର୍ପାଶ୍ଵରେ ସରକାରୀ କାର୍ଯ୍ଯାଳୟ, ସରକାରୀ ଅଥଵା ଘରୋଇ ଵାସସ୍ଥାନ, ଵସ୍ତି, ଦୋକାନ ଵଜାର ଇତ୍ଯାଦିର କ୍ଷୟ କ୍ଷତିର ଉପଯୁକ୍ତ କ୍ଷତିପୂରଣ ଵ୍ଯଵସ୍ଥା ସାଙ୍ଗକୁ ଭଵିଷ୍ଯତରେ ଏହାର ପୁନରାଵୃତ୍ତି ନ ହେଵା ପାଇଁ ସୁରକ୍ଷା ଵ୍ଯଵସ୍ଥା ପାଇଁ ଦୃଢ଼ ଦାଵି କରୁଅଛୁ। ଏହି ପରିପ୍ରେକ୍ଷୀରେ ଆଜି ୟୁନିଟ ୯ ସ୍ଥିତ ଲୋହିଆ ଏକାଡେମୀ ଠାରେ ବିଭିନ୍ନ ରାଜନୈତିକ ଓ ସାମାଜିକ ସଂଗଠନ ସମୂହ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି କୁହାଯାଇଛି ଯେ ସରକାର ଏକ ସପ୍ତାହ ମଧ୍ଯରେ ଏହି ଦାଵି ପୁରଣ ନ କଲେ ରାଜନୈତିକ ଦଳ, ଗଣ ସଂଗଠନ ଓ ସାମାଜିକ ସଂଗଠନମାନେ ଜନଜୀଵନ ସୁରକ୍ଷା ପାଇଁ ଆନ୍ଦୋଳନ କରିଵାକୁ ଵାଧ୍ଯ ହେଵେ। ଆଜିର ସାମ୍ବାଦିକ ସମ୍ମିଳନୀରେ ଲୋହିଆ ଏକାଡେମୀର ସମ୍ପାଦକ ଦେବ ପ୍ରସାଦ ରାୟ, ଫରୱାର୍ଡ଼ ବ୍ଲକ ର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର , ସିପିଆଇ ନେତା ଜୟନ୍ତ ଦାସ, ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ, ଶ୍ରମିକ ନେତା ମହେନ୍ଦ୍ର ପରିଡା, ସିପିଆଇ(ଏମ) ନେତା ପ୍ରଦୀପ୍ତ ନାୟକ, ସିପିଆଇ (ଏମ.ଏଲ.) ରେଡ଼ ଷ୍ଟାର ନେତ୍ରୀ ପ୍ରମିଳା ବେହେରା ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀ ରେ ଉପସ୍ଥିତ ଥିଲେ ।

Comments (0)
Add Comment