ଗ୍ରୀଷ୍ମ ଋତୁ ଶେଷରେ ଆସଇ ବରଷା
ଭିଜା ମାଟିର ପୃଷ୍ଠା….
ଖରାର ତାତିରେ ତୃଷା ନିବାରଣେ
ଖୋଲି ଦେଏ ଶୁଷ୍କ ଓଠ….!!
ଦେହରୁ ନିର୍ଗତ ହୁଅଇ ଉତ୍ତପ୍ତ
ପାଇଣ ଶୀତ ନିର….
ମେଘରୁ ବରଷେ ଅବିରତ ବାରି
ଧରାରେ ବାହିତ ଝର….!!
ଅରଣ୍ୟ ପର୍ବତ ଶିଖର ଭିଜଇ
ବହେ ସୁପ୍ତ ନଈ ନାଳ….
କଳ ନିନାଦିନୀ ନିର୍ଝରଣୀ ଗାଏ
ମଙ୍ଗଳ ବରଷା କାଳ….!!
ବର୍ଷାରେ ଭିଜିଣ ମାଟି ଦେଖେ ସ୍ବପ୍ନ
ରଜସ୍ୱଳା ନାରୀ ସମ….
ବନ୍ଧ୍ୟା ଦୋଷ ତା’ର କାଟିବ ଏବେ
ନବ ଭୃଣ ଦେବ ଜନ୍ମ….!!
ସଲିଳ ପରସେ ହରଷ ଚିତ୍ତରେ
ପାଦପ ପଲ୍ଲବୀ ଗଲେ….
ସବୁଜ ସୁନ୍ଦର ଦୂର ପରବତ
ତୃଣ ତରୁ ଅଙ୍କୁରିଲେ…!!
ଏ ମାଟି ଦେଉଛି ଫୁଲ ଫଳ ଶସ୍ୟ
କେଦାର କୃଷକ ଚଷେ…
ମାଟି ମା ଏବେ ବନ୍ଧ୍ୟା ପଡ଼ିଲାଣି
ରାସାୟନ ସାର ବିଷେ….!!
ଗୋବର ଖତକୁ ନ କରେ ପ୍ରୟୋଗ
ମାଟିର ଉର୍ବର ପାଇଁ….
ଫସଲ ଅମଳ ହ୍ରାସ ପାଉଅଛି
ଧ୍ଯାନ ନଦିଅନ୍ତି କେହି….!!
ନଈ ନାଳ ମାଟି ପ୍ଲାଷ୍ଟିକ ବୋତଲ
କୁଢ଼ କୁଢ଼ ଆବର୍ଜନା….
ମାଟି ମା ଏବେ କି ସ୍ବପ୍ନ ଦେଖିବ
ସେ ସ୍ବପ୍ନ ହେଲାଣି ଚୂନା….!!
ମଣିଷ କହୁଛି ଶ୍ରେଷ୍ଠ ଜୀବ ବୋଲି
ଅତ୍ୟାଚାର କରେ ନୀତି….
ଯେଉଁ ମା ମାଟି ଦେଏ ଅନ୍ନ ଜଳ
ତା ପ୍ରତି ନାହିଁଟି ପ୍ରୀତି….!!
ଧିକ ଧିକ ଆମ ମଣିଷ ପଣିଆ
ମା’କୁ ସମ୍ମାନ ନାହିଁ…
ମାଟି ମା ପରା ଧରିଛି କୋଳରେ
ଜନ୍ମ ଠାରୁ ମୃତ୍ୟୁ ଯାଇ….!!
ଯତ୍ନ ନେବା ଆମେ ଏ ମାଟି ମା’ର
ପ୍ରକୃତି କର ପ୍ରେମ….
ନ ହେଲେ ମରିବ କ୍ଷୁଧା ତୃଷା ଭୋଗି
ଅକାଳେ ଡାକିବ ଯମ….!!
(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)