ଭାରତ ଆନ୍ତର୍ଜାତୀୟ ପର୍ଯ୍ୟଟନ ମେଳା ୨୦୨୬ରେ ଓଡ଼ିଶା ପର୍ଯ୍ୟଟନ ସମ୍ମାନିତ ।

ବ୍ରହ୍ମପୁର,୨୮/୧୧(ପିପିଟି): ପୁଣେଠାରେ ନଭେମ୍ବର ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଭାରତ ଆନ୍ତର୍ଜାତୀୟ ପର୍ଯ୍ୟଟନ ମେଳା (ଆଇଆଇଟିଏମ୍) ୨୦୨୬ରେ ଓଡ଼ିଶା ପର୍ଯ୍ୟଟନ ଦୁଇଟି ସମ୍ମାନଜନକ ପୁରସ୍କାର ହାସଲ କରିଛି। ଓଡ଼ିଶାକୁ ଶ୍ରେଷ୍ଠ ଉପକୂଳ ପର୍ଯ୍ୟଟନସ୍ଥଳୀ ଏବଂ ଶ୍ରେଷ୍ଠ ବନ୍ୟପ୍ରାଣୀ ପର୍ଯ୍ୟଟନସ୍ଥଳୀ ଭାବେ ସମ୍ମାନିତ କରାଯାଇଛି ।

ଏହି ମେଳାରେ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଗଞ୍ଜାମ ଜିଲ୍ଲାର ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ଜନକ କୁମାର ତରେଇ ଏବଂ ଗଜପତି ଜିଲ୍ଲାର ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ଏଚ୍. ସଂଗ୍ରାମ ଯୋଗଦେଇଥିଲେ ।

ଓଡ଼ିଶାର ବିସ୍ତୃତ ଉପକୂଳ, ସୁନ୍ଦର ବେଳାଭୂମି, ହ୍ରଦ, ଜଙ୍ଗଲ, ଅଭୟାରଣ୍ୟ ଏବଂ ସମୃଦ୍ଧ ଜୈବ ବିବିଧତାକୁ ସ୍ୱୀକୃତି ଦେଇ ରାଜ୍ୟକୁ ଏହି ଦୁଇଟି ପୁରସ୍କାର ପ୍ରଦାନ କରାଯାଇଛି। ଏହି ସମ୍ମାନ ଜାତୀୟ ସ୍ତରରେ ଉପକୂଳ,ବନ୍ୟପ୍ରାଣୀ ଓ ପ୍ରକୃତିଭିତ୍ତିକ ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶାର ବଢ଼ୁଥିବା ଗୁରୁତ୍ୱକୁ ପ୍ରତିପାଦିତ କରିଛି ।

ଏହି ମେଳାରେ ଓଡ଼ିଶାର ପର୍ଯ୍ୟଟନସ୍ଥଳୀ,କଳା,ସଂସ୍କୃତି ଓ ପ୍ରାକୃତିକ ସମ୍ପଦର ପ୍ରଚାର ପ୍ରସାର ସହ ଦେଶର ବିଭିନ୍ନ ପର୍ଯ୍ୟଟନ ସଂସ୍ଥା ଓ ଟୁର୍ ଅପରେଟରଙ୍କ ସହ ଯୋଗାଯୋଗ ଓ ସହଭାଗିତା ବୃଦ୍ଧି ପାଇଁ ସୁଯୋଗ ସୃଷ୍ଟି ହୋଇଥିଲା। ଏହି ସଫଳତା ଓଡ଼ିଶାକୁ ଦେଶର ଏକ ପ୍ରମୁଖ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳୀ ଭାବେ ପ୍ରତିଷ୍ଠିତ କରିବା ଦିଗରେ ରାଜ୍ୟ ସରକାରଙ୍କ ପ୍ରୟାସକୁ ଆହୁରି ସୁଦୃଢ଼ କରିଛି ।

Comments (0)
Add Comment