ଭଞ୍ଜ କଳାମଣ୍ଡପରେ ଭଞ୍ଜ ମାଟିର କଳାକାରଙ୍କୁ ଅଣଦେଖା ଅଭିଯୋଗ ଆଣିଲେ ଦାଶକାଠିଆ କଳାକାର ସଙ୍ଘ ।

ବେଗୁନିଆପଡା,୨୮/୧୧(ପିପିଟି): ଦାସକାଠିଆ ଓଡ଼ିଶାର ଅନ୍ୟତମ ମୌଳିକ ଲୋକକଳା। ଏହାର ପ୍ରାଚୀନତା ଏବଂ ମୌଳିକତା ଅନ୍ୟ କୌଣସି ଲୋକକଳା ରେ ଦେଖାଯାଏ ନାହିଁ। ବର୍ତ୍ତମାନର ଆଧୁନିକ ତଥା ବୈଷୟିକ ଯୁଗରେ ଏହାହିଁ ଏକମାତ୍ର ଶୃଙ୍ଖଳିତ ଓ ଶାନ୍ତ ଲୋକକଳା। ପାଲା ଭଳି ଗାୟକ ଗାୟକ ମଧ୍ୟରେ ଅସଭ୍ୟ ଗାଳିଗୁଲଜ, କଟାକ୍ଷ, ଅଶାଳୀନ ପୁରାଣ ତର୍ଜମା ଏବଂ ବାଦ ବିବାଦ ଏଥିରେ କୁତ୍ରାପି ଦେଖାଯାଏ ନାହିଁ। ପାଲା ଭଳି ଅସାସ୍ତ୍ରୀୟ ପୁରାଣ ବର୍ଣ୍ଣନା,ଏଥିରେ ନାହିଁ। ବରଂ କାବ୍ୟର ଷଢରସ ଏବଂ ନାଟକର ନବରସକୁ ଦାସକାଠିଆ କଳାକାର ମାନେ ବିଭିନ୍ନ ଭଙ୍ଗୀରେ ପରିବେଷଣ କରି ଏହାର ସାସ୍ତ୍ରୀୟ ଗରିମା ଏ ପର୍ଯ୍ୟନ୍ତ ବଜାୟ ରଖିଛନ୍ତି। ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା କବଚ ଦାସକାଠିଆ,କହିଲେ ଅତ୍ୟୁକ୍ତି ହେବନାହିଁ। ସମୟ ସହ ତାଳ ଦେଇ ନପାରି ଓଡ଼ିଶା ତଥା ଦକ୍ଷିଣ ଓଡ଼ିଶାର ଅନେକ ଲୋକକଳା ବିଲୁପ୍ତ ହୋଇଗଲାଣି,ପ୍ରାୟ ଲୋକକଳା ନିଜସ୍ଵ ମୌଳିକତା ହରାଇଥିଲେ ହେଁ, ଦାସକାଠିଆ ବିଲୁପ୍ତି ସ୍ରୋତରେ ପଡ଼ି ମଧ୍ୟ ତା’ର ମୌଳିକତା ଅକ୍ଷୁର୍ଣ୍ଣ ରଖିଛି।
କିନ୍ତୁ ଦୁଃଖର ବିଷୟ ଯେ ସରକାରୀ ପ୍ରୋତ୍ସାହନ ଅଭାବରୁ ଏହି ପ୍ରାଚୀନ ଲୋକକଳା ଆଜି ବିସ୍ମୃତି ଗର୍ଭକୁ ଚାଲିଯିବାକୁ ବସିଲାଣି। ସରକାରୀ ଅଧିକାରୀଙ୍କ ବୈମାତୃକ ମନୋଭାବ ପୋଷଣ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ବାରା ଆୟୋଜିତ ଦୁଇ ଦିନିଆ “ରାଜ୍ୟସ୍ତରୀୟ ପାଲା ଓ ଦାସକାଠିଆ ଉତ୍ସବ-୨୦୨୪ ଓ ୨୦୨୫”ରେ ଦାସକାଠିଆ କଳାକାରଙ୍କୁ ଉଚିତ୍ ସମ୍ମାନ ନଦେବା ବାସ୍ତବରେ ଓଡ଼ିଶାର ଅଗଣିତ ଦାସକାଠିଆ ପ୍ରେମୀ, ବୁଦ୍ଧିଜୀବୀ ତଥା ସମସ୍ତ ଦାସକାଠିଆ କଳାକାରଙ୍କୁ ବ୍ୟଥିତ କରିଛି । ଏହାର ପ୍ରତିବାଦ ସ୍ବରୂପ ନିଖିଳ ଉତ୍କଳ ଦାସକାଠିଆ କଳାକାର ସଂଘର ସାଧାରଣ ସମ୍ପାଦକ ଗାୟକ ଦୁର୍ଗା ପ୍ରସାଦ ଦାଶ ଗଭୀର କ୍ଷୋଭ ପ୍ରକାଶ କହିଛନ୍ତି ଯେ ଭଞ୍ଜ କଳାମଣ୍ଡପ ଭୁବନେଶ୍ୱର ଠାରେ ଆୟୋଜିତ ରାଜ୍ୟସ୍ତରୀୟ ପାଲା ଓ ଦାସକାଠିଆ ଉତ୍ସବ ଓଡିଶା ସଙ୍ଗୀତ ଏକାଡେମୀ ଦ୍ୱାରା ଆୟୋଜିତ ମଞ୍ଚ ତରଫରୁ ୧୦ ଦଳ ପାଲା କଳାକାରଙ୍କ ସହ ମାତ୍ର ୨ ଦଳ ଦାସକାଠିଆ କଳାକାରଙ୍କୁ ପରିବେଷଣର ସୁଯୋଗ ଓ ୧୨ ଜଣ ପାଲା କଳାକାରଙ୍କୁ ସମ୍ବର୍ଦ୍ଧନା ସ୍ଥଳେ ମାତ୍ର ୨ ଜଣ ଦାସକାଠିଆ କଳାକାରଙ୍କୁ ସମ୍ବର୍ଦ୍ଧନା ଅତ୍ୟନ୍ତ ନିନ୍ଦନୀୟ। ଦାସକାଠିଆ କଳାକାରଙ୍କୁ ଉଚିତ୍ ସମ୍ମାନ ପ୍ରଦାନ ଆମର ମୌଳିକ ଦାବି ଏହା ସରକାରଙ୍କ ସମ୍ମୁଖରେ ଉପସ୍ଥାପନ କରୁଛୁ, ଏବଂ ଏଥିରେ ସଂସ୍କୃତି ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି ଏହାର ତୁରନ୍ତ ସମାଧାନ କରନ୍ତୁ,ଏହାହିଁ ଅନୁରୋଧ,ନଚେତ୍ ପ୍ରତିବାଦର ସ୍ବର ତୀବ୍ର ହେବ ବୋଲି ଦାଶକାଠିଆ ଗାୟକ ଦୁର୍ଗା ପ୍ରସାଦ ଦାଶ ମତବ୍ୟକ୍ତ କରିଛନ୍ତି।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)

Comments (0)
Add Comment