ଭଞ୍ଜନଗର ବିଡ଼ିଓଙ୍କ ମହାନତା, ଅସହାୟ ପରିବାରକୁ ଯୋଗାଇଲେ ସାହାଯ୍ୟ ।

ଭଞ୍ଜନଗର, ୦୩/୦୬(ପିପିଟି):ଭଞ୍ଜନଗର ବ୍ଲକ ମୁଜାଗଡ଼ ପଞ୍ଚାୟତ ବିରିପଦର ଗ୍ରାମର ସଂଯୁକ୍ତା ଗୌଡ଼ଙ୍କର ସ୍ୱାମୀ ଗତ କିଛି ବର୍ଷ ହେଲା ମୃତ୍ୟୁବରଣ କରିଛନ୍ତି।ଘରେ ଏବେ ସଂଯୁକ୍ତା ଓ ତାଙ୍କର ଦୁଇ ଭିନ୍ନକ୍ଷମ ପୁଅ ରହୁଛନ୍ତି।ବଡ଼ ପୁଅର ବୟସ ୧୫ବର୍ଷ ହୋଇଥିବା ବେଳେ ସାନ ପୁଅକୁ ୧୦ବର୍ଷ ଚାଲୁଛି।ଉଭୟେ ଜନ୍ମରୁ ସମ୍ପୂର୍ଣ୍ଣ ଭିନ୍ନକ୍ଷମ।ସେମାନଙ୍କ ଚଳିବା କଷ୍ଟସାଧ୍ୟ।ଏହାକୁ ଦୃଷ୍ଟିରେ ରଖି ବ୍ଲକ ପ୍ରଶାସନ ପକ୍ଷରୁ ସଂଯୁକ୍ତାଙ୍କ ପରିବାରକୁ ବିଭିନ୍ନ ସରକାରୀ ସହାୟତା ଯୋଗାଇ ଦିଆଯାଇଛି।ସେଥି ମଧ୍ୟରେ ସଂଯୁକ୍ତାଙ୍କୁ ଗତ ୨୦୧୫ମସିହାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର, ବିଧବା ଭତ୍ତା,ରାସନ କାର୍ଡ଼, ବଡ଼ ପୁଅକୁ ଭିନ୍ନକ୍ଷମ ଭତ୍ତା ଦିଆଯାଉଛି।ହେଲେ ସାନ ପୁଅର ଭିନ୍ନକ୍ଷମ ପ୍ରମାଣ ପତ୍ର ନଥିବାରୁ ତାକୁ ଭତ୍ତା ଦେବା ସମ୍ଭପର ହୋଇ ପାରିନାହିଁ।ତଥାପି ଖବର ପାଇ ଆଜି ଅପରାହ୍ନରେ ଭଞ୍ଜନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶୀ ଭୂଷଣ ମହାପାତ୍ର ସେହି ପରିବାରର ସ୍ଥିତି ଅନୁଧ୍ୟାନ କରିବା ପାଇଁ ବିରିପଦର ଗ୍ରାମରେ ପହଞ୍ଚିଥିଲେ।ସେଠାରେ ପରିବାର ଲୋକ ଓ ଗ୍ରାମବାସୀଙ୍କ ସହ ଆଲୋଚନା କରି ଅତିଶୀଘ୍ର ରାସନ କାର୍ଡ଼ ପରିବର୍ତ୍ତେ ଅନ୍ତଦୟ କାର୍ଡ଼ ପ୍ରଦାନ, ସାନ ପୁଅକୁ ଭିନ୍ନକ୍ଷମ ଭତ୍ତା ପ୍ରଦାନ ସହ ମୋ’ ଘର ଯୋଜନାରେ ସାମିଲ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।ଏଥିସହ ସଂଯୁକ୍ତାଙ୍କର ଦୁଇ ଦିବ୍ୟାଙ୍ଗ ପୁଅକୁ ଦୁଇଟି ହୁଇଲ ଚେୟାର ପ୍ରଦାନ କରିବା ସହ ସେମାନଙ୍କ ପାରିବାରିକ ସମସ୍ୟାକୁ ଦୃଷ୍ଟିରେ ରଖି ବ୍ୟକ୍ତିଗତ ଭାବେ ବିଡ଼ିଓ ଶ୍ରୀ ମହାପାତ୍ର ୫ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବା ସହ ଆଗାମୀ ଦିନରେ ମଧ୍ୟ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି। ଏଥିରେ ତାଙ୍କ ସହିତ ବ୍ଲକ ସହକାରୀ ଯନ୍ତ୍ରୀ ଶ୍ୟାମଘନ ପ୍ରଧାନ,କନିଷ୍ଠ ଯନ୍ତ୍ରୀ ସଚିତ କର, ମୁଜାଗଡ଼ ସରପଙ୍କ ସୁକାନ୍ତି ସେଠୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ରିପୋର୍ଟ-ଜେ କେ ପଟ୍ଟନାୟକ

Comments (0)
Add Comment