ଭଞ୍ଜନଗର,୨୬/୦୩(ପିପିଟି): ଘୁମୁସର ଜିଲ୍ଲା ଦାବି ନେଇ ୨୭ତାରିଖରେ ଭଞ୍ଜନଗର ବନ୍ଦ ଡ଼ାକରା ଦେଇଛି ମିଳିତ କ୍ରିୟାନୁଷ୍ଠାନ କମିଟି । ଏହି ଅବସରରେ ସ୍ଥାନୀୟ ଜନସାଧାରଣ ଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଆଜି ଅପରାହ୍ନରେ ଏକ ବାଇକ ରାଲିର ଆୟୋଜନ କରାଯାଇଥିଲା । ସକାଳ ୬ଟାରୁ ସନ୍ଧ୍ୟା ୬ଘଣ୍ଟା ପର୍ଯ୍ୟନ୍ତ ୧୨ଘଣ୍ଟିଆ ବନ୍ଦ ପାଳନ କରାଯିବ।କେବଳ ଜରୁରୀକାଳୀନ ସେବା ଯୋଗାଉଥିବା କାର୍ଯ୍ୟ ବ୍ୟତୀତ ଏହି ସମୟ ମଧ୍ୟରେ ଗାଡ଼ି ମଟର, ଦୋକାନ ବଜାର, ସ୍କୁଲ, କଲେଜ, ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ ବନ୍ଦ ରହିବ।କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବାଇକ ରାଲି ସମୟରେ ସହରର ବିଭିନ୍ନ ଛକ ଗୁଡ଼ିକରେ ପଥପ୍ରାନ୍ତ ସଭା କରି ବ୍ୟବସାୟୀ,ସାଧାରଣ ନାଗରିକ ଓ ଛାତ୍ରଛାତ୍ରୀ ମାନେ ସ୍ୱତଃ ପ୍ରବୃତ୍ତ ଭାବେ ବନ୍ଦକୁ ସଫଳ କରିବା ପାଇଁ କର୍ମକର୍ତ୍ତା ମାନେ କହିଥିଲେ। ଏହାକୁ ବିଭିନ୍ନ ସଙ୍ଗଠନ ସମର୍ଥନ ଜଣାଇ ଆନ୍ଦୋଳନ ଜୋରଦାର କରିବା ପାଇଁ ସ୍ଥିର କରିଛନ୍ତି । ଭଞ୍ଜନଗର ଉପଖଣ୍ଡରେ ଜିଲ୍ଲା ପାଇଁ ସମସ୍ତ ଭିତ୍ତିଭୂମି ଥାଇ ମଧ୍ୟ ତାହା ଆଜି ବଞ୍ଚିତ। ତେଣୁ ସ୍ଥାନୀୟ ଜନସାଧାରଣ ଏହାର ପ୍ରତିବାଦରେ ଘୁମୁସର ଜିଲ୍ଲା ଦାବି କରିଛନ୍ତି। ଭଞ୍ଜନଗର ଏକ ବୃହତ ଉପଖଣ୍ଡ ହୋଇଥିବା ବେଳେ ଏହାଠାରୁ କମ୍ ଭୌଗଳିକ ଓ ଜନସଂଖ୍ୟା ରହିଥିବା ଅଞ୍ଚଳ ଜିଲ୍ଲା ହୋଇ ସାରିଥିବା ବେଳେ ଘୁମୁସରକୁ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ପ୍ରଦାନ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି । କ୍ରିୟାନୁଷ୍ଠାନ କମିଟି ସଭାପତି ସୋମନାଥ ନାୟକ,ଆଇନଜୀବୀ ସନ୍ତୋଷ ତିଆଡି,ଯୁବନେତା ପ୍ରଶାନ୍ତ ବିଶୋୟୀ,ବଜରଙ୍ଗ ଦଳର ମୂରଲୀ ଧର ପଣ୍ଡା,ପ୍ରାକ୍ତନ ଅଧ୍ୟକ୍ଷ ଶିବରାମ ପଣ୍ଡା,ପିସିସି ସଭ୍ୟ ଦେବୀ ବିଷୋୟୀ,ପ୍ରକାଶ ଚନ୍ଦ୍ର ସାହୁ, ହରୀକୃଷ୍ଣ ସାହୁ,ସୁଶାନ୍ତ କୁମାର ପାତ୍ର ଓ ଅନ୍ୟମାନେ ଉପସ୍ଥିତ ଥିଲେ।
(ରିପୋର୍ଟ- ଜେକେ ପଟ୍ଟନାୟକ। )